Image Courtesy of The Economics Times
ନୂଆଦିଲ୍ଳୀ: ଭାରତ ସରକାର ପାକିସ୍ତାନକୁ କୋଭିଡ୍-୧୯ ଟିକା ଯୋଗାଣ କରିବେ କି ନାହିଁ ସେ ନେଇ ସମସ୍ତଙ୍କ ମନରେ ସନ୍ଦେହ ରହିଥିବା ବେଳେ ଶୁକ୍ରବାର କେନ୍ଦ୍ର ସରକାର ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ପାକିସ୍ତାନରୁ ଏଯାବତ୍ ଟିକା ଯୋଗାଣ ପାଇଁ କୌଣସି ଅନୁରୋଧ ହୋଇନାହିଁ ବୋଲି ସରକାର ଜଣାଇଛନ୍ତି।
ଏବେ ସୁଦ୍ଧା ଭାରତ ନିର୍ମିତ କରୋନା ଟିକା କୋଭିସିଲ୍ଡକୁ ବାଂଲାଦେଶ, ନେପାଳ, ମିଆଁମାର୍, ଭୁଟାନ ଏବଂ ମାଳଦୀପକୁ ଟିକା ଯୋଗାଣ ହୋଇ ସାରିଛି। ଆଫ୍ଗାନିସ୍ତାନ ଓ ଶ୍ରୀଲଙ୍କା ପକ୍ଷରୁ ଅନୁରୋଧ କରାଯିବା ପରେ ଏହି ଦୁଇ ଦେଶକୁ ମଧ୍ୟ କୋଭିସିଲ୍ଡ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏ ନେଇ ସୂଚନା ଦେଇ କହିଛନ୍ତି କି ‘ପାକିସ୍ତାନ ପକ୍ଷରୁ ଟିକା ପାଇଁ କୌଣସି ପ୍ରକାର ଅନୁରୋଧ ଆସିଥିବା ମୁଁ ଜାଣେ ନାହିଁ।’
ଉଲ୍ଲେଖଯୋଗ୍ୟ, ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ବ୍ୟବସାୟିକ ଭିତ୍ତିରେ କରୋନା ଟିକା ପଠାଇ ସାରିଛି ଭାରତ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ଓ ଭାରତର ସେରମ ଇନଷ୍ଟିଚ୍ୟୁଟରେ ଉତ୍ପାଦିତ କୋଭିସିଲ୍ଡ କରୋନା ଟିକା ଅନ୍ୟ ଦେଶକୁ ପଠାଯାଉଛି । ବିଶ୍ୱର ସର୍ବାଧିକ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟକୁ ଏହି କୋଭିସିଲ୍ଡ ଟିକା ଯୋଗାଇବା ପାଇଁ ବିଭିନ୍ନ ଦେଶରୁ କାର୍ଯ୍ୟାଦେଶ ମିଳିଛି । ପ୍ରଥମ ପର୍ଯ୍ୟାୟରେ ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ଟିକା ପଠାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ମଧ୍ୟ ଭାରତରେ ନିର୍ମିତ ଟିକା ପଠାଯିବାର ଅଛି ବୋଲି ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।
Follow Us