ନୂଆଦିଲ୍ଲୀ: ଜେବିଟି (ଜୁନିଅର ବେସିକ୍ ଟ୍ରେନିଂ) ନିଯୁକ୍ତି ସ୍କାମରେ ଦଣ୍ଡ ଭୋଗୁଥିବା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଷ୍ଚ୍ରୀୟ ଲୋକ ଦଳର ପ୍ରମୁଖ ନେତା ଓମ୍ ପ୍ରକାଶ ଚୌଟାଲା ଶୁକ୍ରବାର ଦିନ ଦିଲ୍ଲୀ ତିହାର ଜେଲରୁ ମୁକୁଳିଛନ୍ତି। ଦଣ୍ଡର ଅବଧି ଶେଷ ହେବା ପରେ ଓମ ପ୍ରକାଶ ଚୌଟାଲା ଜେଲରୁ ବାହାରକୁ ଆସିଥିବାର ଜେଲ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୩ ମସିହାରେ ଜେବିଟି ନିଯୁକ୍ତି ସ୍କାମରେ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ଓମ୍ ପ୍ରକାଶ ଚୌଟାଲା । ୨୦୨୦ ମାର୍ଚ୍ଚ ୨୬ରୁ କୋଭିଡ-୧୯ ପ୍ୟାରୋଲରେ ଜେଲରୁ ବାହାରେ ଥିଲେ ଓମ୍ ପ୍ରକାଶ। ୨୦୨୧ ଫେବ୍ରୁଆରି ୨୧ରେ ତାଙ୍କୁ ଆତ୍ମସର୍ମପଣ କରିବାର ଥିଲା। କିନ୍ତୁ ହାଇକୋର୍ଟ ପ୍ୟାରୋଲର ଅବଧିକୁ ବୃଦ୍ଧି କରି ଦେଇଥିଲେ। ଏହାପରେ ଆଜି ୯.୩୦ରେ ଓମ୍ ପ୍ରକାଶ ତିହାର ଜେଲ ପହଞ୍ଚିଥିଲେ। ସେଠାରେ ତାଙ୍କର ଜେଲରୁ ମୁକୁଳିବାର କାଗଜ ପତ୍ର କାମର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାପରେ ସେ ଜେଲରୁ ବାହାରକୁ ଆସିଥିଲେ। ଏହି ସମୟରେ ତାଙ୍କ ନାତି କର୍ଣ୍ଣ ଚୌତାଲ ତାଙ୍କ ସହ ଉପସ୍ଥିତ ଥିଲେ।
ଦିଲ୍ଲୀ-ହରିୟାଣା ସୀମାରେ ଭାରତୀୟ ରାଷ୍ଟ୍ରୀୟ ଲୋକ ଦଳର ଅନେକ ନେତା ଓ ସମର୍ଥକ ତାଙ୍କ ସ୍ବାଗତ ପାଇଁ ପହଞ୍ଚିଥିଲେ। ସମସ୍ତେ ମିଶି ତାଙ୍କୁ ଗାଡ଼ିକୁ ପାଛୋଟି ନେବା ସହିତ ଗୁରୁଗ୍ରାମ ଅଭିମୁଖେ ବାହାରିଥିଲେ ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲା।
Follow Us