ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ: ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ

ଆକ୍ରମଣକାରୀ ନିହତ ବିଶ୍ବବ୍ୟାପୀ ନିନ୍ଦା

ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ: ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ

ୱାସିଂଟନ: ଆମେରିକାର ରାଜନୈତିକ ହିଂସା ଇତିହାସରେ ଆଜି ଆଉ ଏକ କଳଙ୍କିତ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ପୂର୍ବତନ ରାଷ୍ଟ୍ରପତି ତଥା ଚଳିତ ରାଷ୍ଟ୍ରପତି ନିର୍ବାଚନର ରିପବ୍ଳିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହୋଇଛି। ଏହି ହତ୍ୟା ଉଦ୍ୟମରୁ ଟ୍ରମ୍ପ ଅଳ୍ପକେ ବର୍ତ୍ତିଯାଇଥିବା‌ ବେଳେ ଏଭଳି କାଣ୍ଡ ସମଗ୍ର ବିଶ୍ବକୁ ଆନ୍ଦୋଳିତ କରିଛି। ଟ୍ରମ୍ପ୍‌ ଆଜି ପେନ୍‌ସିଲଭାନିଆର ବଟ୍‌ଲରରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଗୋଟିଏ ଗୁଳି ଟ୍ରମ୍ପଙ୍କ କାନର ଉପର ଭାଗରେ ବାଜିଛି। ଆକ୍ରମଣ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଆକ୍ରମଣ ବେଳେ ରାଲିରେ ଉପସ୍ଥିତ ଥିବା ଜଣେ ଟ୍ରମ୍ପ ସମର୍ଥକଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଆକ୍ରମଣକାରୀ ସିକ୍ରେଟ୍‌ ସର୍ଭିସ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛି। ଗୁଳିକାଣ୍ଡ ସମୟରେ ହଜାର ହଜାର ଟ୍ରମ୍ପ ସମର୍ଥକ ରାଲିରେ ଉପସ୍ଥିତ ଥିଲେ ଏବଂ କେତେକ ନ୍ୟୁଜ୍‌ ଚ୍ୟାନେଲରେ ଏହାର ସିଧା ପ୍ରସାରଣ ହେଉଥିଲା। କାନରେ ଗୁଳି ବାଜିବା ମାତ୍ରେ ୭୮ ବର୍ଷୀୟ ଟ୍ରମ୍ପ ମୁଣ୍ଡ ନୁଆଁଇ ତଳେ ବସିଯିବାକୁ ପ୍ରୟାସ କରି ପଡ଼ିଯାଇଥିଲେ। ତାଙ୍କୁ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ତୁରନ୍ତ ଘେରିଯାଇ ମଞ୍ଚରୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଆହତ ଟ୍ରମ୍ପ୍‌ଙ୍କୁ କାର୍‌ ପର୍ଯ୍ୟନ୍ତ ନିଆଯିବା ବେଳେ ସେ ସମର୍ଥକମାନଙ୍କୁ ଲଢ଼େଇ ଜାରି ରଖିବାକୁ କହିଥିଲେ। ଆମେରେକୀୟ ରାଜନୈତିକ ନେତାମାନଙ୍କୁ ସୁରକ୍ଷା ଦେଉଥିବା ସଂସ୍ଥା ସିକ୍ରେଟ୍ ସର୍ଭିସ୍ କହିଛି ଯେ ସନ୍ଧ୍ୟା ପ୍ରାୟ ୬.୧୫ (ଭାରତୀୟ ସମୟ ଅନୁସାରେ ରବିବାର ଭୋର ୪ଟା)ରେ ଏହି ଘଟଣା ଘଟିଛି। ସମାବେଶ ସ୍ଥଳ ବାହାରେ ଥିବା ଏକ ଉଚ୍ଚ ସ୍ଥାନରୁ ଆକ୍ରମଣକାରୀ ପ୍ରାୟ ୮ ରାଉଣ୍ଡ ଗୁଳି ଚଳାଇଥିଲା। ରୢାଲି ସ୍ଥଳ ବାହାରେ ଏକ କୋଠା ଉପରେ ବନ୍ଧୁକଧାରୀକୁ ଠାବ କରାଯିବା ମାତ୍ରେ ସିକ୍ରେଟ ସର୍ଭିସ ସଦସ୍ୟ ତୁରନ୍ତ ଉକ୍ତ କୋଠାକୁ ଟାର୍ଗେଟ୍‌ କରିଥିଲେ ଏବଂ ଲଗାତାର ଗୁଳିଚାଳନା କରୁଥିବା ଆକ୍ରମଣକାରୀକୁ ନିପାତ କରିବାକୁ ସକ୍ଷମ ହୋଇଥିଲେ। ଇତିମଧ୍ୟରେ ଆମେରେକୀୟ ତଦନ୍ତକାରୀ ସଂସ୍ଥା ନିହତ ଆକ୍ରମଣକାରୀକୁ ଚିହ୍ନଟ କରିଛି। ପେନ୍‌ସିଲଭାନିଆର ଏହି ୨୦ ବର୍ଷୀୟ ଆକ୍ରମଣକାରୀ ଥୋମାସ ମାଥ୍ୟୁ କ୍ରୁକ୍‌ସ ସଂପର୍କରେ ବ୍ୟାପକ ଖୋଳତାଡ଼ ଚାଲିଛି।

ବଟଲର କାଉଣ୍ଟି ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ରିଚାର୍ଡ ଗୋଲ୍ଡିଙ୍ଗର ଗଣମାଧ୍ୟମକୁ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ ସୁରକ୍ଷିତ ଅଛନ୍ତି ଏବଂ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେବାପରେ ଡିସ୍‌ଚାର୍ଜ ହୋଇଛନ୍ତି। ଆକ୍ରମଣକାରୀକୁ ତୁରନ୍ତ ନିପାତ କରାଯିବାରୁ ଏକ ବଡ଼ ବିପଦରୁ ରକ୍ଷା ମିଳିଛି ବୋଲି ସ୍ଥାନୀୟ ପୁଲିସ କହିଛି। ଟ୍ରମ୍ପ୍‌ଙ୍କୁ ଏଭଳି ହତ୍ୟା ଉଦ୍ୟମ ନେଇ ଆମେରିକାରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ରିପବ୍ଲିକାନ ଏବଂ ଡେମୋକ୍ରାଟିକ ଦଳର ନେତାମାନେ ଏହାର କଡ଼ା ନିନ୍ଦା କରିଛନ୍ତି। ଏହାକୁ ନେଇ ବିଶ୍ବ ନେତୃବୃନ୍ଦ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ରୁଥ୍‌ରେ କହିଛନ୍ତି, ‘ମୋ ଡାହାଣ କାନର ଉପର ଭାଗରେ ଗୁଳି ବାଜିଥିଲା, ମୁଁ ତୁରନ୍ତ ଜାଣିଥିଲି ଯେ କିଛି ଘଟିଛି। ଗୁଳିଟି ମୋର ଚର୍ମ ଅତିକ୍ରମ କରିବା ବେଳେ ମୁଁ ତାହା ଅନୁଭବ କରିଥିଲି ଏବଂ ପ୍ରଚୁର ରକ୍ତସ୍ରାବ ହୋଇଥିଲା।’ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣା ନେଇ ରାଷ୍ଟ୍ରପତି ଜୋ ବାଇଡେନ୍ ତୀବ୍ର ନିନ୍ଦା କରିବା ସହ କହିଛନ୍ତି ଯେ ଆମେରିକାରେ ଏଭଳି ହିଂସାପାଇଁ କୌଣସି ସ୍ଥାନ ନାହିଁ। ଆମେ ଏକଜୁଟ ହୋଇ ଏହାକୁ ନିନ୍ଦା କରିବା ଦରକାର। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ଜର୍ଜ ଡବ୍ଲ୍ୟୁ ବୁଶ୍‌ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଉପରାଷ୍ଟ୍ରପତି କମଳା ହାରିସ୍ କହିଛନ୍ତି ଯେ ଟ୍ରମ୍ପ ସୁରକ୍ଷିତ ଥିବାରୁ ମୁଁ ଆଶ୍ବସ୍ତି ଅନୁଭବ କରୁଛି। ଆମେରେକୀୟ ବିଲିୟନେୟାର ତଥା ଟେସ୍‌ଲା କମ୍ପାନିର ମାଲିକ ଏଲନ୍ ମସ୍କ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ ମୁଁ ଟ୍ରମ୍ପଙ୍କୁ ସମର୍ଥନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe