ଜେଟ୍‌ଲି ପଞ୍ଚଭୂତରେ ବିଲୀନ, ନିଗମ ବୋଧ ଘାଟରେ ଶେଷକୃତ୍ୟ ସଂପନ୍ନ

ପୁଅ ରୋହନ ଦେଲେ ମୁଖାଗ୍ନି

ଜେଟ୍‌ଲି ପଞ୍ଚଭୂତରେ ବିଲୀନ, ନିଗମ ବୋଧ ଘାଟରେ ଶେଷକୃତ୍ୟ ସଂପନ୍ନ

ନୂଆଦିଲ୍ଲୀ: ପୂର୍ବ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍‌ଲି ଆଜି ପଂଚଭୂତରେ ଲୀନ ହୋଇଯାଇଛନ୍ତି। ଦିଲ୍ଲୀର ନିଗମବୋଧ ଘାଟରେ ଅପରାହ୍ନ ୩ଟାରେ ତାଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯାଇଥିଲା। ପୁଅ ରୋହନ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମତେ ବିଭିନ୍ନ ଦଳର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ସକାଳୁ ଦିଲ୍ଲୀର ପାଗ ମେଘୁଆ ଥିବା ବେଳେ ମୁଖାଗ୍ନିର ଠିକ୍‌ ପୂର୍ବରୁ ପ୍ରବଳ ବର୍ଷା ହୋଇଥିଲା। ଜେଟ୍‌ଲିଙ୍କ ପାର୍ଥିବ ଶରୀରକୁ ଶେଷକୃତ୍ୟ ପାଇଁ ବିଜେପି ମୁଖ୍ୟାଳୟରୁ ନିଗମ ବୋଧ ଘାଟ ପର୍ଯ୍ୟନ୍ତ ଫୁଲରେ ସଜ୍ଜିତ ହୋଇଥିବା ଏକ ଗାଡ଼ିରେ ନିଆଯାଇଥିଲା। ହଜାର ହଜାର ଜନତା ଜେଟ୍‌ଲିଙ୍କୁ ଭାବପୂର୍ଣ୍ଣ ବିଦାୟ ଦେଇଥିବା ବେଳେ ‘ଜେଟ୍‌ଲିଜୀ ଅମର ରହେ’ ସ୍ଲୋଗାନ ପ୍ରକମ୍ପିତ ହୋଇଥିଲା।

ଆଜି ସକାଳୁ ବିଜେପି କାର୍ଯ୍ୟକର୍ତ୍ତା ଏବଂ ଶୋକାକୁଳ ଜନତା ବିଜେପି ମୁଖ୍ୟାଳୟ ବାହାରେ ଜେଟ୍‌ଲିଙ୍କୁ ଶେଷ ଶଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ। ନିଗମ ବୋଧ ଘାଟକୁ ଯାଇଥିବା ରାସ୍ତା ସାରା ଜେଟ୍‌ଲିଙ୍କ ସ୍ମୃତିରେ ପୋଷ୍ଟର୍‌ ଲାଗିଥିଲା। ୬୬ ବର୍ଷୀୟ ଜେଟ୍‌ଲିଙ୍କର ଶନିବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା। ତାଙ୍କୁ ୯ ଅଗଷ୍ଟରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତକାଲି ଜେଟ୍‌ଲିଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀର କୈଳାସ କଲୋନୀ ସ୍ଥିତ ତାଙ୍କ ବାସଭବନରେ ରଖାଯାଇଥିଲା। ସକାଳେ ତାଙ୍କର ପାର୍ଥିବ ଶରୀରକୁ ବିଜେପି ମୁଖ୍ୟାଳୟକୁ ଅଣାଯାଇଥିଲା ଏବଂ ଅପରାହ୍ନ ସାଢ଼େ ୧ଟା ପର୍ଯ୍ୟନ୍ତ ସେଠାରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe