୨୦୨୦ ଗଲ୍‌ୱାନ୍‌ ସଂଘର୍ଷ ବେଳେ ଅନ୍ୟୂନ ୩୮ ଚୀନା ସୈନିକ ନଈରେ ବୁଡ଼ି ମରିଛନ୍ତି: ରିପୋର୍ଟ

Advertisment
୨୦୨୦ ଗଲ୍‌ୱାନ୍‌ ସଂଘର୍ଷ ବେଳେ ଅନ୍ୟୂନ ୩୮ ଚୀନା ସୈନିକ ନଈରେ ବୁଡ଼ି ମରିଛନ୍ତି: ରିପୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ୨୦୨୦ରେ ଗଲ୍‌ୱାନ୍‌ ଅଞ୍ଚଳରେ ଭାରତୀୟ ସେନାଙ୍କ ସହ ସଂଘର୍ଷ ସମୟରେ ଅନ୍ୟୂନ ୩୮ଜଣ ଚୀନା ସୈନିକ ନଈରେ ବୁଡ଼ି ମରିଥିବା କଥା ଅଷ୍ଟ୍ରେଲୀୟ ସମ୍ବାଦପତ୍ର ‘ଦି କ୍ଲାକ୍ସନ୍‌’ରେ ପ୍ରକାଶ ପାଇଥିବା ତଦନ୍ତଭିତ୍ତିକ ରିପୋର୍ଟରେ ଦାବି କରାଯାଇଛି।

ଜୁନ୍ ୧୫-୧୬ ଘନ ଅନ୍ଧାର ରାତିରେ ଦୁଇ ପଡ଼ୋଶୀ ରାଷ୍ଟ୍ରର ସୈନିକମାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଗଲ୍‌ୱାନ୍‌ ନଈ ପାର ହୋଇ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ ଚୀନା ସୈନିକମାନେ ବୁଡ଼ି ମରି ଥିଲେ ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି।

ଦଳେ ଅନାମିତ ସାମାଜିକ ଗଣମାଧ୍ୟମ ଗବେଷକ କରିଥିବା ଗବେଷଣାକୁ ଭିତ୍ତି କରି ପ୍ରସ୍ତୁତ ରିପୋର୍ଟ ଉକ୍ତ ସମ୍ବାଦପତ୍ରରେ ପ୍ରକାଶ ପାଇଛି। ଚାଇନିଜ୍‌ ବ୍ଲଗର୍‌, ମେନ୍‌ଲାଣ୍ଡ୍‌ସ୍ଥିତ ଚୀନା ନାଗରିକ ଏବଂ ଗଣମାଧ୍ୟମ ରିପୋର୍ଟ ସୂତ୍ରରୁ ଉକ୍ତ ଗବେଷକମାନେ ତଥ୍ୟ ସଂଗ୍ରହ କରିଥିଲେ।

ରିପୋର୍ଟ ଅନୁସାରେ, ମାଡ଼ି ଆସିଥିବା ଚୀନ୍‌ ସୈନିକଙ୍କୁ ଘଉଡ଼ାଇବା ପାଇଁ ଜୁନ୍‌ ୧୫ ତାରିଖ ରାତିରେ ଭାରତୀୟ ସୈନିକମାନେ ଗଲ୍‌ୱାନ୍‌ ଉପତ୍ୟକାର ଏକ ବିବାଦୀୟ ଅଞ୍ଚଳକୁ ଯାଇଥିଲେ। ମାତ୍ର, ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିବା ପରିବର୍ତ୍ତେ ୧୫୦ଜଣ ସୈନିକଙ୍କୁ ନେଇ ସମରସଜା କରିଥିବା ଚୀନ୍‌ର କର୍ଣ୍ଣେଲ୍‌ କ୍ବି ଫାବାଓଙ୍କୁ ଭ‌ାରତୀୟ ଯବାନମାନେ ଦେଖିବାକୁ ପାଇଥିଲେ।

publive-image Image Courtesy of Amar Ujala

କିନ୍ତୁ, କର୍ଣ୍ଣେଲ୍‌ ଫାବାଓ ଆକ୍ରମଣ କରିବାକ୍ଷଣି ଭାରତୀୟ ସେନାର ଯବାନମାନ‌େ ତାଙ୍କୁ କାବୁ କରିନେଇଥିଲେ। ତାଙ୍କୁ ଉଦ୍ଧାର କରିବା ଲାଗି ‘ପିଏଲ୍‌ଏ’ ବାଟାଲିୟାନ୍‌ କମାଣ୍ଡର୍‌ ସେନ୍‌ ହୋଙ୍ଗ୍‌ଜୁନ୍‌ ଏବଂ ସୈନିକ ସେନ୍‌ ସିଆଗ୍ରୋଁ ଷ୍ଟିଲ୍‌ ପାଇପ୍, ବାଡ଼ି ଓ ଟେକାପଥର ପକାଇ ଭାରତୀୟ ଯବାନମାନଙ୍କୁ ମାରଧର କରିଥିଲେ। ଏହି ସଂଘର୍ଷରେ ଚୀନ୍‌ର ୩ଜଣ ସୈନିକ ମରିଯିବାରୁ ଛାନିଆରେ ‘ପିଏଲ୍‌ଏ’ ସୈନିକମାନେ ଫେରି ଯିବାକୁ ଉଦ୍ୟମ କରିଥିଲେ।

ପ୍ରତ୍ୟାବର୍ତ୍ତନ ନିମନ୍ତେ ସାଥୀ ସୈନିକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ୱାଙ୍ଗ୍‌ ସୁଓରାନ୍‌। ‘ୱାଟର୍‌ ପ୍ୟାଣ୍ଟ୍‌’ ପିନ୍ଧିବାକୁ ମଧ୍ୟ ‘ପିଏଲ୍‌ଏ’ ସୈନିକମାନ‌େ ସମୟ ପାଇ ନ ଥିଲେ। ୱାଙ୍ଗ୍‌ଙ୍କ ପଥପ୍ରଦର୍ଶନରେ ଘନ ଅନ୍ଧାର ରାତିରେ ବରଫ ପରି ହେମାଳ ପାଣିରେ ସେମାନେ ନଈପାରି ହୋଇଯିବାକୁ ସ୍ଥିର କରିଥିଲେ। ହଠାତ୍‌ ନଈରେ ଜୁଆର ଉଠିବାରୁ ପାରି ହେଉଥିବା ସୈନିକମାନଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେମାନେ ସୁଅରେ ଭାସି ଯାଇଥିଲେ।

ସେ ରାତିରେ ୱାଙ୍ଗ୍‌ଙ୍କ ସମେତ ଅନ୍ୟୂନ ୩୮ଜଣ ଚୀନ୍‌ ସୈନିକ ଭାସି ଯାଇ ବୁଡ଼ି ମରି ଯାଇଥିଲେ ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe