Free Press Journal
କାବୁଲ: ଆଫଗାନିସ୍ତାନର ନିମରୋଜ ପ୍ରାନ୍ତରେ ଖାସରୋଡ ଜିଲ୍ଲାରେ ସେନା ଆଉଟପୋଷ୍ଟ ଉପରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ପାଖାପାଖି ୨୦ଜଣ ଯବାନ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ଗୁରୁବାର ସନ୍ଧ୍ୟାରେ ହୋଇଥିବା ଜଣାପଡ଼ିଛି।
୨୦ଜଣ ଯବାନ ସହିଦ ହୋଇଥିବା ବେଳେ ଆତଙ୍କବାଦୀମାନେ ୨ ଜଣ ଯବାନଙ୍କୁ ପଣବନ୍ଦୀ କରି ନେଇ ଯାଇଥିବା ଜଣାପଡ଼ିଛି। ଘଟଣାର କିଛି ସମୟରେ ତାଲିବାନ ପକ୍ଷରୁ ଆକ୍ରମଣ ପାଇଁ ନିଜକୁ ଦାୟୀ କରାଯାଇଛି।
ଫରହା ପ୍ରଦେଶର ଅଧିକାରୀ ଦାଦୁଲ୍ଲା କ୍ୱାନି କହିଛନ୍ତି, ଶାମଲା ଅଞ୍ଚଳରେ ପ୍ରଥମେ ଆତଙ୍କବାଦୀ ହିଂସାକାଣ୍ଡ ଘଟାଇଥିଲେ। ଏହାର ଖବର ପାଇ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଆତଙ୍କବାଦୀଙ୍କ ସହ ଲଢ଼େଇ କରିଥିଲେ। ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଏଥିରେ ୨୦ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୧୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।
ଗତ ଏକ ସପ୍ତାହ ଭିତରେ ଆଫଗାନିସ୍ତାନର ଭିନ୍ନଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଏଯାବତ ସେନା ଓ ପୁଲିସର ପାଖାପାଖି ୧୨ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏଥିସହିତ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଗତ ବୁଧବାର ଆଫଗାନିସ୍ତାନର ସୁରକ୍ଷାକର୍ମୀଙ୍କ ଉପରେ ଏକ ବଡ଼ ଧରଣର ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ୨୫ଜଣ ଯବାନ ସହିଦ ହୋଇଥିଲେ।
ସେହିପରି ଗତ ମଙ୍ଗଳବାର ନିମରୋଜ ପ୍ରାନ୍ତରେ କାଙ୍ଗ ଜିଲ୍ଲାରେ ଦୁଇଟି ବଡ଼ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଜଣେ ପୁଲିସ କର୍ମଚାରୀଙ୍କ ପ୍ରମୁଖ ସମେତ ଅତି କମରେ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା। ଏତଦବ୍ୟତୀତ ଗତ ରବିବାର ଆଫଗାନିସ୍ତାନର ପଶ୍ଚିମ ଘୋର ପ୍ରାନ୍ତରେ ଏକ ଆତ୍ମଘାତୀ ଆକ୍ରମଣରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୦ରୁ ଅଧିକ ଲୋକ ଗୁରୁତର ହୋଇଥିଲେ।
Follow Us