ଖାରକିଭ୍‌ ସମେତ ୪୦ ସହରରେ ଆକ୍ରମଣ ଜାରି: ମଲଦୋଭାରେ ୨ ରେଡିଓ ଟାୱାର ଧ୍ବଂସ

ମାରିୟୁପୋଲ୍‌ରେ ତୃତୀୟ ଗଣ କବର ଠାବ

ଖାରକିଭ୍‌ ସମେତ ୪୦ ସହରରେ ଆକ୍ରମଣ ଜାରି: ମଲଦୋଭାରେ ୨ ରେଡିଓ ଟାୱାର ଧ୍ବଂସ

କିବ୍‌: ୟୁକ୍ରେନ୍‌ର ଦ୍ବିତୀୟ ବୃହତ୍ତମ ସହର ଖାରକିଭ ସମେତ ୪୦ଟି ସହରରେ ରୁଷ୍‌ର ଆକ୍ରମଣ ଜାରି ରହିଛି। ରକେଟ୍‌, ବୋମା ଓ କ୍ଷେପଣାସ୍ତ୍ର ମାଡ଼ରେ ନାହିଁ ନଥିବା କ୍ଷୟକ୍ଷତି ଘଟିଚାଲିଛି । ଖାରକିଭରେ ଅତି ଜଟିଳ ସ୍ଥିତି ଉପୁଜିଛି। ଅନବରତ ଗୋଳାବର୍ଷା ଯୋଗୁଁ ସାରା ସହର ଛାରଖାର ହୋଇଯାଇଛି। ଅନ୍ୟପକ୍ଷେ ଜାପୋରିଝିଆରେ ରୁଷ୍ ପୁଣିଥରେ ଆକ୍ରମଣ ଆରମ୍ଭ କରିଦେଇଛି। କେନ୍ଦ୍ରୀୟ ୟୁକ୍ରେନ୍‌ର ଜାପୋରିଝିଆରେ ରୁଷ୍‌ ଆଜି ୨ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ମିସାଇଲ୍‌ ମାଡ଼ ଯୋଗୁଁ ଜାପୋରିଝିଆରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମଲଦୋଭାରେ ରୁଷ୍‌ ଆଜି ୨ଟି ରେଡିଓ ଟାୱାର ଧ୍ବଂସ କରିଦେଇଛି। ମଲଦୋଭାର ମାୟକ୍‌ରେ ଆଜି ସକାଳେ ୨ ଥର ବିସ୍ଫୋରଣ ହୋଇଥିଲା। ତେବେ ଏହି ଘଟଣାରେ କୌଣସି ସେନା ସଦସ୍ୟ କିମ୍ବା ସ୍ଥାନୀୟ ଲୋକ ମୃତାହତ ହୋଇନାହାନ୍ତି।

ଅନ୍ୟପକ୍ଷେ ପୂର୍ବ ୟୁକ୍ରେନ୍‌ର ଡୋନେସ୍କରେ ରୁଷ୍‌ର ‌ବୋମାବର୍ଷା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ମାରିୟୁପୋଲ୍‌ ନିକଟରେ ଆଜି ତୃତୀୟ ଗଣକବର ଠାବ ହୋଇଛି। ମାରିୟୁପୋଲ୍‌ ମେୟର କହିଛନ୍ତି ଷ୍ଟାରି କ୍ରିମ୍‌ ନିକଟରେ ଅନ୍ୟ ଏକ ବିଶାଳ ଗଣ କବର ଦେଖିବାକୁ ମିଳିଛି। ପୂର୍ବରୁ ମାରିୟୁପୋଲ୍‌ ନିକଟରେ ୨ଟି ଗଣ କବର ଠାବ ହୋଇଥିଲା। ଅନ୍ୟପ‌କ୍ଷେ ରୁଷ୍‌ କହିଛି ଏହା ମାରିୟୁପୋଲ୍‌ରେ ଉଦ୍ଧାର କାର୍ଯ୍ୟ କରିବାକୁ ଚାହୁଛି କିନ୍ତୁ ୟୁକ୍ରେନ୍‌ ଏଥିରେ ବାଧା ଦେଇଛି। ମାରିୟୁପୋଲ୍‌ରେ ରୁଷ୍‌ ସୋମବାର ଦିନ ଉଦ୍ଧାର କରିଡର୍‌ ଖୋଲିଥିଲା। କିନ୍ତୁ ଉଦ୍ଧାର କାର୍ଯ୍ୟ ହୋଇପାରିନି ବୋଲି ରୁଷ୍‌ କହିଛି। ଅନ୍ୟପକ୍ଷେ ୟୁକ୍ରେନ୍‌ କହିଛି ରୁଷ୍‌ ଯୁଦ୍ଧବିରତି ନାଁରେ ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ ଉପରେ ଆକ୍ରମଣ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe