ଗୁଜରାଟରେ ଜିତିବା ତ ଦୂରର କଥା ଆପ୍ ଖାତା ଖୋଲିପାରିବ ନାହିଁ: ଅମିତ ଶାହ

ଗୁଜରାଟରେ ଜିତିବା ତ ଦୂରର କଥା ଆପ୍ ଖାତା ଖୋଲିପାରିବ ନାହିଁ: ଅମିତ ଶାହ

ଅହମଦାବାଦ: ଆଉ ମାତ୍ର କିଛି ଦିନ ପରେ ହେବ ଗୁଜରାଟ ବିଧାନସଭା ନିର୍ବାଚନ। ଏନେଇ ବିଜେପି, କଂଗ୍ରେସ ଏବଂ ଆପ୍ ପରସ୍ପରକୁ ଟା‌ର୍ଗେଟ କରିବା ସହ କ୍ଷମତା ହାତେଇବାକୁ ‌ଚେଷ୍ଟା କରୁଛନ୍ତି। ପ୍ରଚାର ସମୟରେ ଗୁଜରାଟରେ ଆପ୍ କ୍ଷମତାକୁ ଆସିବା ବିଷୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଥିବା ବେଳେ ଆଜି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ​​କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ଆପ୍ ଗୁଜରାଟରେ  ଖାତା ଖୋଲିପାରିବ ନାହିଁ ବୋଲି ଦାବି କରିଛନ୍ତି ଅମିତ ଶାହ।

ଏକ ସାକ୍ଷାତକାରରେ ଶାହା କହିଥିଲେ ଯେ, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା, ରାଜ୍ୟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୁଜରାଟର ସର୍ବାଙ୍ଗୀନ ବିକାଶ କରିଥିବାରୁ ୨୭ବର୍ଷ ହେଲାଣି ଗୁଜରାଟବାସୀ ବିଜେପିକୁ କ୍ଷମତାକୁ ଆଣୁଛନ୍ତି। ସେଥିପାଇଁ ବିଧାନସଭା ନିର୍ବାଚନରେ ଗୁଜରାଟରେ ବିଜେପି ବିପୁଳ ଭୋଟ ପାଇ ବିଜୟୀ ହେବ। ଆମ ଦଳ ତଥା ଆମର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲୋକଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି"।

ଗୁଜରାଟ ବିଧାନସଭା ନିର୍ବାଚନରେ ​​ଆପର ପ୍ରବେଶ ନେଇ ପ୍ରଶ୍ନ କରାଯିବାରୁ ଶାହା କହିଥିଲେ, "ପ୍ରତ୍ୟେକ ଦଳର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ଅଧିକାର ଅଛି, କିନ୍ତୁ ଲୋକେ ଦଳକୁ ଗ୍ରହଣ କରୁଛନ୍ତି କି ନାହିଁ ତାହା ଗୁରୁତ୍ବପୂର୍ଣ୍ଣ। ଗୁଜରାଟବାସୀଙ୍କ ମନରେ ଆପ୍ କୌଣସି ସ୍ଥାନରେ ବି ନାହିଁ। ଫଳାଫଳ ଆସିବା ପରେ ଏହା ପ୍ରମାଣ ହୋଇଯିବ"।

କଂଗ୍ରେସ ପକ୍ଷରୁ କରାଯାଉଥିବା ଚ୍ୟାଲେଞ୍ଜ ଉପରେ ଶାହା କହିଥିଲେ ଯେ, "ଗୁଜରାଟରେ କଂଗ୍ରେସ ଏବେ ବି ମୁଖ୍ୟ ବିରୋଧୀ ଦଳ ହୋଇ ରହିଛି। କିନ୍ତୁ ଏହି ଦଳ ଜାତୀୟ ସ୍ତରରେ ସଙ୍କଟ ଦେଇ ଗତି କରୁଛି। ତେଣୁ ଗୁଜରାଟରେ ଏହି ଦଳର ପ୍ରଭାବ ବିଜେପି ଉପରେ ପଡ଼ିବ ନାହିଁ"।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe