ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ରାଷ୍ଟ୍ରପତି ନିର୍ବାଚନ ଆଉ ୮୮ ଦିନ ବାକି

ନବୀନ କରିପାରନ୍ତି ଅନୌପଚାରିକ ଆଲୋଚନା, ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀରେ ଯୋଗ ଦେବେ

୨୦୩୬ ସୁଦ୍ଧା ସଶକ୍ତ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ। ଏଥିରେ ଯୋଗ ଦେବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ପହଞ୍ଚିଛନ୍ତି। ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ।। ଆସନ୍ତାକାଲି ଦିନତମାମ ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତ୍ବରିତ ନ୍ୟାୟ ପ୍ରଦାନ ‌କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରିବା ସହିତ ରାଜ୍ୟର କିଛି ଦାବି ଉପସ୍ଥାପନ କରିବାର ସମ୍ଭାବନା ରହିଛି। ସମ୍ମିଳନୀରେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ‌ ବୋଲି ଜଣାପଡ଼ିଛି। ଆଗକୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ୫ ଦିନିଆ ଦିଲ୍ଲୀ ଗସ୍ତକୁ ମହତ୍ବପୂର୍ଣ୍ଣ ମନେକରାଯାଉଛି। ଗତମାସରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଆସିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଦଳୀୟ ସାଂସଦଙ୍କୁ ସଂସଦ ଭବନରେ ଥିବା ପାର୍ଟି କାର୍ଯ୍ୟାଳୟରେ ଭେଟିବା ସହ ବିଭିନ୍ନ ଦଳର ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ସେଣ୍ଟ୍ରାଲ୍‌ ହଲରେ ସାକ୍ଷାତ କରିଥିଲେ।

ସେତେବେଳେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡିର ଆଭିମୁଖ୍ୟକୁ ନେଇ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ସେତେବେଳେ ରାଷ୍ଟ୍ରପତି ନିର୍ବାଚନ କଥା ଚିନ୍ତା କରାଯାଇନାହିଁ ବୋଲି କହିଥିଲେ। ଦେଶର ଷୋଡ଼ଶ ରାଷ୍ଟ୍ରପତି ଜୁଲାଇ ୨୫ରେ ପଦଭାର ସମ୍ଭାଳିବେ। ଏଥି ପାଇଁ ଆଉ କେବଳ ୮୮ ଦିନ ବାକିରହିଛି। ସୂତ୍ର ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକିୟା ଜୁଲାଇ ତୃତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ବିଜେଡି ଓ ୱାଇଏସ୍‌ଆର୍‌ସିପିର ସମର୍ଥନ ପାଇଁ ବିଜେପି ନେତୃତ୍ବାଧୀନ ଶାସକ ଦଳ ପ୍ରୟାସ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସମ୍ମିଳନୀ ପରିପେକ୍ଷୀରେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଅନୌପଚାରିକ ଆଲୋଚନା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe