Hindustan Times
କିବ୍: ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାରକିଭରେ ରୁଷ୍ ଆଜି ଅପରାହ୍ନରୁ ଅତି ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି। କ୍ଷେପଣାସ୍ତ୍ର ମାଡ଼ରେ ଶତାଧିକ ସରକାରୀ ଭବନ ମାଟିରେ ମିଶିଯାଇଛି। ସହରର ଅର୍ଦ୍ଧାଧିକ ଅଂଚଳରୁ ୟୁକ୍ରେନ୍ ସେନା ନିୟନ୍ତ୍ରଣ ହରାଇଥିବା ବେଳେ ରୁଷ୍ ସେନା ସହ ଏବେ ବି ଘମାଘୋଟ ଲଢ଼େଇ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଖାରକିଭରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି ଏବଂ ୩୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସେନାର ମୃତାହତ ସଂଖ୍ୟା ନେଇ କୌଣସି ତଥ୍ୟ ପ୍ରଘଟ କରାଯାଇ ନାହିଁ। ଖାରକିଭରେ ସବୁ ସାମରିକ ପ୍ରତିଷ୍ଠାନ ମୂଳପୋଛ ହୋଇଯାଇଛି। ଗତ ରାତିରେ ଖାରକିଭ୍ର ଇଜୁମ୍ ଅଞ୍ଚଳରେ ରୁଷ୍ର ଗୋଳାବର୍ଷା ଯୋଗୁଁ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ଆଜି ସନ୍ଧ୍ୟାରେ ମଧ୍ୟ ରୁଷ୍ ସେନା ଖାରକିଭକୁ ଟାର୍ଗେଟ୍ କରି ଗୋଳା ଓ ରକେଟ୍ ବର୍ଷା କରିଛି। ଖେରସନ୍ ଅଞ୍ଚଳର ଗଭର୍ଣ୍ଣର ଆଜି ସ୍ପଷ୍ଟ କରିଛନ୍ତି ଯେ ଖେରସନ୍ର ଆଞ୍ଚଳିକ ପ୍ରଶାସନ କୋଠାକୁ ରୁଷ୍ ବାହିନୀ ଅକ୍ତିଆରକୁ ନେଇ ଯାଇଛନ୍ତି ଏବଂ ସେଠାରୁ ୟୁକ୍ରେନ୍ ନିୟନ୍ତ୍ରଣ ହରାଇଛି।
ମିରୁପୋଲ୍ ସହରରେ ଲୋକେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି। ମିରୁପୋଲ୍ ସିଟି କାଉନ୍ସିଲ୍ ଅନୁଯାୟୀ ରୁଷ୍ ଲଗାତାର ଭାବେ ଦକ୍ଷିଣ ପୂର୍ବ ୟୁକ୍ରେନ୍ ପୋର୍ଟ ସ୍ଥିତ ଜନବସତି ଅଞ୍ଚଳ ଗୁଡ଼ିକୁ ଟାର୍ଗେଟ୍ କରି ଗୁଳିଗୋଳା ମାଡ଼ କରୁଛି। ମିରୁପୋଲ୍ ସହରରେ ଗତ ୨ ଦିନ ଧରି ପାଣି ନାହିଁ କି ବିଜୁଳି ନାହିଁ। ଉତ୍କଟ ଖାଦ୍ୟ ସଙ୍କଟ ଦେଖାଦେଇଛି। ମିରୁପୋଲ୍କୁ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ହୋଇଛି। ୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ୍ ମିରୁପୋଲ୍ ସହରକୁ ରୁଷ୍ ଏବେ ରଣନୀତିକ ଆଡ଼ାରେ ପରିଣତ କଲାଣି।
Follow Us