Image Courtesy of Zee News
କୋଲ୍କାତା: ଆଜି ସକାଳେ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଜୋକା ‘ଇଏସ୍ଆଇ’ ହସ୍ପିଟାଲ୍କୁ ନିଆଯାଉଥିବା ଅର୍ପିତା ମୁଖାର୍ଜୀ କାନ୍ଦି ପକାଇଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ଡାକ୍ତରଖାନାକୁ ଆସିଥିବା ଅର୍ପିତା କାର୍ରୁ ନ ଓହ୍ଲାଇବାରୁ ତାଙ୍କୁ ଜବରଦସ୍ତି କାର୍ରୁ ଟାଣି ବାହାର କରାଯିବାରୁ ସେ ତଳେ ପଡ଼ିଯାଇଥିଲେ। କୁହାଯାଉଛି ତାଙ୍କ ଗୋଡ଼ରେ ଆଘାତ ଲାଗିବାରୁ ସେ ଚାଲି ନ ପାରି ଡାକ୍ତରଖାନାର ‘ଏମର୍ଜେନ୍ସି ଡିପାର୍ଟମେଣ୍ଟ୍’ ସମ୍ମୁଖରେ ବସି ପଡ଼ିଥିଲେ।
ଏହାପରେ, ତାଙ୍କୁ ପୁଣି ଜବରଦସ୍ତି ହ୍ବିଲ୍ଚେୟାର୍ରେ ବସାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, ୪୮ ଘଣ୍ଟା ମଧ୍ୟରେ ପାର୍ଥ ଓ ଅର୍ପିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ନିମନ୍ତେ କାଲ୍କାଟା ହାଇକୋର୍ଟ ଆଦେଶ ଦେଇ ଥିବାରୁ ଆଜି ଉଭୟଙ୍କୁ ଭିନ୍ନ ଭିନ୍ନ ଭିନ୍ନ କାର୍ରେ ଜୋକା ‘ଇଏସ୍ଆଇ’ ହସ୍ପିଟାଲ୍କୁ ଅଣାଯାଇଥିଲା।
Image Courtesy of Zee Newsସେହିପରି, ପାର୍ଥଙ୍କୁ ନେଇ ଜୋକା ‘ଇଏସ୍ଆଇ’କୁ ଆସୁଥିବା କାର୍ଟି ମା’ ସେତୁ ଉପରେ କିଛି ସମୟ ପାଇଁ ଅଟକି ଯାଇଥିଲା। ମାସ୍କ୍ ପିନ୍ଧି ସେ କାର୍ରେ ଚୁପ୍ଚାପ୍ ବସିଥିଲେ। ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା କଥା ପଚରାଯିବାରୁ ସେ କିଛି ଉତ୍ତର ଦେଇ ନ ଥିଲେ।
କିନ୍ତୁ, ଡାକ୍ତରଖାନାକୁ ପ୍ରବେଶ କରିବା ବେଳେ ସେ ମୁହଁରୁ ମାସ୍କ୍ କାଢ଼ି କହିଥିଲେ, ‘ମୁଁ ଷଡ଼ଯନ୍ତ୍ରର ଶିକାର ହୋଇଛି।’ ଏହାପରେ, ତାଙ୍କୁ ଗୋଟାଏ ହ୍ବିଲ୍ ଚେୟାର୍ରେ ବସାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Follow Us