ଆମେରିକା ଇତିହାସରେ ରାଷ୍ଟ୍ରପତି ଓ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ

ଆମେରିକା ଇତିହାସରେ ରାଷ୍ଟ୍ରପତି ଓ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ

ୱାସିଂଟନ: ପେନ୍‌ସିଲଭାନିଆର ଏକ ନିର୍ବାଚନୀ ରୢାଲିରେ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏକ ହତ୍ୟା ଉଦ୍ୟମରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତାଙ୍କ ପୂର୍ବରୁ ମଧ୍ୟ ଅନେକ ଆମେରିକୀୟ ରାଷ୍ଟ୍ରପତି ଓ ପ୍ରାର୍ଥୀଙ୍କୁ ଟାର୍ଗେଟ କରାଯାଇଛି। ୧୭୭୬ ମସିହାରେ ଦେଶ ଗଠନ ପରଠାରୁ ଆମେରିକାରେ ଘଟିଥିବା କିଛି ରାଜନୈତିକ ହତ୍ୟା ଓ ହତ୍ୟା ଉଦ୍ୟମ ଉପରେ ଏକ ନଜର।

ଆବ୍ରାହମ ଲିଙ୍କନ
ଯୁକ୍ତରାଷ୍ଟ୍ର ଆମେରିକାର ୧୬ତମ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କୁ ୧୮୬୫ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ ୱିଲ୍‌କେସ ବୁଥ୍ ହତ୍ୟା କରିଥିଲେ । ୱାସିଂଟନର ଫୋର୍ଡ ଥିଏଟରରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନରେ ଯୋଗ ଦେବାକୁ ଯାଇଥିବା ଲିଙ୍କନଙ୍କୁ ତାଙ୍କ ମୁଣ୍ଡ ପଛପଟେ ଗୁଳି ବାଜିଥିଲା ଏବଂ ତା’ ପରଦିନ ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। କୃଷ୍ଣକାୟଙ୍କ ଅଧିକାର ପ୍ରତି ଲିଙ୍କନଙ୍କ ପ୍ରତିବଦ୍ଧତା ତାଙ୍କ ହତ୍ୟା ପଛର କାରଣ ବୋଲି ଦର୍ଶାଯାଇଥିଲା।

ଜେମ୍ସ ଗାର୍ଫିଲ୍ଡ
ଜେମ୍ସ ଗାର୍ଫିଲ୍ଡ ହେଉଛନ୍ତି ଦ୍ୱିତୀୟ ଆମେରିକୀୟ ରାଷ୍ଟ୍ରପତି ଯିଏ କି ହତ୍ୟାର ଶିକାର ହୋଇଥିଲେ। ୧୮୮୧ ମସିହା ଜୁଲାଇ ୨ ତାରିଖରେ ଵାସିଂଟନରେ ନ୍ୟୁ ଇଂଲଣ୍ଡକୁ ଟ୍ରେନ୍ ଧରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। ଚାର୍ଲସ୍ ଗୁଇଟାଉ ତାଙ୍କ ଛାତିରେ ଗୁଳି ମାଡ଼ କରିଥିଲେ ଏବଂ ସେହି ବର୍ଷ ସେପ୍ଟେମ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ୱିଲିୟମ ମ୍ୟାକିନ୍‌ଲି
୧୯୦୧ ମସିହା ସେପ୍ଟେମ୍ବର ୬ ତାରିଖରେ ନ୍ୟୁୟର୍କରେ ଭାଷଣ ଦେଉଥିବା ବେଳେ ୱିଲିୟମ ମ୍ୟାକିନ୍‌ଲିଙ୍କୁ ଗୁଳି କରାଯାଇଥିଲା। ରୢାଲିରେ ଉପସ୍ଥିତ ଜନତାଙ୍କ ସହ ହାତ ମିଳାଉଥିବା ବେଳେ ପଏଣ୍ଟ ବ୍ଲାଙ୍କ ରେଞ୍ଜରେ ତାଙ୍କ ଛାତିରେ ଦୁଇଥର ଗୁଳି ମାଡ଼ ହୋଇଥିଲା। ହତ୍ୟା ଉଦ୍ୟମରୁ ମ୍ୟାକିନ୍‌ଲି ବର୍ତ୍ତିଯିବେ ବୋଲି ଆଶା କରାଯାଉଥିଲା କିନ୍ତୁ ଶେଷରେ ଆଠ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିଲା।

ଜନ୍ ଏଫ୍ କେନେଡି
ଆମେରିକା ଇତିହାସର ସବୁଠାରୁ ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ମଧ୍ୟରେ ଜନ୍ ଏଫ୍ କେନେଡିଙ୍କ ହତ୍ୟା ସାମିଲ। ୧୯୬୩ ମସିହା ନଭେମ୍ବର ମାସରେ ପ୍ରଥମ ମହିଳା ଜ୍ୟାକଲିନ କେନେଡିଙ୍କ ସହ ଡାଲାସ ଗସ୍ତରେ ଯାଇଥିବା ବେଳେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ରାଇଫଲରେ ସଜ୍ଜିତ ଜଣେ ହତ୍ୟାକାରୀ ତାଙ୍କୁ ଗୁଳିକରି ହତ୍ୟା କରିଥିଲା। ଡଲାସରେ କେନେଡି ତାଙ୍କ କନ୍‌ଭୟ ସହ ଯାଉଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। କେନେଡିଙ୍କୁ ତୁରନ୍ତ ପାର୍କଲ୍ୟାଣ୍ଡ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଜେରାଲ୍ଡ ଫୋର୍ଡ
ଆମେରିକାର ୩୮ତମ ରାଷ୍ଟ୍ରପତି ଜେରାଲ୍ଡ ଫୋର୍ଡ ୧୯୭୫ ମସିହାରେ କିଛି ସପ୍ତାହ ମଧ୍ୟରେ ଦୁଇଟି ହତ୍ୟା ଉଦ୍ୟମର ସମ୍ମୁଖୀନ ହୋଇଥିଲେ ଏବଂ ଉଭୟ ଆକ୍ରମଣରୁ ସେ ବର୍ତ୍ତିଯାଇଥିଲେ। ଫୋର୍ଡ କାଲିଫର୍ଣ୍ଣିଆରେ ଏକ ସଭାକୁ ଯାଉଥିବା ବେଳେ ଜଣେ ମହିଳା ତାଙ୍କୁ ପିସ୍ତଲରେ ଟାର୍ଗେଟ କରିଥିଲେ। ତେବେ ସେ ଗୁଳି ଚଳାଇବାକୁ ସକ୍ଷମ ହୋଇନଥିଲେ। ଏହାର ୧୭ ଦିନ ପରେ ସାନ୍ ଫ୍ରାନ୍ସିସ୍କୋର ଏକ ହୋଟେଲ ବାହାରେ ସାରା ଜେନ୍ ମୁର ନାମକ ଆଉ ଜଣେ ମହିଳା ଫୋର୍ଡଙ୍କ ସହ ମୁହାଁମୁହିଁ ହୋଇଥିଲା। ସେ ଗୋଟିଏ ଗୁଳି ଚଳାଇବା ପରେ ତାହା ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ଦ୍ବିତୀୟ ଗୁଳି ମାଡ଼ ଉଦ୍ୟମ ବେଳେ ତାଙ୍କୁ ଲୋକେ କାବୁ କରିନେଇଥିଲେ।

ରୋନାଲ୍ଡ ରେଗାନ
୧୯୮୧ ମସିହା ମାର୍ଚ୍ଚ ୩୦ ତାରିଖରେ ୱାସିଂଟନର ଏକ ହୋଟେଲ ବାହାରେ ଗୁଳିମାଡ଼ ହେବା ପରେ ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କୁ ସିକ୍ରେଟ ସର୍ଭିସ ଏଜେଣ୍ଟମାନେ ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ଉଦ୍ଧାର କରିନେବାରେ ସକ୍ଷମ ହୋଇଥିଲେ। ୱାସିଂଟନ୍ ଡିସିରେ ଭାଷଣ ସାରି ରୋନାଲ୍ଡ ରେଗାନ୍ ତାଙ୍କ ଗାଡ଼ି ପାଖକୁ ଯାଉଥିବା ବେଳେ ଜନ୍ ହିଙ୍କଲି ଜୁନିଅର୍ ତାଙ୍କୁ ଗୁଳି କରିଥିଲା। ଏହି ହତ୍ୟା ଉଦ୍ୟମ ସମୟରେ ରେଗାନଙ୍କ ପ୍ରେସ୍ ସେକ୍ରେଟାରୀ ଜେମ୍ସ ବ୍ରାଡିଙ୍କ ସମେତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଗୁଳି କରାଯାଇଥିଲା।

ଜର୍ଜ ଡବ୍ଲୁ ବୁଶ
ଜର୍ଜ ବୁଶ ୨୦୦୫ରେ ଜର୍ଜିଆ ରାଷ୍ଟ୍ରପତି ମିଖାଇଲ ସାକାଶଭିଲିଙ୍କ ସହ ତିବିଲିସିରେ ଏକ ରାଲିରେ ଯୋଗ ଦେଉଥିବା ବେଳେ ତାଙ୍କ ଉପରକୁ ଏକ ହ୍ୟାଣ୍ଡ ଗ୍ରେନେଡ୍ ଫିଙ୍ଗିଦିଆଯାଇଥିଲା। କପଡ଼ାରେ ଗୁଡ଼ାହୋଇଥିବା ଗ୍ରେନେଡ୍ ପ୍ରାୟ ୧୦୦ ଫୁଟ ଦୂରରେ ପଡ଼ିଥିବା ବେଳେ ବୁଲେଟ୍ ପ୍ରୁଫ୍ ବ୍ୟାରିୟର ଯୋଗୁଁ କେହି ଆହତ ହୋଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe