Image Courtesy of Hindustan Times
ଗୌହାଟି: ସେପ୍ଟେମ୍ବର ମାସରେ ଗୋଟାଏ ମାଈହାତୀ ଏବଂ ତା’ର ଛୁଆକୁ ଚାପି ମାରି ପକାଇଥିବା ଏକ ରେଳ ଇଞ୍ଜିନ୍କୁ ଆସାମ ବନ ବିଭାଗ ଅଧିକାରୀମାନେ ଜବତ କରିଛନ୍ତି।
ସେପ୍ଟେମ୍ବର ୨୬ ତାରିଖ ରାତିରେ ଆସାମର ହୋଜାଇ ଜିଲ୍ଲା ଅନ୍ତର୍ଗତ ଲୁମଡିଙ୍ଗ୍ରେ ଗୋଟାଏ ଦ୍ରୁତଗାମୀ ମାଲଗାଡ଼ି ଚାପାରେ ହାତୀ ଦୁଇଟି ମରିଥିଲେ। ହାତୀମାନେ ରେଳ ଧାରଣା ପାରି ହେଉଥିବା ବେଳେ ପଥରଖୋଲା ରେଳ ଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଆସାମର ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ୍ ଏମ୍.କେ. ଯାଦବ କହିଛନ୍ତି, ରେଳଧାରଣା ମୃତ୍ୟୁ ସହ ଜଡ଼ିତ ଘଟଣାରେ ରେଳ ଇଞ୍ଜିନ୍ ଜବତ ହେବାରେ ଏହା ବୋଧହୁଏ ଦେଶର ପ୍ରଥମ ଘଟଣା।
ଗୌହାଟିସ୍ଥିତ ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ବନୁନିମୈଦାନ ଲୋକୋମୋଟିଭ୍ ସେଡ୍ରୁ ମଙ୍ଗଳବାର ଦିନ ବନ ଅଧିକାରୀମାନେ ସେ ଇଞ୍ଜିନ୍ଟିକୁ ଜବତ କରିଛନ୍ତି।
Image Courtesy of Gulf Timesପୂର୍ବରୁ ଏହି ଘଟଣାର ଅଭ୍ୟନ୍ତରୀଣ ତଦନ୍ତ ସମୟରେ ରେଳ କର୍ତ୍ତୃପକ୍ଷମାନେ ଉକ୍ତ ଟ୍ରେନ୍ର ପାଇଲଟ୍ ଏବଂ ସହକାରୀ ପାଇଲଟ୍ଙ୍କୁ ନିଲମ୍ବିତ କରିଥିଲେ।
ଯାଦବ କହିଛନ୍ତି, ରେଳ କର୍ତ୍ତୃପକ୍ଷମାନଙ୍କ ବିପକ୍ଷରେ ‘ପ୍ରଭିଜନ୍ସ୍ ଅଫ୍ ୱାଇଲ୍ଡ୍ଲାଇଫ୍ (ପ୍ରୋଟେକ୍ସନ୍) ଆକ୍ଟ୍, ୧୯୭୨ ଲାଗୁ କରାଯିବ। ଜବତ ରେଳ ଇଞ୍ଜିନକୁ ଏହି ମାମଲାର ପ୍ରମାଣ ଭାବେ ବ୍ୟବହାର କରାଯିବ।
ବନ ଅଧିକାରୀମାନେ କହିଛନ୍ତି ଯେ, ଏଡ଼େ ଜୋର୍ରେ ଧକ୍କା ବାଜି ଥିଲା ଯେ, ରେଳ ଇଞ୍ଜିନ୍ ବ୍ରେକ୍ ମାରିବା ପୂର୍ବରୁ ଦେଢ଼ ବର୍ଷର ଛୁଆହାତୀଟି ପ୍ରାୟ ଏକ କିଲୋମିଟର୍ ଘୋଷାଡ଼ି ହୋଇ ଯାଇଥିଲା।
ଲୁମଡିଙ୍ଗ୍ ଉପଖଣ୍ଡ ବନ ଅଧିକାରୀ ପୁଲକ ଚୌଧୁରୀ କହନ୍ତି, ଦୁର୍ଘଟଣା ଘଟିଥିବା ସ୍ଥାନଟି ହାତୀ କରିଡର୍ ମଧ୍ୟରେ ଆସୁଥିବାରୁ ସେ ଅଞ୍ଚଳରେ ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ରେଳ ଚଳାଇବା ଲାଗି ରେଳ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇ ଦିଆଯାଇଥିଲା। କିନ୍ତୁ, ଘଣ୍ଟାପ୍ରତି ପ୍ରାୟ ୬୦ କିଲୋମିଟର ବେଗରେ ରେଳ ଚାଲୁଥିବାରୁ ଦୁର୍ଘଟଣା ଘଟିଥିବା କଥା ଅଭ୍ୟନ୍ତରୀଣ ତଦନ୍ତରୁ ଜଣାପଡ଼ିଛି। ଆମେ ପୁଲିସରେ ଅଭିଯୋଗ କରିବା ସହ ନିଜେ ମଧ୍ୟ ପୃଥକ୍ ତଦନ୍ତ ଚଳାଇଛୁ।
Follow Us