କାନବେରା: ଛାଡ଼ିଛି ବର୍ଷା, ଛାଡିନି ଦୁର୍ଦ୍ଦଶା । ବନ୍ୟା ପରେ ଏବେ ଅଷ୍ଟ୍ରେଲିଆରେ ନାହିଁ ନଥିବା ଅବସ୍ଥା । ସବୁଠି ହାହାକାର, ସବୁଠି ବିପର୍ଯ୍ୟୟର ପଦଚିହ୍ନ । କେଉଁଠି ଜଳର ତାଣ୍ଡବ ଆଗରେ ଛାରଖାର ହୋଇଛି ଘର, ତ କେଉଁଠି ବନ୍ୟାର ଭୟଙ୍କର ରୂପ ଆଗରେ ଧୋଇଯାଇଛି ରାସ୍ତା । ପାଣି ପାଣିରେ ପଶି ଭାସି ଯାଇଛି ବଡ ବଡ ପୋଲ । ଘର ଦ୍ବାରା ରାସ୍ତା ସବୁ ପାଣିର କବଜାରେ ରହିଥିବା ବେଳେ ୩ ଦିନର ଲଗାଣ ବର୍ଷା ପରର ବନ୍ୟା ସ୍ଥିତିରେ ଧିରେଧରେ ସୁଧାର ଆସୁଛି ।

Advertisment

ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ବନ୍ୟା ଆସିବା ଫଳରେ ୫୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଥିଲେ । ଜଳ ପାଇଁ ସମସ୍ତେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଥିଲେ ଯେଉଁମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ସ୍ବେଚ୍ଛାସେବୀଙ୍କ ଦ୍ବାରା ଏବଂ ଉଦ୍ଧାରକାରୀ ଟିମ୍ ଦ୍ବାରା ବିଭିନ୍ନ ସ୍ଥାନରେ ଉଦ୍ଧାର ଉଦ୍ୟମ ପରେ ପ୍ରଭାବିତଙ୍କୁ ସବୁ ସୁବିଧା ଯୋଗାଇ ଦିଆଯାଇଛି । ସ୍ଥିତିରେ ସୁଧାର ଆସୁଥିବା ବେଳେ ପୁନରୁଦ୍ଧାର କାମ ଜାରି ରହିଛି ।

ଅନେକ ସ୍ଥାନରେ ବିଜୁଳି ସେବା ବ୍ୟାହତ ହୋଇଛି, ଖାଦ୍ୟ, ପାନୀୟ ଜଳର ସମସ୍ଯା ଦେଖା ଦେଇଥିବା ବେଳେ ପୁନରୁଦ୍ଧାର କାମ ମାସ ମାସ ଚାଲିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ । ତେବେ ଗତ ଶୁକ୍ରବାର ଠାରୁ ବନ୍ୟାରେ ଉବୁଟୁବୁ ହେଉଛି ଅଷ୍ଟ୍ରେଲିଆ । ପୂର୍ବ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ଲଗାଣ ବର୍ଷା ପରେ ସୃଷ୍ଟି ହୋଇଥିଲା । ବର୍ଷା ଜନିତ ବନ୍ୟା ପାଇଁ ଘରେ ବନ୍ଦୀ ଥିଲେ ଲୋକେ । ରାସ୍ତାଘାଟ, ନଈ ନାଳ ସବୁ ଏକାକାର ହୋଇଯାଇଥିଲା । ଘରେ ପାଣି, ବାହାରେ ପାଣି ଥିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଥିବା ବେଳେ ଏବେ ଧିରେଧିରେ ଅଣ୍ଟା ସଳଖୁଛି ଅଷ୍ଟ୍ରେଲିଆ ।

ଅଧିକ ପଢନ୍ତୁ-

ଅଷ୍ଟ୍ରେଲିଆ କହି ୩ ଭାରତୀୟ ଯୁବକଙ୍କୁ ଇରାନକୁ ଅପହରଣ କରିନେଲେ ଠକ, ଛାଡିବାକୁ ମାଗୁଛନ୍ତି କୋଟି କୋଟି ଟଙ୍କା...