ଆସାମ: ସୋସିଆଲ ମିଡିଆରେ ଆସାମର ଦୁଇଜଣ ମହିଳା ପୁଲିସ କନେଷ୍ଟବଳଙ୍କ ଫଟୋ ବେଶ୍ ଭାଇରାଲ ହୋଇଛି। ଫଟୋରେ ମାତୃତ୍ୱର ଏକ ଅଲଗା ପରିଚୟ ଦେଖିବାକୁ ମିଳୁଛି। ଏହି ଫଟୋରେ ଦୁଇ ମହିଳା ଖାକି ପୋଷାକ ପିନ୍ଧି ହାତରେ ଦୁଇ କୁନି ଶିଶୁଙ୍କୁ ଧରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି, ଯାହାକି ଅତ୍ୟନ୍ତ ହୃଦୟସ୍ପର୍ଶୀ ରହିଛି।
ସୂଚନାଯୋଗ୍ୟ, ଦାରାଙ୍ଗ ଜିଲ୍ଲାରେ ନଭେମ୍ବର ୧୦ରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ଦେବା ପାଇଁ ଦୁଇଜଣ ଶିକ୍ଷୟିତ୍ରୀ ନିଜ ଶିଶୁଙ୍କୁ ଧରି ଆସିଥିଲେ। ପରୀକ୍ଷା ହଲକୁ ଯିବା ପୂର୍ବରୁ ଦୁଇଜଣ ଶିକ୍ଷୟିତ୍ରୀ ଦୁଇ ମହିଳା କନେଷ୍ଟବଳଙ୍କୁ ନିଜ ଶିଶୁଙ୍କୁ ଧରାଇ ଭିତରକୁ ପରୀକ୍ଷା ଦେବାକୁ ନିଶ୍ଚିନ୍ତରେ ଚାଲି ଯାଇଥିଲେ। ସେମାନେ ଆସିବା ପର୍ଯ୍ୟନ୍ତ ଶିଶୁର ଖୁବ୍ ଯତ୍ନ ନେଇଥିଲେ ଏହି ମହିଳା କନେଷ୍ଟବଳ।
ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଡିୟୁଟି ସହିତ ଦୁଇଜଣ ପୁଲିସ କର୍ମଚାରୀଙ୍କ ଏଭଳି କାମ ବେଶ୍ ପ୍ରଶଂସା କରାଯାଇଛି। ପୋଷ୍ଟ କରିବା ପରଠାରୁ ଏହି ଫଟୋ ଭାଇରାଲ ହେବାରେ ଲାଗିଛି।
Follow Us