ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା ଥମିବାର ନାଁ ନେଉନି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ି ପଳାଇଥିଲେ ମଧ୍ୟ ହିଂସା ଭୟଙ୍କର ହେବାରେ ଲାଗିଛି। ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ୍ କରାଯାଉଛି। ଦେଶବ୍ୟାପୀ ହିନ୍ଦୁ ମନ୍ଦିର, ହିନ୍ଦୁମାନଙ୍କ ମାଲିକାନାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସେମାନଙ୍କ ବାସଭବନ ଉପରେ ଆକ୍ରମଣ ଜାରି ରହିଛି। ପରିସ୍ଥିତି ଅତ୍ୟନ୍ତ ଭୟାନକ ରହିଥିବା ବେଳେ ଟାର୍ଗେଟ୍ ଆକ୍ରମଣ ଯୋଗୁଁ ସେମାନେ ବାଂଲାଦେଶ ଛାଡ଼ିବା ମଧ୍ୟ କଷ୍ଟକର ହୋଇପଡ଼ିଛି।
ବାଂଲାଦେଶରେ ଏବେ ହିନ୍ଦୁ ସଂଖ୍ୟାଲଘୁଙ୍କ ଜୀବନ ଏବଂ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଆୱାମୀ ଲିଗ୍ ସରକାରର ପତନ ପାଇଁ ଯେଉଁ ନେତାମାନେ ଦାୟୀ ସେମାନେ ମଧ୍ୟ ହିନ୍ଦୁମାନଙ୍କୁ ଟାର୍ଗେଟ୍ ନକରିବା ପାଇଁ ଅନୁରୋଧ କରିଛନ୍ତି। ତେବେ ସେମାନଙ୍କ ଅନୁରୋଧ କିଛି କାମ ଦେଉନି ଏବଂ ଦୁଇ ଦିନ ହେଲା ହିନ୍ଦୁଙ୍କ ଉପରେ ଆକ୍ରମଣ ତୀବ୍ର ହୋଇଛି। ବାଂଲାଦେଶରେ ୧୭ କୋଟି ଜନସଂଖ୍ୟା ମଧ୍ୟରୁ ପାଖାପାଖି ୮ ପ୍ରତିଶତ ହେଉଛନ୍ତି ହିନ୍ଦୁ। ଏମାନଙ୍କ ମଧ୍ୟରୁ ଏକ ବଡ଼ ଅଂଶ ଶେଖ ହସିନାଙ୍କ ଅାୱାମୀ ଲିଗ୍ ଦଳକୁ ସମର୍ଥନ କରନ୍ତି। ବାଂଲାଦେଶରେ ଏବେ ନୂଆ ସରକାର ଗଠନ ହେବା ପୂର୍ବରୁ ଦଙ୍ଗାକାରୀମାନେ ପୁଲିସ ଷ୍ଟେସନ୍, କାରାଗାର, ଅାୱାମୀ ଲିଗ୍ ନେତାଙ୍କ ଘର ଏବଂ ହିନ୍ଦୁ ପ୍ରତିଷ୍ଠାନଗୁଡ଼ିକ ଟାର୍ଗେଟ୍ କରୁଥିବାରୁ ସବୁଠି ଆତଙ୍କ ଓ ହାହାକାର ଦେଖିବାକୁ ମିଳିଛି।
ସୋମବାରଠାରୁ ବାଂଲାଦେଶରେ ହିନ୍ଦୁମାନଙ୍କର ପାଖାପାଖି ୨୦୦-୩୦୦ ଘରକୁ ଟାର୍ଗେଟ୍ କରାଯାଇଛି। ପ୍ରାୟ ୧୫-୨୦ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରାଯାଇଛି ଏବଂ ଏଥିରେ ୪୦ ଜଣ ଲୋକ ଆହତ ହୋଇଛନ୍ତି। ସେହିପରି ଦଙ୍ଗାକାରୀମାନେ ସାମ୍ବାଦିକ ଏବଂ କଳାକାରଙ୍କୁ ମଧ୍ୟ ଟାର୍ଗେଟ୍ କରୁଛନ୍ତି। ଦଙ୍ଗାକାରୀଙ୍କ ଆକ୍ରମଣରେ ପ୍ରଦୀଦ କୁମାର ଭୌମିକ ନାମକ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ସେ ଏକ ଦୈନିକ ଖବରକାଗଜରେ କାମ କରୁଥିଲେ।
Follow Us