Image Courtesy of The Assam Tribune
ଗୌହାଟୀ: ଗୌହାଟୀର ଚାନ୍ମାରି ଅନ୍ତର୍ଗତ କୃଷ୍ଣନଗରସ୍ଥିତ ‘ହୋଲି ଚାଇଲ୍ଡ୍ ସ୍କୁଲ୍’ର ଦ୍ବାଦଶ ଶେଷ ବାର୍ଷିକୀ ଛାତ୍ରୀ ଆରନି ଏସ୍. ହଜାରିକା ଇଂଲଣ୍ଡସ୍ଥିତ ବିଶ୍ବ ବିଖ୍ୟାତ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଅଣ୍ଡର୍ଗ୍ରାଜୁଏଟ୍ ପଢ଼ିବା ଲାଗି ସ୍ଥାନ ପାଇ ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି।
୧୨୬୩ରେ ସ୍ଥାପିତ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପରିସରଭୁକ୍ତ ଅନ୍ୟତମ ପ୍ରତିଷ୍ଠାନ ‘ଦି ବେଲିଅଲ୍ କଲେଜ୍’ ସଂସ୍କୃତ ପଢ଼ିବା ଲାଗି ଆରନିଙ୍କ ପାଇଁ ସସର୍ତ୍ତ ସିଟ୍ ଗ୍ୟାରେଣ୍ଟି ଦେଇଛି।
ସୂଚନାଯୋଗ୍ୟ, ପ୍ରତିବର୍ଷ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୫୦୦୦ ଶୀକ୍ଷାର୍ଥୀ ଅଣ୍ଡର୍ଗ୍ରାଜୁଏଟ୍ ପାଠ୍ୟକ୍ରମ ପାଇଁ ଏହି ପ୍ରତିଷ୍ଠାନକୁ ଆବେଦନ କରନ୍ତି। ସେଥିରୁ ମେଧା ଆଧାରରେ ମାତ୍ର ୪୦୦୦ ଭଳି ଶିକ୍ଷାର୍ଥୀଙ୍କୁ ଚୟନ କରାଯାଇ ନାଁ ଲେଖାଇବାକୁ ସୁଯୋଗ ମିଳେ।
କଲେଜ ତରଫରୁ ହୋଇଥିବା କଠିନ ଅନ୍ଲାଇନ୍ ସାକ୍ଷାତ୍କାରରେ ୧୭ ବର୍ଷୀୟ ଆସାମୀ ସ୍କୁଲ୍ ବାଳିକା ଆରନି ଅସାଧାରଣ ମେଧା ପ୍ରଦର୍ଶନ କରିଛନ୍ତି। ଆଗାମୀ ଅକ୍ଟୋବର ମାସରେ ଆରମ୍ଭ ହେବାକୁ ଥିବା ଶିକ୍ଷାବର୍ଷରେ ଆରନି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ହିନ୍ଦୁବାଦ ସମେତ ସଂସ୍କୃତରେ ୩ ବର୍ଷିଆ ସ୍ନାତକ ଡିଗ୍ରି ଅଧ୍ୟୟନ କରିବେ।
  
 Follow Us