ବିକଶିତ ଓଡ଼ିଶା ଗଠନ ପାଇଁ ଅସୀମ ଓଡ଼ିଶାର ବୈଠକ

ବିକଶିତ ଓଡ଼ିଶା ଗଠନ ପାଇଁ ଅସୀମ ଓଡ଼ିଶାର ବୈଠକ

ବେଙ୍ଗାଲୁରୁ : ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ବେଳକୁ ଅର୍ଥାତ୍‌ ୨୦୩୬ ମସିହା ବେଳକୁ ଓଡ଼ିଶାକୁ ଏକ ବିକଶିତ ପ୍ରଦେଶ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ନେଇ ବେଙ୍ଗାଲୁରୁଠାରେ ‘ଅସୀମ ଓଡ଼ିଶା’ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କ ଏହି ଶୀର୍ଷ ସଂଗଠନ ରାଜ୍ୟର ସର୍ବାଙ୍ଗୀନ ଉନ୍ନୟନ ସକାଶେ ପ୍ରବାସୀ ଓଡ଼ିଆମାନଙ୍କୁ ଏକଜୁଟ୍‍ କରିବାର ପ୍ରୟାସ ଲଗାତାର ଭାବେ ଜାରି ରଖିଛି। ଅଧିବେଶନରେ ସାରା ଦେଶରୁ ଓଡ଼ିଆ ସମ୍ପ୍ରଦାୟର ତୁଙ୍ଗ ନେତା ଏବଂ ବିଶିଷ୍ଟ ପ୍ରବାସୀ ଓଡ଼ିଆମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।

ବୈଠକକୁ ସମ୍ବୋଧନ କରି ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ ଜେନା, ଓଡ଼ିଶାରେ ଅସୀମ ଓଡ଼ିଶାର କାର୍ଯ୍ୟକ୍ଷେତ୍ରକୁ ବ୍ୟାପକ ଭାବେ ବିସ୍ତାର କରାଯିବା ଉପରେ ଜୋର୍‍ ଦେଇଥିଲେ। ବିଶେଷକରି କୋଭିଡ୍‍ ମହାମାରୀ ପରବର୍ତ୍ତୀ କାଳରେ ରାଜ୍ୟର କୋଣ ଅନୁକୋଣରେ ଜନସମ୍ପର୍କ ଏବଂ ସମାଜସେବା କରିବା ନେଇ ଅସୀମ ଓଡ଼ିଶା ସାମ୍ନାରେ ଭରପୂର ସୁଯୋଗ ରହିଥିବା ଶ୍ରୀ ଜେନା ଦର୍ଶାଇଥିଲେ। ଅସୀମ ଓଡ଼ିଶାର ମୁଖ୍ୟ ପ୍ରୋତ୍ସାହକ ନିହାର ସାମନ୍ତରା ସଂଗଠନର ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଓଡ଼ିଶାର ନବନିର୍ମାଣ ଏବଂ ନୂଆ ଓଡ଼ିଶା ଗଠନ ନେଇ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ନିରଞ୍ଜନ ମିଶ୍ର, ଶ୍ବେତା ରାଜଗୁରୁ, ମନୋଜ ପାତ୍ର, ବସନ୍ତ ରାଉଳ, ମଞ୍ଜୁ ରାଉଳ ଏବଂ ଟି.ଏମ୍‍. ସୁନ୍ଦରେଶନ ପ୍ରମୁଖ ଉପସ୍ଥିତ ଥିଲେ। ଅସୀମ ଓଡ଼ିଶାର ପରିଚାଳନା ଟ୍ରଷ୍ଟି ବିଚାରପତି ଜଗନ୍ନାଥ ପ୍ରସାଦ ଉଦ୍‍ଗାତା, ମୁଖ୍ୟ ସଂଯୋଜକ କିଶୋର ଦ୍ୱିବେଦୀ, କାର୍ଯ୍ୟନିର୍ବାହୀ ସମ୍ପାଦକ ହରପ୍ରସାଦ ମହାପାତ୍ର ଓ ଟ୍ରଷ୍ଟି କାମାକ୍ଷା ପଣ୍ଡା ପ୍ରମୁଖ ଅନ୍‍ଲାଇନ୍‌ ଜରିଆରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe