ଆସାମ-ମିଜୋରାମ ସୀମା ବିବାଦ: ସୁପ୍ରିମକୋର୍ଟ ଯିବେ ଆସାମ ସରକାର

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା

ଆସାମ-ମିଜୋରାମ ସୀମା ବିବାଦ: ସୁପ୍ରିମକୋର୍ଟ ଯିବେ ଆସାମ ସରକାର

ନୂଆଦିଲ୍ଲୀ: ଆସାମ-ମିଜୋରାମ ସୀମା ବିବାଦ ଘନଉଛି। ଗତ ସୋମବାର ଦିନ ସୀମାରେ ହୋଇଥିବା ହିଂସା ଘଟଣାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ମିଜୋରାମର ଏକ ଛାତ୍ର ସଂଗଠନ ମିଜୋ ଜିର୍‌ଲାଇ ପୌଲ୍‌ ଦ୍ବାରା ଆସାମ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଏହାବାଦ୍‌ ମାମଲାରେ ୨୦୦ ଅଜଣା ବ୍ୟକ୍ତିଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୩୦୭ ଅଧୀନରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏବଂ ୨୦୦ ଆସାମ ପୁଲିସଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଆସାମର ବାରାକ୍‌ ଭ୍ୟାଲିର ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାପାଇଁ ନିଷ୍ପତ୍ତି‌ ନେଇଛନ୍ତି।

ମିଜୋରାମ କୋଲାସିବ ଜିଲ୍ଲା ଏସ୍‌ପିଙ୍କର ଗତ ସୋମବାର ହୋଇଥିବା ସଂଘର୍ଷରେ ଭୂମିକା ରହିଥିବାରୁ ତାଙ୍କ ବିରୋଧରେ ବାରାକ୍‌ ଭ୍ୟାଲି ବିଧାୟକମାନେ ସୁପ୍ରିମକୋର୍ଟ ଯିବେ। ସେହିପରି ମିଜୋରାମର କାର୍ଯ୍ୟକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଶର୍ମା ସିଲ୍‌ଚରରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ରାସ୍ତା ନିର୍ମାଣ ଏବଂ ପୋଡ଼ୁ ଚାଷ ପାଇଁ ଜଙ୍ଗଲ ସଫା କରାଯାଉଛି। କିନ୍ତୁ ଏଭଳି କାର୍ଯ୍ୟକୁ ଅନୁମତି ମିଳିବ ନାହିଁ। ଜଙ୍ଗଲ ସୁରକ୍ଷା ପାଇଁ ଆମେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ‌ହେବୁ ବୋଲି ଶର୍ମା କହିଛନ୍ତି। ମୁଖ୍ୟମନ୍ତ୍ରୀ ଶର୍ମାଙ୍କ କହିବା ଅନୁଯାୟୀ ଜମିକୁ ନେଇ ବିବାଦ ହୋଇନାହିଁ ବରଂ ସଂରକ୍ଷିତ ଜଙ୍ଗଲ ଜମିର ଜବରଦଖଲକୁ ନେଇ ବିବାଦ ହୋଇଛି। ଆସାମ ସରକାର କଚର, କରିମଗରଂଜ ଏବଂ ହୈଲାକଣ୍ଡି ଜିଲ୍ଲାରେ ୩ କମାଣ୍ଡୋ ବାଟାଲିଅନ୍‌ ମୁତୟନ କରିବେ ବୋଲି ଶର୍ମା କହିଛନ୍ତି।

ଆସାମ ସରକାର ଏହାର ନାଗରିକଙ୍କୁ ମିଜୋରାମ ଗସ୍ତ ପାଇଁ ବାରଣ କରି ଏକ ନିର୍ଦ୍ଦେଶାବଳି ଜାରି କରିଥିବାରୁ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଏନେଇ ଏକ ଟିପ୍ପଣୀ ରଖିଛନ୍ତି। ଜୋରାମଥାଙ୍ଗା କହିଛନ୍ତି, ରାଜ୍ୟକୁ ପ୍ର‌ବେଶ କରୁଥିବା ଅଣ ମିଜୋମାନଙ୍କର କୌଣସି କ୍ଷତି ହେବନାହିଁ ଏବଂ ଏ ବାବଦରେ କୌଣସି କଟକଣା ମଧ୍ୟ ରହିବନି। ତେବେ ସୀମା ସୁରକ୍ଷା ପାଇଁ ଆମେ ପୁଲିସ ମୁତୟନ ବ୍ୟବସ୍ଥା ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe