Image Courtesy of National Herald
କୋଲ୍କାତା: ଯେଉଁ ଘରେ କୋଟି କୋଟି ନଗଦ ଟଙ୍କା ଗଚ୍ଛିତ ଥିଲା ସେ କୋଠରି ମଧ୍ୟକୁ ପ୍ରବେଶ କରିବା ଲାଗି ଅର୍ପିତା ମୁଖାଜୀଙ୍କୁ ବାରଣ କରାଯାଇଥିବା କଥା ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି।
ଅଧିକାରୀଜଣକ କହିଛନ୍ତି, ଅର୍ପିତା ମୁଖାର୍ଜୀ କହିଛନ୍ତି ଯେ, ଜବତ ଟଙ୍କା ପାର୍ଥ ଚାଟାର୍ଜୀଙ୍କର। ସେ ଓ ତାଙ୍କ ଲୋକେ ବରାବର ତାଙ୍କ (ଅର୍ପିତା) ଫ୍ଲାଟ୍କୁ ଆସି ଟଙ୍କା ଗଚ୍ଛିତ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟଙ୍କା ଗଚ୍ଛିତ ଥିବା କଥା ସେ ଜାଣିଥିଲେ। କିନ୍ତୁ, ଉକ୍ତ କୋଠରି ଭିତରକୁ ଯିବା ପାଇଁ ତାଙ୍କୁ ନିଷେଧ କରାଯାଇଥିବାରୁ କେତେ ପରିମାଣର ଟଙ୍କା ଥିଲା, ତାହା ସେ ଜାଣି ନ ଥିଲେ।
ଟଙ୍କା ବିଷୟରେ ଏ ପର୍ଯ୍ୟନ୍ତ ପାର୍ଥ ଚାଟାର୍ଜୀ ପ୍ରବର୍ତ୍ତନ ନିର୍ଦେଶାଳୟକୁ ସ୍ପଷ୍ଟ ଭାବେ କିଛି କହୁ ନ ଥିବା ବେଳେ ଅର୍ପିତା ମୁଖାର୍ଜୀ ଜେରାକାରୀଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ବୋଲି କୁହାଯାଉଛି। ତାଙ୍କ ଫ୍ଲାଟ୍କୁ ପାର୍ଥ ଚାଟାର୍ଜୀ ‘ମିନି-ବ୍ୟାଙ୍କ୍’ ଭାବେ ଉପଯୋଗ କରୁଥିଲେ ବୋଲି ଅର୍ପିତା କହିଛନ୍ତି।
ସୂଚନାଯୋଗ୍ୟ, ସମ୍ପ୍ରତି ପ୍ରବର୍ତ୍ତନ ନିର୍ଦେଶାଳୟ ତୃଣମୂଳ କଂଗ୍ରେସର ବହିଷ୍କୃତ ନେତା ପାର୍ଥ ଚାଟାର୍ଜୀଙ୍କର ସହଯୋଗିନୀ ବୋଲି କହୁଥିବା ବଙ୍ଗୀୟ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ବହୁ ମୂଲ୍ୟବାନ୍ ସାମଗ୍ରୀ ସମେତ ସମୁଦାୟ ୫୦ କୋଟି ଟଙ୍କା ଉଦ୍ଧାର କରାଗଲାଣି।
Image Courtesy of The Economic Timesଦକ୍ଷିଣ କୋଲ୍କାତାରେ ଅବସ୍ଥିତ ଅର୍ପିତାଙ୍କ ଫ୍ଲାଟ୍ରୁ ୨୧ କୋଟି ଟଙ୍କା ଉଦ୍ଧାର କରିଥିବା ବେଳେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ବେଲଘରିଆରେ ଥିବା ଆଉ ଏକ ଫ୍ଲାଟ୍ରେ ଚଢ଼ାଉ କରି ୨୮ କୋଟି ଟଙ୍କା ଜବତ କରିଛି।
ଜବତ ବା ଉଦ୍ଧାର କରାଯାଇଥିବା ବିପୁଳ ପରିମାଣର ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ଗଣିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ସ୍ବତନ୍ତ୍ର ମେସିନ୍ ଆଣିଥିଲା। ଏତେ ପରିମାଣର ଟଙ୍କା ବୋହି ନେବା ପାଇଁ ଟ୍ରକ୍ରେ ମଧ୍ୟ ଜାଗା ହୋଇ ନ ଥିଲା।
ଏହା ବ୍ୟତିରେକେ, ଗୁରୁବାର ଦିନ ବି ପ୍ରବର୍ତ୍ତନ ନିର୍ଦେଶାଳୟ ଅର୍ପିତା ମୁଖାର୍ଜୀ ଜଡ଼ିତ ଥିବା ଚିନାର ପାର୍କସ୍ଥିତ ଆଉ ଗୋଟାଏ ଫ୍ଲାଟ୍ରେ ଚଢ଼ାଉ କରିଥିଲା। କିନ୍ତୁ, ସେଠାରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ କିଛି ପାଇଲେ କି, ନାହିଁ, ତାହା ଜଣାପଡ଼ିନାହିଁ।
Follow Us