Image Courtesy of India Today
ନଗାଁଓ: ଦରଦାମ ବୃଦ୍ଧି ଉପରେ ପଥପ୍ରାନ୍ତ ନାଟକ ମଞ୍ଚସ୍ଥ କରିବା ନିମନ୍ତେ ଭଗବାନ ଶିବଙ୍କ ବେଶରେ ମୋଟର୍ସାଇକେଲ୍ ଚଳାଇ ଯାଉଥିବା ଜଣେ ଆସାମୀ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
ସଂଗୃହୀତ ସୂଚନା ଅନୁସାରେ, ନରେନ୍ଦ୍ର ମୋଦୀଙ୍କ ସରକାର ଶାସନ କ୍ଷମତାରେ ଥିବା ବେଳେ ଇନ୍ଧନ, ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜିନିଷପତ୍ରର ଦରଦାମ୍ ବୃଦ୍ଧି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବା ଲାଗି ଶନିବାର ସନ୍ଧ୍ୟାରେ ବିରିଞ୍ଚି ବୋରା ନାମକ ଜଣେ ବ୍ୟକ୍ତି ଦେବୀ ପାର୍ବତୀ ସାଜିଥିବା କରିଶ୍ମା ନାମ୍ନୀ ଜଣେ ଅଭିନେତ୍ରୀଙ୍କ ସହିତ ପଥପ୍ରାନ୍ତ ନାଟକ ଆୟୋଜନ କରିଥିଲେ। ଦୁହେଁ ଗୋଟାଏ ମୋଟର୍ସାଇକେଲ୍ରେ ଆସି ନଗାଁଓ କଲେଜ ଛକରେ ପହଞ୍ଚି ଯାନବାହନରୁ ଇନ୍ଧନ ସରିଯିବା ଘଟଣା ଉପରେ ଆଧାରିତ ନାଟକ ମଞ୍ଚସ୍ଥ କରୁଥିଲେ।
Image Courtesy of India Todayପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି ଶିବବେଶ ଧାରଣ କରିଥିବା ଅଭିନେତା ବୋରା କହିଲେ ଯେ, ସାଧାରଣ ଜନତାଙ୍କ ସମସ୍ୟା ପ୍ରତି ଧ୍ୟାନ ନ ଦେଇ ସରକାର କେବଳ ପୁଞ୍ଜିପତିମାନଙ୍କ ସ୍ବାର୍ଥ ରକ୍ଷା ନିମନ୍ତେ କାର୍ଯ୍ୟ କରୁଛନ୍ତି। ଏହାପରେ ସେ ଦେଖଣାହାରିମାନଙ୍କୁ ନିବେଦନ କରି କହିଥିଲେ କି, ସେମାନେ ମୁଦ୍ରାସ୍ଫିତି ବିରୋଧରେ ପ୍ରତିବାଦ କରିବା ଲାଗି ରାସ୍ତା ଉପରକୁ ଚାଲି ଆସନ୍ତୁ।
ପରେ ପରେ, ଦୁହେଁ ବଡ଼ ବଜାର ଯାଇ ସେଠାରେ ମଧ୍ୟ ଉକ୍ତ ପଥପ୍ରାନ୍ତ ନାଟକ ପରିବେଶଣ କରିଥିଲେ। ସେତେବେଳେ ଦୁହେଁ ‘ବିଶ୍ବ ହିନ୍ଦୁ ପରିଷଦ୍’ ଏବଂ ‘ବଜରଙ୍ଗ ଦଳ’ କର୍ମୀଙ୍କ ନଜରରେ ପଡ଼ିଥିଲେ। ସେମାନେ ଦୁହିଁଙ୍କୁ ସମାଲୋଚନା କରିବା ସହ ହିନ୍ଦୁମାନଙ୍କ ଧାର୍ମିକ ଭାବାବେଗକୁ ଆଘାତ ଦେଉଛନ୍ତି ବୋଲି ଦୋଷାରୋପ କରିଥିଲେ।
ସେମାନେ ନଗାଁଓ ସଦର ଥାନାରେ ଅଭିଯୋଗ କରିବା ପରେ ବୋରାଙ୍କୁ ଗିରଫ କରାଯାଇଥିଲା।
Follow Us