The Indian Express
ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍ଙ୍କ ଜାମିନ ମାମଲାର ଶୁଣାଣି ଆଜି ବମ୍ବେ ହାଇକୋର୍ଟରେ ହୋଇଛି। ଦୀର୍ଘସମୟ ଧରି ଶୁଣାଣି ଚାଲିଥିଲା। ଉଭୟ ପକ୍ଷ ସେମାନଙ୍କ ଯୁକ୍ତି ବାଢ଼ିଥିଲେ। ତେବେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅର୍ବାଜ ମର୍ଚ୍ଚାଣ୍ଟଙ୍କ ଆଇନଜୀବୀ ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଉଭୟ ୪୫ ମିନିଟ ଲେଖାଏଁ ଶୁଣାଣି ପାଇଁ ସମୟ ମାଗିବାରୁ ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ପୁନର୍ବାର କରିବା ଲାଗି ସ୍ଥିର କରାଯାଇଛି। ଗତମାସ ୮ ତାରିଖରୁ ଆର୍ୟନ ଓ ଅନ୍ୟମାନେ ଏହି ମାମଲାରେ ଆର୍ଥର ରୋଡ୍ ଜେଲ୍ରେ ଅଛନ୍ତି। ଶୁଣାଣି ଆସନ୍ତାକାଲି ପୁଣି ହେବାକୁ ଥିବାରୁ ସେମାନେ ଆସନ୍ତାକାଲି ପର୍ଯ୍ୟନ୍ତ ମଧ୍ୟ ଜେଲ୍ରେ ରହିବେ। ଆସନ୍ତାକାଲି ଅପରାହ୍ଣ ୨ଟା ୩୦ ମିନିଟରେ ଏହି ମାମଲାର ଶୁଣାଣି ହେବ।
ଶୁଣାଣି ବେଳେ ଆର୍ୟନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି ଯୁକ୍ତି ବାଢ଼ିଥିଲେ ଯେ ତାଙ୍କ ମହକିଲ ବେଆଇନ ନିଶା ସାମଗ୍ରୀ ପାଖରେ ରଖି ନଥିଲେ କିମ୍ବା ଖାଇ ନଥିଲେ। ତେଣୁ ତାଙ୍କୁ କାହିଁକି ଜେଲ୍ରେ ୨୦ ଦିନ ଧରି ରଖାଯାଇଛି? ଜାମିନ ମଂଜୁର ପାଇଁ ଯୁକ୍ତି ଦର୍ଶାଇ ରୋହତଗି କହିଥିଲେ ଯେ ଆର୍ୟନଙ୍କ ଇଭେଣ୍ଟ ମ୍ୟାନେଜର ପ୍ରତୀକ ଗାବାଙ୍କ ଦ୍ବାରା ସ୍ବତନ୍ତ୍ର ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ। ଉଭୟ ଆର୍ୟନ ଏବଂ ଅରବାଜ୍ ମର୍ଚ୍ଚାଣ୍ଟ ଜାହାଜରେ ଚଢ଼ିବା ପୂର୍ବରୁ ଅକ୍ଟୋବର ୨ରେ ସେମାନଙ୍କୁ ଧରାଯାଇଥିଲା। ସେମାନଙ୍କ ପାଖରୁ କିଛି ଜବତ କରାଯାଇନାହିଁ। ଆର୍ୟନ ଡ୍ରଗ୍ସ ସେବନ କରିଥିଲେ ବୋଲି ଏନସିବି ପାଖରେ କିଛି ଦର୍ଶାଇବାକୁ ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଅକ୍ଟୋବର ୩ ତାରିଖରେ ତାଙ୍କୁ ଗିରଫ କରାଯାଇ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ତାଙ୍କୁ ଗିରଫ କରିବାର କୌଣସି କାରଣନାହିଁ ବୋଲି ବିଚାରପତି ଏନ୍ ଡବ୍ଲ୍ୟୁ ସାମ୍ବ୍ରେଙ୍କ ଖଣ୍ଡପୀଠରେ ରୋହତଗି କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ଏନସିବି ଅଧିକାରୀମାନେ ପୁଲିସ ଅଧିକାରୀ ହୋଇ ନଥିଲେ ମଧ୍ୟ ସେମାନେ ପୁଲିସ କ୍ଷମତାର ପ୍ରୟୋଗ କରିଛନ୍ତି। ଏନବିସି ଅଧିକାରୀଙ୍କ ନିକଟରେ ଯାହା ମାନିଛନ୍ତି ତାହାକୁ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ସେ କହିଥିଲେ।
ଅଦାଲତରେ ଆବଶ୍ୟକ ସଂଖ୍ୟାଠାରୁ ଅଧିକ ଲୋକ ରହିଥିଲେ। କୋଭିଡ ନିୟମ ଉଲ୍ଲଂଘନ ହେଉଥିବାରୁ ବିଚାରପତି ପ୍ରଥମେ କୋଭିଡ ନିୟମ ପାଳନ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଏଥିସହିତ ଆର୍ୟନଙ୍କ ପାଇଁ ଧାରା ୮ସି, ୨୭ ଏବଂ ୨୦ ବି ଲାଗିଥାନ୍ତା। ତାଙ୍କ ବିରୋଧରେ କାହିଁକି ୨୭ ଏ ଲଗାଯାଇଛି ବୋଲି ରୋହତଗି ଯୁକ୍ତି ବାଢ଼ିଥିଲେ। ଏନସିବି ପକ୍ଷରୁ କୁହାଯାଇଥିଲା ଯେ ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଆର୍ୟନ ଖାନ୍ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟଙ୍କ ଠାରୁ ଡ୍ରଗ୍ସ ସଂଗ୍ରହ କରୁଥିଲେ। ଅନ୍ତର୍ଜାତୀୟ ଡ୍ରଗ୍ସ ନେଟୱାର୍କରେ ଥିବା ବ୍ୟକ୍ତିମାନଙ୍କ ସହିତ ଆର୍ୟନଙ୍କ ସଂପର୍କ ଥିଲା।
Follow Us