ନୂଆଦିଲ୍ଲୀ: ଭାରତ ଗସ୍ତର ଦ୍ୱିତୀୟ ଦିନରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ର ପକ୍ଷରୁ ରାଇସିନା ହିଲ୍ସ୍ଥିତ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ଗ୍ରହଣ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚାଲି ଯାଇଛନ୍ତି। ତେବେ, ପୁଣି ଥରେ ବିଳମ୍ବିତ ସନ୍ଧ୍ୟାରେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ପରିବାର ଓ ତାଙ୍କ ସହ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ଧରି ଆସି ଆଉଥରେ ପହଞ୍ଚିବେ ରାଷ୍ଟ୍ରପତି ଭବନରେ। କାରଣ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ର ପକ୍ଷରୁ ଆୟୋଜିତ ନୈଶ୍ୟଭୋଜିରେ ଆପ୍ୟାୟିତ କରାଯିବ।
News Nationଟ୍ରମ୍ପଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ନୈଶ୍ୟଭୋଜି ପାଇଁ ଏବେ ରାଷ୍ଟ୍ରପତି ଭବନର ଖନ୍ଦାଶାଳ (ରୋଷେଇ ଘର) ଓ ରୋଷେୟାମାନେ ବେଶ୍ ତତ୍ପର ହୋଇ ଉଠିଛନ୍ତି। ତେବେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ନିମନ୍ତେ ଆୟୋଜିତ ହେଉଥିବା ନୈଶ୍ୟଭୋଜିର ବିଶେଷତ୍ୱ ରହିବ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମ୍ମୁଖରେ ଯେଉଁ ଖାଦ୍ୟ ପ୍ଲେଟ୍ ପରଷା ଯିବ ସେସବୁ ଖାଦ୍ୟର ସ୍ୱାଦ ରହିବ ପାମ୍ପରିକ ନିଆରା ଭାରତୀୟ କିନ୍ତୁ ପ୍ଲେଟ୍ରେ ଥିବା ଖାଦ୍ୟ ଦେଖା ଯାଉଥିବ ଆମେରିକୀୟ।
News Nationତେଣୁ, ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭବନର ସ୍ୱତନ୍ତ୍ର ରୋଷେୟା ବା ସେଫ୍ମାନେ କିସମ କିସମର ଖାଦ୍ୟ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ମେନ୍ୟୁ ତାଲିକାରେ ଭାରତର ‘ଷ୍ଟ୍ରିଟ୍ ଫୁଡ୍’ (ଚଟ୍ପଟା) ଖାଦ୍ୟ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନର ‘ସିଗ୍ନେଚର ଡିସ୍’ (ସଂପୂର୍ଣ୍ଣ ସ୍ୱତନ୍ତ୍ର ବ୍ୟଞ୍ଜନ) ପର୍ଯ୍ୟନ୍ତ ସବୁ କିଛି ଉପଲବ୍ଧ ହେବ। ଷ୍ଟାଟରରେ ଆଲୁ ଟିକ୍କା, ପାମ୍ପଡ଼ି ଚାଟ ଠାରୁ ଆରମ୍ଭ କରି ସାଲମନ୍ ଫିସ୍ ଟିକ୍କା ଓ ଲେମନ କରିଏଣ୍ଡର ସୁପ୍ ପର୍ଯ୍ୟନ୍ତରେ ସବୁକିଛି ରହିଛି।
ସେହିପରି ରାଷ୍ଟ୍ରପତି ଟ୍ରମ୍ପ ଖୁବ୍ ଆମିଷ ପ୍ରିୟ ଥିବାରୁ ତାଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଛେଳି ମାଂସରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇଛି। ଛେଳି ମାଂସରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ‘ରାନ୍ ଆଲିସାନ୍’ ନାମରେ ଏକ ସ୍ୱତନ୍ତ୍ର ମେନ୍ୟୁ। ସେହିପରି ଛେଳି ମାଂସ ବିରିୟାନୀ ଠାରୁ ଆରମ୍ଭ କରି କେବଳ ମାତ୍ର ହିମାଳୟରେ ଉପଲବ୍ଧ ‘ଦମ୍ ଗୁଚ୍ଚି ମଟର’ ନାମକ ଏକ ବିରଳ ଓ ବହୁମୂଲ୍ୟ ଛତୁ (କିଲୋପ୍ରତି ମୂଲ୍ୟ ୩୦ ହଜାର)ର ବିରିୟାନୀ ସହ ଅନ୍ୟ ବ୍ୟଞ୍ଜନ, ମିଣ୍ଟ ରାଇତା ଓ ‘ଡାଲ ରାଇସିନା’ ପର୍ଯ୍ୟନ୍ତ ଅନେକ ବ୍ୟଞ୍ଜନ।
News Nationସେହିପରି ମିଠାରେ ରହିଛି ହାଜଲନଟ୍- ଆପଲ ଏବଂ ଭାନିଲା ଆଇସ୍ କ୍ରିମ୍ ଠାରୁ ଆରମ୍ଭ କରି ରାବ୍ଡ଼ି ସହ ମାଲପୁଆ ଓ ଗାଜର ହାଲୁଆ ପର୍ଯ୍ୟନ୍ତ ଆହୁରି ଅନେକ ବ୍ୟଞ୍ଜନ।
Follow Us