ଓଡ଼ିଆ ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ବୟାନ : ପଦୋନ୍ନତି ପାଇଁ ସାକ୍ଷାତକାର ଲାଗି ଇସ୍ରୋ‌ ମୁଖ୍ୟାଳୟ ଯାଇଥିବା ବେଳେ ଖାଦ୍ୟରେ ଦିଆଯାଇଥିଲା ମାରାତ୍ମକ ବିଷ

Advertisment

ଇସ୍ରୋ‌ରେ ଓଡ଼ିଆ ବୈଜ୍ଞାନିକଙ୍କୁ ହତ୍ୟା ଉଦ୍ୟମ

ଇସ୍ରୋ‌ରେ ଓଡ଼ିଆ ବୈଜ୍ଞାନିକଙ୍କୁ ହତ୍ୟା ଉଦ୍ୟମ

ଓଡ଼ିଆ ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ବୟାନ : ପଦୋନ୍ନତି ପାଇଁ ସାକ୍ଷାତକାର ଲାଗି ଇସ୍ରୋ‌ ମୁଖ୍ୟାଳୟ ଯାଇଥିବା ବେଳେ ଖାଦ୍ୟରେ ଦିଆଯାଇଥିଲା ମାରାତ୍ମକ ବିଷ

ଚେନ୍ନାଇ : ଓଡ଼ିଶା‌ରେ ଜନ୍ମିତ ବରିଷ୍ଠ ଭାରତୀୟ ମହାକାଶ ବିଜ୍ଞାନୀ ତପନ ମିଶ୍ରଙ୍କୁ ୨୦୧୭ ମସିହା, ମେ’ ୨୩ରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ‌) ମୁଖ୍ୟାଳୟ‌ରେ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଥିଲ। ପଦୋନ୍ନତି ପାଇଁ ସେ ସାକ୍ଷାତକାର ଦେବାକୁ ଯାଇଥିବା ବେଳେ ସେଠାରେ ତାଙ୍କ ଖାଦ୍ୟରେ ଆର୍ସେନିକ୍‌ ଟ୍ରାଇଅକ୍ସାଇଡ୍‌ ନାମକ ଏକ ରଙ୍ଗହୀନ, ସ୍ବାଦହୀନ ମାରାତ୍ମକ ରସାୟନିକ ଦ୍ରବ୍ୟ ମିଶାଇ ଦିଆଯାଇଥିଲା। ଏକଥା ଖୋଦ୍‌ ଶ୍ରୀ ମିଶ୍ର ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି।

ଇସ୍ରୋର ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ଶ୍ରୀ ମିଶ୍ର ଚଳିତ ମାସ କାର୍ଯ୍ୟରୁ ଅବସର ନେବେ। ତେବ‌େ ଅବସର ଗ୍ରହଣ କରିବା ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଏହି ଘଟଣାକୁ ସାର୍ବଜନୀନ କରିଛନ୍ତି ବୋଲି ଖବର ସରବରାହ ସଂସ୍ଥା ‘ଆଇଏଏନ୍‌ଏସ୍‌’କୁ କହିଛନ୍ତି।

publive-image

ଏକ ଫେସ୍‌ବୁକ୍‌ ପୋଷ୍ଟରେ ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି ଯେ ଇସ୍ରୋ‌ରେ ୧୯୭୧ ମସିହାରେ ପ୍ରଫେସର୍‌ ବିକ୍ରମ ସାରାଭାଇଙ୍କ ସନ୍ଦେହଜନକ ମୃତ୍ୟୁ, ୧୯୯୯ରେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର୍‌ର ନିର୍ଦ୍ଦେଶକ ଡ. ଏସ୍‌ ଶ୍ରୀନିବାସନ୍‌ଙ୍କ ଅଚାନକ ମୃତ୍ୟୁ, ୧୯୯୪ରେ ଶ୍ରୀ ନାମ୍ବିନାରାୟଣନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ସଂପର୍କରେ ଆମେ ଅନେକଥର ଶୁଣିଛୁ। କିନ୍ତୁ ମୋ ସହ ବି ଏପରି ଏକ ଘଟଣା ଘଟିବ, ତାହା ମୁଁ ସ୍ବପ୍ନରେ ସୁଧା କଳ୍ପନା କରିନଥିଲି।

ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆଣିଲେ ତପନ ମିଶ୍ର
ଖାଦ୍ୟରେ ମିଶା ଯାଇଥିଲା ଆର୍ସେନିକ୍‌ ଟ୍ରାଇଅକ୍ସାଇଡ୍‌

‌‌ସେ ଆହୁରି ଲେଖିଛନ୍ତି, ମୋ ଖାଦ୍ୟରେ ଏତେ ମାତ୍ରାରେ ବିଷ ମିଶାଯାଇଥିଲା ଯେ ଦୁଇ ବର୍ଷ ଧରି ମୋ ଶରୀରରେ ଗୁରୁତର ସମସ୍ୟା ଦେଖାଦେଇଥିଲା। ବହୁମାତ୍ରାରେ ରକ୍ତକ୍ଷୟ ହେବା ସହ ଶ୍ବାସକ୍ରିୟାରେ ଜଟିଳ ସମସ୍ୟା, ଚର୍ମରୋଗ, ହାତ ଓ ଗୋଡ଼ର ନଖ ମରିଯିବା, ହୃଦ୍‌ଘାତ, ସ୍ନାୟୁ ଓ ମେରୁଦଣ୍ଡଜନିତ ସମସ୍ୟା ଦେଖାଦେଇଥିଲା। ଏଥିପାଇଁ ମୁଁ ଅହମ୍ମଦାବାଦସ୍ଥିତ ଜାଇଡସ୍‌ କାଡିଲା, ଦିଲ୍ଲୀ ଏମ୍‌ସ୍‌‌‌ରେ ଚିକିତ୍ସାଧୀନ ଥିଲି। ମୋର ଏପରି ଅବସ୍ଥା ଦେଖି ଫୋରେନସିକ୍‌ ବିଶେଷଜ୍ଞ ଡ. ସୁଧୀର ଗୁପ୍ତା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଭଳି ମାରାତ୍ମକ ବିଷ ଦିଆଯାଇଥିବା ମଣିଷ ଜୀବିତ ରହିବା ତାଙ୍କ ଜୀବନକାଳ ମଧ୍ୟରେ ସେ ଦେଖି ନଥିବା କହିଥିଲେ।

‌ମୋତେ ଏହି ବିଷ ଦିଆଯିବାର ୨ରୁ ୩ ଘଣ୍ଟା ମଧ୍ୟରେ ମୋର ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଥା’ନ୍ତା। ଆଉ କେହି ବି ଏହାର ଟେର୍‌ ପାଇ ପାରିନଥା‌‌’ନ୍ତେ ଯେ ମୋତେ ହତ୍ୟା କରାଯାଇଛି।

‌‌‌ତେବେ ମୋ ସ୍ବାସ୍ଥ୍ୟାବସ୍ଥା‌ରେ ଗୁରୁତର ଅବନ୍ନତି ଦେଖି ଇସ୍ରୋର ଜଣେ ନିର୍ଦ୍ଦେଶକ ମୋତେ ବିଷ ଦିଆଯାଇଥିବା ନେଇ ପ୍ରଥମେ ଆଶଙ୍କା ପ୍ରକାଶ କରିଥିଲେ। ୨୦୧୭ ଜୁନ୍‌, ୫ ତାରିଖରେ ସେ ମୋତେ ଏ ସଂପର୍କରେ କହିବା ପରେ ଜୁନ୍‌, ୭ରେ ଗୃହ ମନ୍ତ୍ରାଳୟର ସିକ୍ୟୁରିଟି ଏଜେନ୍ସି ଏହା ଉପରେ ମୋହର ମାରିଥିଲା। ଏଥିପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ନଚେତ୍‌ ଡାକ୍ତରମାନେ କେବେ ବି ମୋ ସ୍ବାସ୍ଥ୍ୟ ଅବନ୍ନତିର କାରଣ ସଂପର୍କରେ କେବେ ବି ଜାଣି ପାରିନଥା‌’ନ୍ତେ। ସୂଚନାଯୋଗ୍ୟ, ବୈଜ୍ଞାନିକ ଶ୍ରୀ ମିଶ୍ରଙ୍କ ଘର କୋରାପୁଟ ଜିଲ୍ଲାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe