ଆମେରିକୀୟ ପ୍ରଦେଶରେ ପ୍ରଥମ ଭାରତୀୟ-ଆମେରିକୀୟ ଉପରାଜ୍ୟପାଳ ହେଲେ ଅରୁଣା ମିଲର୍‌

Advertisment
ଆମେରିକୀୟ ପ୍ରଦେଶରେ ପ୍ରଥମ ଭାରତୀୟ-ଆମେରିକୀୟ ଉପରାଜ୍ୟପାଳ ହେଲେ ଅରୁଣା ମିଲର୍‌

Image Courtesy of NDTV

ୱାସିଂଟନ୍‌: ଆମେରିକୀୟ ପ୍ରଦେଶ ମେରିଲାଣ୍ଡ୍‌ର ଉପରାଜ୍ୟପାଳ ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହୋଇ ମଙ୍ଗଳବାର ଦିନ ଅରୁଣା ମିଲର୍‌ ପ୍ରଥମ ଭାରତୀୟ-ଆମେରିକୀୟ ରାଜନେତ୍ରୀ ଭାବେ ଇତିହାସ ସୃଷ୍ଟି କରିଛନ୍ତି।

ଆମେରିକାର ରାଜଧାନୀ ସଂଲଗ୍ନ ମେରିଲାଣ୍ଡ୍‌ ହାଉସ୍‌ର ପୂର୍ବତନ ପ୍ରତିନିଧି ୫୮ ବର୍ଷୀୟ ମିଲର୍‌ ‘ଡେମୋକ୍ରାଟିକ୍‌ ପାର୍ଟି’ର ନିର୍ବାଚିତ ରାଜ୍ୟପାଳ ୱେସ୍‌ ମୁର୍‌ଙ୍କ ପକ୍ଷରେ ଥାଇ ଉପରାଜ୍ୟପାଳ ଟିକେଟ୍‌ ପାଇଥିଲେ।

ଗଭର୍ଣ୍ଣର୍‌ ବା ରାଜ୍ୟପାଳ ପରେ ଉପରାଜ୍ୟପାଳ ହେଉଛି ଆମେରିକୀୟ ପ୍ରଦେଶର ସର୍ବୋଚ୍ଚ ସରକାରୀ ପଦବୀ। ଗଭର୍ଣ୍ଣର୍‌ ରାଜ୍ୟ ବାହାରେ ଥିଲେ ବା କ୍ଷମତାଚ୍ୟୁତ ହେଲେ ଉପରାଜ୍ୟପାଳ ତାଙ୍କ ଭୂମିକା ନିର୍ବାହ କରନ୍ତି।

ମଙ୍ଗଳବାର ସନ୍ଧ୍ୟା ‌ବେଳେ ଭୋଟ୍‌ ଗ୍ରହଣ ଶେଷ ହେବା ପରେ ପରେ ମୁର୍‌ ଏବଂ ମିଲର୍‌ ସେମାନଙ୍କ ‘ରିପବ୍ଲିକାନ୍‌’ ପ୍ରତିଦ୍ବନ୍ଦ୍ବିଙ୍କୁ ପରାସ୍ତ କରିଥିବା କଥା ଘୋଷଣା କରାଯାଇଥିଲା।

publive-image Image Courtesy of Times of India

ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପ-ରାଷ୍ଟ୍ରପତି କମଳା ହାରିସ୍‌ ମୁର୍‌ ଓ ମିଲର୍‌ଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ।

ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦରେ ଜନ୍ମିତା ମିଲର୍‌ ୭ ବର୍ଷ ବୟସରେ ପିତାମାତାଙ୍କ ସହିତ ଆମେରିକା ଚାଲିଯାଇଥିଲେ। ନ୍ୟୁୟର୍କରେ ଲାଳିତପାଳିତ ହୋଇଥିବା ଅରୁଣା ‘ମିସୌରି ୟୁନିଭର୍ସିଟି ଅଫ୍‌ ସାଇନ୍‌ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି’ରୁ ସିଭିଲ୍‌ ଇଞ୍ଜିନିୟରିଙ୍ଗ୍‌ରେ ଡିଗ୍ରି ହାସଲ କରିଛନ୍ତି। ୧୯୯୦ରେ ସେ ମେରିଲାଣ୍ଡ୍‌ ଯାଇ ସେଠାକାର ମଣ୍ଟ୍‌ଗୋମେରି କାଉଣ୍ଟିରେ ଏକ ସ୍ଥାନୀୟ ପରିବହନ ବିଭାଗରେ ୨୫ ବର୍ଷ ଧରି କାର୍ଯ୍ୟ କରିଥିଲେ।

ଅରୁଣା ଡେଭିଡ୍‌ ମିଲର୍‌ଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କର ୩ଟି ଝିଅ ଅଛନ୍ତି।

ସେ କହିଛନ୍ତି, ୧୯୭୨ ମସିହାରେ ଏ ଦେଶକୁ ଆସିବା ପରଠାରୁ ଆମେରିକାର ପ୍ରତିଶ୍ରୁତି ରକ୍ଷା ନିମନ୍ତେ ମୁଁ କେବେ କୁଣ୍ଠିତ ହୋଇନାହିଁ। ସମସ୍ତଙ୍କ କ୍ଷେତ୍ରରେ ପ୍ରତିଶ୍ରୁତି ପୂରଣ ଦିଗରେ ସଂଗ୍ରାମ କରିବା ଉଦ୍ୟମରୁ ମୁଁ ବିରତ ହେବିନାହିଁ। ଆମେ ବାସ କରୁଥିବା ମେରିଲାଣ୍ଡ୍‌ରେ କେହି ଯେମିତି ଅନଗ୍ରସର ନ ରୁହନ୍ତି- ଏ ଭଳି ପ୍ରତିବଦ୍ଧତାର ସହିତ ଏହି ପ୍ରତିଶ୍ରୁତିର ଶୁଭାରମ୍ଭ ‌କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe