ମାନ୍ ବିଚରା ଭଲ କାମ କରୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି; ବିମାନରୁ ତଡ଼ା ଖାଇବା ଅଭିଯୋଗ ଉପରେ କେଜ୍ରିୱାଲଙ୍କ ବୟାନ

ମାନ୍ ବିଚରା ଭଲ କାମ କରୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି; ବିମାନରୁ ତଡ଼ା ଖାଇବା ଅଭିଯୋଗ ଉପରେ କେଜ୍ରିୱାଲଙ୍କ ବୟାନ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ବିଚରା ଭଲ କାମ କରୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି। ନିଶାଶକ୍ତ ଅବସ୍ଥାରେ ବିମାନରୁ ତଡ଼ା ଖାଇବା ଅଭିଯୋଗ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏଭଳି ବୟାନ ଦେଇଛନ୍ତି।

ସୂଚନା ମୁତାବକ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ସପ୍ତାହ ପାଇଁ ଜର୍ମାନୀ ଗସ୍ତରେ ଥିଲେ, ଯେଉଁଠାରୁ ସେ ରବିବାର ବିଳମ୍ବିତ ରାତିରେ ଭାରତ ଫେରିଛନ୍ତି। କିନ୍ତୁ ସେ ଫେରିବା ପରେ ପରେ ତାଙ୍କୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଦାବି କରାଯାଉଛି ଯେ, ଅଧିକ ମଦ ପିଇ ଚାଲିପାରୁନଥିବାରୁ ତାଙ୍କୁ ଲୁଫଥାନ୍ସା ବିମାନରୁ ତଡ଼ି ଦିଆଯାଇଥିଲା। ଏହି କାରଣରୁ ସେ ଆଉ ଏକ ବିମାନରେ ଦିଲ୍ଲୀ ଫେରିଥିଲେ। ହେଲେ ଲୁଫଥାନ୍ସା ଗ୍ରୁପ ନିଜ ବିବୃତିରେ କହିସାରିଛି ଯେ, ଭଗୱନ୍ତ ମାନଙ୍କ ପାଇଁ ନୁହେଁ ବରଂ ବିମାନ ପହଞ୍ଚିବାରେ ବିଳମ୍ବ ହେବା ସହ ବିମାନ ପରିବର୍ତ୍ତନ ହେତୁ ଦିଲ୍ଲୀକୁ ବିଳମ୍ବରେ ବିମାନ ଉଡ଼ାଣ କରିଥିଲା। ଏସବୁ ମଧ୍ୟରେ ପ୍ରକୃତ ଘଟଣା ଜାଣିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମାନଙ୍କ ଉପରେ ମଦ୍ୟ ପାନ କରି ବିମାନରେ ଚଢ଼ିଥିବାର ଆରୋପ ଲାଗିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଗତ ୬ମାସ ମଧ୍ୟରେ ମାନ ସାହେବ କରିଥିବା କାର୍ଯ୍ୟ ୭୫ବର୍ଷ ମଧ୍ୟରେ କୌଣସି ସରକାର କରିପାରିନଥିଲେ। ୭୫ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପଞ୍ଜାବକୁ ଜଣେ ପରିଶ୍ରମୀ ଏବଂ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ମିଳିଛି। ୬ମାସ ମଧ୍ୟରେ ୧୦୦ଟି ମୋହଲା କ୍ଲିନିକ୍ ନିର୍ମାଣ, ପଞ୍ଜାବର ଲୋକଙ୍କ ପାଇଁ ବିଦ୍ୟୁତ୍ ମାଗଣା କରିବା, ୧୭ହଜାର ଚାକିରି ଦେବା ଭଳି କାମ ମାନ୍ କରିଛନ୍ତି। ମାନଙ୍କ ବିରୋଧୀ ତାଙ୍କ କାମ ଉପରେ ପ୍ରଶ୍ନ ଉଠାଇ ପାରୁନଥିବାରୁ ତାଙ୍କ ବିରୋଧରେ ଏଭଳି ମିଛ କହୁଛନ୍ତି। ମାନ୍ ବିଚରା ପଞ୍ଜାବର ବିକାଶ ପାଇଁ ଦିନ ରାତି ପରିଶ୍ରମ କରୁଥିବା ବେଳେ ଏଭଳି ମିଥ୍ୟା ଆରୋପ ଲଗାଇ ତାଙ୍କୁ ରୋକିବାକୁ ଚେଷ୍ଟା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe