Image Source: India Today
ନୂଆଦିଲ୍ଲୀ: ଶନିବାର ମଧ୍ୟାହ୍ନ ପରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ (ଏମ୍ସ୍) ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେପି ନେତା ଅରୁଣ ଜେଟ୍ଲୀଙ୍କର ୬୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।
ଏମ୍ସ୍ର ମିଡିଆ ଏବଂ ପ୍ରୋଟୋକଲ୍ ଡିଭିଜନ୍ ତରଫରୁ ପ୍ରକାଶିତ ପ୍ରେସ୍ ରିଲିଜ୍ରେ କୁହାଯାଇଛି ଯେ ଅଗଷ୍ଟ ୨୪ ତାରିଖ, ଶନିବାର ଅପରାହ୍ଣ ୧୨: ୦୭ରେ ଜେଟ୍ଲୀଙ୍କର ଦେହାନ୍ତ ହୋଇଯାଇଛି।
ମିଡିଆ ଆଣ୍ଡ୍ ପ୍ରୋଟୋକଲ୍ ଡିଭିଜନ୍ର ଅଧ୍ୟକ୍ଷଙ୍କ ସ୍ୱାକ୍ଷରିତ ପ୍ରେସ୍ ରିଲଜ୍ରେ ଉଲ୍ଲେଖ ଅଛି: ଗଭୀର ଶୋକର ସହ ଆମେ ମାନ୍ୟବର ସାଂସଦ ଏବଂ ଭାରତ ସରକାରଙ୍କର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟ୍ଲୀ, ୨୦୧୯ ଅଗଷ୍ଟ ୨୪ ତାରିଖ ଦିନ ଦୁଃଖଦ ବିୟୋଗ ହୋଇଥିବା ସୂଚନା ଦେଉଛୁ। ଶ୍ରୀ ଅରୁଣ ଜେଟ୍ଲୀ ନୂଆଦିଲ୍ଲୀସ୍ଥିତ ଏମ୍ସ୍ରେ ୦୯/୦୮/୨୦୧୯ରେ ଭର୍ତ୍ତି ହୋଇଥିଲେ ଏବଂ ବରିଷ୍ଠ ଡାକ୍ତରଙ୍କର ଏକ ମଲ୍ଟିଡିସିପ୍ଲିନେରି ଟିମ୍ ତାଙ୍କର ଚିକିତ୍ସା କରୁଥିଲେ।
Image Source: Inida Todayଜେଟଲୀଙ୍କୁ ଅଣନିଃଶ୍ୱାସୀ ଏବଂ ଅସ୍ଥିର ଲାଗିବାରୁ ଅଗଷ୍ଟ ୯ ତାରିଖ ଦିନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ (ଏମ୍ସ୍) ଭର୍ତ୍ତି କରାଯାଇଥିଲା। ଏହାପରେ କ୍ରମଶଃ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉ ଥିଲା। ଅଗଷ୍ଟ ୧୦ ତାରିଖ ଠାରୁ ଅରୁଣ ଜେଟ୍ଲୀଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ଏମ୍ସ୍ କୌଣସି ବୁଲେଟିନ୍ ପ୍ରକାଶ କରୁ ନ ଥିଲା।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି, ଜିତେନ୍ଦ୍ର ସିଂହ ଏବଂ ରାମବିଳାସ ପାଶ୍ୱାନଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍, କଂଗ୍ରେସ ନେତା ଅଭିଷେକ ସିଙ୍ଘ୍ଓ୍ଵି ଏବଂ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ଏବଂ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଡାକ୍ତରଖାନା ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ।
Follow Us