India Today
ଗୁଆହାଟି: ନାଗରିକତା (ସଂଶୋଧନ) ଆଇନ୍କୁ ବିରୋଧ ପ୍ରଦର୍ଶନ କରିବା ଆସାମର ଜନୈକା ସ୍କୁଲ ଶିକ୍ଷୟିତ୍ରୀଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି କାରଣ ପାଇଁ ସଂପୃକ୍ତା ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି କର୍ତ୍ତୃପକ୍ଷ।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଆସାମର ଜୋରହାଟ ଜିଲ୍ଲାରେ ଥିବା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳନାଧୀନ ଜବାହର ନବୋଦୟ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ରୂପେ ନିଯୁକ୍ତ ଥିଲେ ବନ୍ଦିତା ବୋରା। ତେବେ, ନାଗରିକତା (ସଂଶୋଧନ) ବିଲ୍ ସଂସଦର ମଞ୍ଜୁରି ପାଇ ଆଇନ୍ରେ ପରିଣତ ହେବା ପରେ ନାଗରିକତା (ସଂଶୋଧନ) ଆଇନ୍କୁ ବିରୋଧ କରି ଆସାମରେ ପ୍ରବଳ ବିଦ୍ରୋହ ଓ ଆନ୍ଦୋଳନ ହୋଇଥିଲା। ନାଗରିକତା (ସଂଶୋଧନ) ଆଇନ୍କୁ ବିରୋଧ କରି ଆସାମର ସହସ୍ରାଧିକ ଜନତା ରାଜରାସ୍ତାକୁ ଓହ୍ଲାଇ ଆସିବା ସହ ଏହି ନୂତନ ଆଇନକୁ ବିରୋଧ କରି ଆନ୍ଦୋଳନ ପ୍ରଦର୍ଶନ ମଧ୍ୟ କରିଥିଲେ।
India Todayନାଗରିକତା (ସଂଶୋଧନ) ଆଇନ୍କୁ ବିରୋଧ କରି ଆସାମରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ଯାଇ ଜୋରହାଟ ଜିଲ୍ଲାର ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ ବନ୍ଦିତା ବୋରା ମଧ୍ୟ ନିଜକୁ ଏହି ଆନ୍ଦୋଳନରେ ସାମିଲ କରାଇଥିଲେ। ଆନ୍ଦୋଳନ କାଳରେ ଶିକ୍ଷୟିତ୍ରୀ ବନ୍ଦିତା ବୋରା ନାଗରିକତା (ସଂଶୋଧନ) ଆଇନ୍କୁ ବିରୋଧ କରି ଭାଷଣ ମଧ୍ୟ ଦେଇଥିଲେ।
ତେବେ, ଏକ ସରକାରୀ ସ୍କୁଲର ଶିକ୍ଷୟିତ୍ରୀ ହୋଇ ବନ୍ଦିତା ବୋରା ସରକାରଙ୍କ ଆଇନ୍କୁ ବିରୋଧ କରି ଆନ୍ଦୋଳନରେ ସାମିଲ ହେବା ଘଟଣା ଆସାମ ଚାକିରି ସର୍ତ୍ତାବଳୀର (ଅନୁଶାସନ ଓ ଅପିଲ) ନିୟମ ୧୯୬୪ର ଧାରା ୮କୁ ଉଲ୍ଲଂଘନ କରିଥିବା ଦର୍ଶାଇ କର୍ତ୍ତୃପକ୍ଷ ଶିକ୍ଷୟିତ୍ରୀ ବୋରାଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ତେବେ, ଶିକ୍ଷୟିତ୍ରୀ ବୋରାଙ୍କୁ ଚାକିରିରୁ ବହିଷ୍କୃତ କରାଯିବା ଘଟଣାକୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଘୋର ବିରୋଧ କରିଥିବା ବେଳେ ଏହାକୁ କେନ୍ଦ୍ର କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି।
Follow Us