ବାଂଲାଦେଶରେ ମନ୍ଦିର ଉପରେ ଆକ୍ରମଣ: ଜାତିସଂଘ ମୁଖ୍ୟଙ୍କ ହସ୍ତକ୍ଷେପ ଲୋଡ଼ିଲେ ଇସ୍କନ କର୍ତ୍ତୃପକ୍ଷ

Advertisment
ବାଂଲାଦେଶରେ ମନ୍ଦିର ଉପରେ ଆକ୍ରମଣ: ଜାତିସଂଘ ମୁଖ୍ୟଙ୍କ ହସ୍ତକ୍ଷେପ ଲୋଡ଼ିଲେ ଇସ୍କନ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ବାଂଲାଦେଶରେ ପୂଜା ମଣ୍ଡପ, ହିନ୍ଦୁ ଦେବଦେବୀ ଓ ମନ୍ଦିର ଉପରେ ଆକ୍ରମଣ ହେଉଛି। ଇସ୍କନ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁସାରେ ଶୁକ୍ରବାର ଅପରାହ୍ଣ ୨ଟା ବେଳେ ଦଳେ ଲୋକ ଆସି ପ୍ରଥମେ ବାଂଲାଦେଶର ନୂଆଖାଲିଠାରେ ଇସ୍କନ ମନ୍ଦିର ପାଖରେ ଥିବା ଦୁର୍ଗାପୂଜା ପେଣ୍ଡାଲକୁ ଭଙ୍ଗାରୁଜା କରିଥିଲେ। ତା’ପରେ ସେମାନେ ଇସ୍କନ ମନ୍ଦିରରେ ପଶି ଭକ୍ତମାନଙ୍କୁ ଆକ୍ରମଣ କରିଥିଲେ। ଇସ୍କନର ପ୍ରତିଷ୍ଠାତା ଶ୍ରୀଳ ପ୍ରଭୁପାଦଙ୍କ ମୂର୍ତ୍ତିକୁ ଅପବିତ୍ର କରିବା ସହ ଗୀତା ଆଦି ଧର୍ମପୁସ୍ତକଗୁଡ଼ିକୁ ନିଆଁରେ ପୋଡ଼ି ଦେଇଥିଲେ।

ତା’ର ଦିନକ ପରେ ଶନିବାର ପୁଣି ବିଧର୍ମୀମାନେ ଆସି ଇସ୍କନର ଦୁଇଜଣ ଭକ୍ତଙ୍କ ସହ ତିନି ଜଣଙ୍କୁ ହତ୍ୟା କରିବା ସହ ମନ୍ଦିରକୁ ଭଙ୍ଗାରୁଜା କରିଥିଲେ। କୋଲକାତାରେ ଥିବା ଇସ୍କନ କର୍ତ୍ତୃପକ୍ଷ ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାତିସଂଘର ହସ୍ତକ୍ଷେପ ଦାବି କରିଛନ୍ତି। ବାଂଲାଦେଶରେ ବାରମ୍ବାର ସଂଖ୍ୟାଲଘୁ ଓ ସେମାନଙ୍କ ଧର୍ମପୀଠ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିବା ପାଇଁ ଇସ୍କନ କର୍ତ୍ତୃପକ୍ଷ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କୁ ଶନିବାର ଚିଠି ଲେଖିଛନ୍ତି। ଏହା ଉପରେ ହସ୍ତକ୍ଷେପ ପାଇଁ ଅନ୍ତର୍ଜାତୀୟ କୃଷ୍ଣ ଭାବନା ସଂଘ କର୍ମକର୍ତ୍ତା ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ, ବାଂଲାଦେଶ କୁମିଲା ଜିଲ୍ଲାରେ ଏକ ପେଣ୍ଡାଲରେ କୋରାନକୁ ଅପବିତ୍ର କରାଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହେବା ପରେ ଦେଶ ସାରା ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ଉତ୍ତ୍ୟକ୍ତ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଭଙ୍ଗାରୁଜା କରିଥିଲେ। ଭ‌ାରତ ସରକାର କହିଛନ୍ତି ଯେ, ଏହା ଉପରେ ସେମାନେ ବାଂଲାଦେଶ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି। ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ମହାସଚିବ ତଥା ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ, ବାଂଲାଦେଶରେ ଦୁର୍ଗାପୂଜା ମଣ୍ଡପଗୁଡ଼ିକୁ ଭଙ୍ଗାରୁଜା କରାଯାଇଥିବା ନେଇ ଅନେକ ଗୁରୁତର ଅଭିଯୋଗ ଆସିଛି। ବାଂଲାଦେଶ ସରକାର ଏହା ଉପ‌ରେ ତୁରନ୍ତ ଅନୁସନ୍ଧାନ କରି ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଅପରପକ୍ଷେ ପଶ୍ଚିମବଙ୍ଗ ବିଜେପି ମୁଖପାତ୍ର ଏ ନେଇ ଶେଖ୍ ହାସିନା ସରକାରଙ୍କ ନିଷ୍କ୍ରିୟତାକୁ ନିନ୍ଦା କରିଛନ୍ତି। ଗତ କିଛି ମାସ ହେଲା ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଆସୁଛି, ଅଥଚ ବାଂଲାଦେଶ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ପଶ୍ଚିମବଙ୍ଗ ବିଜେପି ମୁଖପାତ୍ର ଶମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe