ଫିଲିପ୍ପିନ୍‌ସ୍‌ରେ ଆଗ୍ନେୟଗିରି ଉଦ୍‌ଗୀରଣ; ପାଉଁଶମୟ ହୋଇଗଲା ସହର

Advertisment
ଫିଲିପ୍ପିନ୍‌ସ୍‌ରେ ଆଗ୍ନେୟଗିରି ଉଦ୍‌ଗୀରଣ; ପାଉଁଶମୟ ହୋଇଗଲା ସହର

Image Courtesy of India Today

ମାନିଲା: ରବିବାର ଦିନ ଫିଲିପ୍ପିନ୍‌ସ୍‌ର ପୂର୍ବ ପ୍ରାନ୍ତରେ ଗୋଟାଏ ଆଗ୍ନେୟଗିରିରୁ ପ୍ରକାଣ୍ଡ କଳାବଉଦ ଉଦ୍‌ଗୀରଣ ହୋଇ ୨ଟି ସହରରେ ଥିବା ୧୦ଟି ଗାଁ ପାଉଁଶରେ ପୋତି ହୋଇଯିବାରୁ ଲୋକମାନଙ୍କୁ ସ୍ଥାନାନ୍ତରଣ କରିବାକୁ ପଡ଼ିଥିଲା। ସେଠାରେ ଆହୁରି ଉଦ୍‌ଗୀରଣ ହେବାର ଆଶଙ୍କା ଅଛି ବୋଲି ସରକାରୀ ଅଧିକାରୀମାନେ ସତର୍କ କରାଇ ଦେଇଛନ୍ତି।

ସୋର୍ସୋଗୋନ୍‌ ପ୍ରଦେଶର ମଫସଲ ଅଞ୍ଚଳରେ ଥିବା ବୁଲୁସାନ୍‌ ଆଗ୍ନେୟଗିରିରେ ସଂଘଠିତ ଉକ୍ତ ବିସ୍ଫୋରଣ ପ୍ରାୟ ୧୭ ଘଣ୍ଟା ଧରି ଚାଲିବା ସହ ଅନ୍ୟୂନ ୧ କିଲୋମିଟର୍‌ ଊର୍ଦ୍ଧ୍ବକୁ ଧୂସର ଧୂଆଁ-ବଉଦ ଉଠିଥିଲା ବୋଲି ‘ଫିଲିପ୍ପିନ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭଲ୍‌କାନୋଲୋଜି ଆଣ୍ଡ୍‌ ସିସ୍‌ମୋଲୋଜି’ (ଫିଭଲ୍‌କ୍‌ସ୍‌) କହିଛି।

‘ଫିଭଲ୍‌କ୍‌ସ୍‌’ର ମୁଖ୍ୟ ରିନାଟୋ ସଲିଡିୟୁମ୍‌ ଗଣମାଧ୍ୟମକୁ କହିଛନ୍ତି, ଭୂତଳ ଗହ୍ବରରେ ଥିବା ଫୁଟନ୍ତା ପାଣି ଯୋଗୁଁ ବୁଲୁସାନ୍‌ ଆଗ୍ନେୟଗିରିରେ ବିସ୍ଫୋରଣ ଘଟି ପାଉଁଶ ଉଦ୍ଗୀରଣ ହୋଇଛି।

publive-image Image Courtesy of Channels Television

ପାଉଁଶ ପଡ଼ିବାରୁ ୨ଟି ସହରରେ ଥିବା ୧୦ ଗାଁ ପ୍ରଭାବିତ ହୋଇଥିବା କଥା ସୋର୍ସୋଗନ୍‌ର ସ୍ଥାନୀୟ ସରକାର କହିଛନ୍ତି। ଉଦ୍‌ଗୀରଣ ପରେ ଉତ୍ତୋଳିତ ଫଟୋରେ ଦେଖାଯାଉଛି, ଜୁବାନ୍‌ ନଗରୀର ଘର, ରାସ୍ତା ଓ ଗଛବୃଚ୍ଛ ପାଉଁଶରେ ଆବୃତ ହୋଇଯାଇଛି। ଦୃଶ୍ୟତା ହ୍ରାସ ଯୋଗୁଁ ଯାନବାହନ ସବୁ ବାଟବଣା ହୋଇଯାଉଛନ୍ତି।

ସମ୍ପୃକ୍ତ ଅଞ୍ଚଳଗୁଡ଼ିକୁ ପରିଷ୍କାର କରିବା ପାଇଁ ଦମକଳ ବାହିନୀର ଟ୍ରକ୍‌ ମୁତୟନ କରାଯାଇଛି। ରାସ୍ତାଘାଟରୁ ସ୍ଥାନୀୟ ଅଧିବାସୀମାନେ ପାଉଁଶ ଖରକୁଛନ୍ତି।  ବରିଷ୍ଠ ନାଗରିକ ଓ ଶ୍ବାସ ରୋଗରେ ପୀଡ଼ିତ ଥିବା ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯାଉଛି ବୋଲି ଜୁବାନ୍‌ ବିପର୍ଯ୍ୟୟ ଅଧିକାରୀ ଡେନିସ୍‌ ଡେସ୍‌ପାବିଲା‌ଡିରାସ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe