ଆସାମ ଚୁକ୍ତିକୁ ସ୍ୱୀକୃତି ମାମଲା: ନାଗରିକତା ଆଇନର ବୈଧତା ବଜାୟ ରହିଲା

Advertisment

୧୯୬୬ ଜାନୁଆରି ପହିଲାରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ଆସାମରେ ପ୍ରବେଶ କରିଥିବା ପ୍ରବାସୀଙ୍କୁ ନାଗରିକତା ପ୍ରଦାନ କରୁଥିବା ନାଗରିକତା ଆଇନ, ୧୯୫୫ର ଧାରା ୬ଏର ସାମ୍ବିଧାନିକ ବୈଧତାକୁ ସୁପ୍ରିମ୍‌କୋର୍ଟ ୪:୧ ସଂଖ୍ୟାଗରିଷ୍ଠତାରେ ବଜାୟ ରଖିଛନ୍ତି।

୧୯୬୬ ଜାନୁଆରି ପହିଲାରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ଆସାମରେ ପ୍ରବେଶ କରିଥିବା ପ୍ରବାସୀଙ୍କୁ ନାଗରିକତା ପ୍ରଦାନ କରୁଥିବା ନାଗରିକତା ଆଇନ, ୧୯୫୫ର ଧାରା ୬ଏର ସାମ୍ବିଧାନିକ ବୈଧତାକୁ ସୁପ୍ରିମ୍‌କୋର୍ଟ ୪:୧ ସଂଖ୍ୟାଗରିଷ୍ଠତାରେ ବଜାୟ ରଖିଛନ୍ତି।

supreme court1

ନୂଆଦିଲ୍ଲୀ: ୧୯୬୬ ଜାନୁଆରି ପହିଲାରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ଆସାମରେ ପ୍ରବେଶ କରିଥିବା ପ୍ରବାସୀଙ୍କୁ ନାଗରିକତା ପ୍ରଦାନ କରୁଥିବା ନାଗରିକତା ଆଇନ, ୧୯୫୫ର ଧାରା ୬ଏର ସାମ୍ବିଧାନିକ ବୈଧତାକୁ ସୁପ୍ରିମ୍‌କୋର୍ଟ ୪:୧ ସଂଖ୍ୟାଗରିଷ୍ଠତାରେ ବଜାୟ ରଖିଛନ୍ତି। ପ୍ରଧାନ ବିଚାରପତି  ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଅନ୍ୟ ତିନିଜଣ ବିଚାରପତି ଏହି ବ୍ୟବସ୍ଥାର ବୈଧତାକୁ ବଜାୟ ରଖିଥିବା ବେଳେ ଜଷ୍ଟିସ୍‌ ପାର୍ଦିୱାଲା ଏହାକୁ ବିରୋଧ କରିଥିଲେ। ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ‘ଆସାମ ଚୁକ୍ତି’  ବାଂଲାଦେଶ ଗଠନ ପରେ ବେଆଇନ ପ୍ରବାସ ସମସ୍ୟାର ଏକ ରାଜନୈତିକ ସମାଧାନ ଏବଂ ଧାରା ୬ଏ ହେଉଛି ଏହାର ଆଇନଗତ ସମାଧାନ। ୧୯୭୧ ମାର୍ଚ୍ଚ ୨୫ର କଟ୍ ଅଫ୍ ତାରିଖ ଯୁକ୍ତିଯୁକ୍ତ କାରଣ ବାଂଲାଦେଶ ମୁକ୍ତି ସଂଗ୍ରାମ ଏହି ଦିନ ଶେଷ ହୋଇଥିଲା ବୋଲି ବହୁମତ ରାୟରେ ଦର୍ଶାଯାଇଥିଲା।

ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବା ହେଉଛି ନୀତି
ଆମେ କାହାକୁ ନିଜ ପଡ଼ୋଶୀ ବାଛିବାକୁ ଅନୁମତି ଦେଇପାରିବୁ ନାହିଁ ଏବଂ ଏହା ଭାଇଚାରା ନୀତିର ବିରୋଧୀ। ନୀତି ହେଉଛି ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବା ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଅଦାଲତ ଆହୁରି କହିଛନ୍ତି ଯେ ଗୋଟିଏ ରାଜ୍ୟରେ କେବଳ ବିଭିନ୍ନ ଜାତିର ଉପସ୍ଥିତିର ଅର୍ଥ ଧାରା ୨୯(୧)ର ଉଲ୍ଲଂଘନ ନୁହେଁ, ଯାହା ବ୍ୟକ୍ତିର ନିଜର ଏକ ସ୍ୱତନ୍ତ୍ର ଭାଷା, ଲିପି କିମ୍ବା ସଂସ୍କୃତି ରଖିବାର ଅଧିକାରକୁ ସୁରକ୍ଷିତ ରଖିଥାଏ। ୧୯୬୬ ଜାନୁଆରି ୧ ତାରିଖ ପୂର୍ବରୁ ଆସାମରେ ପ୍ରବେଶ କରିଥିବା ପ୍ରବାସୀଙ୍କୁ ଭାରତୀୟ ନାଗରିକ ବୋଲି ବିବେଚନା କରାଯାଏ। କିନ୍ତୁ ଆସାମ ଚୁକ୍ତି ଓ ଧାରା ୬ଏ ଅନୁସାରେ ୧୯୬୬ ଜାନୁଆରି ପହିଲାରୁ ୧୯୭୧ ମାର୍ଚ୍ଚ ୨୫ ତାରିଖ ମଧ୍ୟରେ ଆସାମରେ ପ୍ରବେଶ କରିଥିବା ପ୍ରବାସୀମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କଲେ ଭାରତୀୟ ନାଗରିକତା ପାଇବାକୁ ହକ୍‌ଦାର। ଏଣୁ ୧୯୭୧ ମାର୍ଚ୍ଚ ୨୫ କିମ୍ବା ତା’ପରେ ଆସାମରେ ପ୍ରବେଶ କରିଥିବା ପ୍ରବାସୀଙ୍କୁ ଠାବ କରିବା, ଅଟକ ରଖିବା ଓ ପ୍ରତ୍ୟର୍ପଣ କରାଯିବା ଆଇନସଙ୍ଗତ ବୋଲି ଖଣ୍ଡପୀଠ କହିଛନ୍ତି। 

ଭିନ୍ନ ରାୟ
ତେବେ ଜଷ୍ଟିସ ପାର୍ଦିୱାଲା ତାଙ୍କ ଭିନ୍ନ ରାୟରେ ଧାରା ୬ଏକୁ ଅସାମ୍ବିଧାନିକ ବୋଲି ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ୧୯୭୧ ପୂର୍ବରୁ ପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ବିଧାନସଭା ନାଗରିକତା ପ୍ରଦାନ କରିପାରିଥାନ୍ତା। କିନ୍ତୁ ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ୧୯୬୬ରୁ ୧୯୭୧ ପର୍ଯ୍ୟନ୍ତ ଏକ ବୈଧାନିକ ବର୍ଗ ଗଠନ କରାଯାଇଥିଲା। ବାସ୍ତବରେ ସେତେବେଳେ ଆସାମବାସୀଙ୍କୁ ଶାନ୍ତ କରିବା ଓ ରାଜ୍ୟରେ ତତ୍କାଳୀନ ଆଗାମୀ ନିର୍ବାଚନକୁ ପ୍ରଭାବିତ ନ କରିବା ପାଇଁ ଏଭଳି ଅନ୍ତର୍ଭୁକ୍ତୀକରଣ ଉଦ୍ଦିଷ୍ଟ ଥିଲା। 

ନାଗରିକତା ଆଇନର ଧାରା ୬ଏ କ’ଣ?
ନାଗରିକତା ଆଇନ ୧୯୫୫ର ଧାରା ୬ଏ ଅନୁଯାୟୀ ୧୯୬୬ ଜାନୁଆରି ୧ ପରେ କିନ୍ତୁ ୧୯୭୧ ମାର୍ଚ୍ଚ ୨୫ ପୂର୍ବରୁ ଆସାମ ଆସିଥିବା ପ୍ରବାସୀମାନେ ଭାରତୀୟ ନାଗରିକତା ହାସଲ କରିପାରିବେ। ବାଂଲାଦେଶରୁ ଆସିଥିବା ପ୍ରବାସୀଙ୍କ ପ୍ରବେଶକୁ ବିରୋଧ କରି ୬ ବର୍ଷ ଧରି ଚାଲିଥିବା ଆନ୍ଦୋଳନ ପରେ ୧୯୮୫ ମସିହାରେ ତତ୍କାଳୀନ ରାଜୀବ ଗାନ୍ଧୀ ସରକାର ଏବଂ ଅଖିଳ ଆସାମ ଛାତ୍ର ସଂଗଠନ (ଆସୁ) ମଧ୍ୟରେ ଆସାମ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଏହି ଆଇନରେ ଧାରା ୬ଏ ଯୋଡାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ସତ୍ୟପାଠରେ ଦର୍ଶାଇଥିଲା ଯେ ୧୯୬୬ ଜାନୁଆରିରୁ ୧୯୭୧ ମାର୍ଚ୍ଚ ମଧ୍ୟରେ ଆସାମରେ ପ୍ରବେଶ କରିଥିବା ୧୭,୮୬୧ ପ୍ରବାସୀଙ୍କୁ ନାଗରିକତା ଦିଆଯାଇଛି। ନାଗରିକତା ପାଇଁ ଭିନ୍ନ ଭିନ୍ନ କଟ୍ ଅଫ୍ ତାରିଖ ଧାର୍ଯ୍ୟ କରିବା ଭେଦଭାବପୂର୍ଣ୍ଣ ବୋଲି ଅଭିଯୋଗ କରି ଆବେଦନକାରୀମାନେ ଏହି ବ୍ୟବସ୍ଥାକୁ ଅସାମ୍ବିଧାନିକ ଘୋଷଣା କରିବାକୁ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe