ସିଡନୀ: ଆସନ୍ତା ୭ ତାରିଖରୁ ଭାରତ ଓ ଶ୍ରୀଲଙ୍କାରେ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ମାର୍ସଙ୍କ ନେତୃତ୍ବରେ ନିଜର ୧୫ ଜଣିଆ ଦଳ ଘୋଷଣା କରାଯାଇଛି। କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ''ଏକ୍ସ'' ରେ ଏକ ପୋଷ୍ଟ କରି ଦଳ ତାଲିକା ପ୍ରଦାନ କରାଯାଇଛି। ଏହି ଦଳରୁ ଦ୍ରୁତ ବୋଲର୍ ପ୍ୟାଟ୍ କମିନ୍ସଙ୍କୁ ବାଦ୍ ଦିଆଯାଇଛି। ପିଠିରେ ଯନ୍ତ୍ରଣା କାରଣରୁ ତାଙ୍କୁ ବିଶ୍ରାମ ଦିଆଯାଇଥିବା ଜଣାପଡ଼ିଛି। ତାଙ୍କ ସ୍ଥାନରେ ବେନ୍ ଡ୍ବାରସ୍ବିସଙ୍କୁ ସାମିଲ୍ କରାଯାଇଛି। ସେହିପରି ମାଥ୍ୟୁ ସର୍ଟଙ୍କ ସ୍ଥାନରେ ମ୍ୟାଟ୍ ରେନସାଙ୍କୁ ସାମିଲ୍ କରାଯାଇଛି। କମିନ୍ସ ଶେଷ ଥର ପାଇଁ ୨୦୨୪ ଜୁନ ୨୪ରେ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ବିପକ୍ଷରେ ଖେଳିଥିଲେ। ତାପରଠାରୁ ସେ କୌଣସି ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚରେ ଖେଳିନାହାନ୍ତି।

Advertisment

ଜୋସ୍ ହେଜେଲଉଡ୍ ଅଷ୍ଟ୍ରେଲିଆର ବୋଲିଂ ନେତୃତ୍ବ ନେବେ

ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଜୋସ୍ ହେଜେଲଉଡ୍ ଅଷ୍ଟ୍ରେଲିଆର ବୋଲିଂ ଆକ୍ରମଣର ନେତୃତ୍ବ ନେବେ ଓ ତାଙ୍କୁ ଜାଭିଏର୍ ବାର୍ଟଟଲେଟ୍, ନାଥନ୍ ଏଲିସ୍ ଓ ଡ୍ବାରସ୍ବିସ୍ ସହାୟତା କରିବେ। ଏହା ସହିତ ଅଲରାଉଣ୍ଡର କାମେରୁନ ଗ୍ରିନ ଓ ମାର୍କସ୍ ଷ୍ଟୋଇନିସ୍ ମଧ୍ୟ ମଧ୍ୟମ ଗତି ବୋଲିଂ ମାଧ୍ୟମରେ ସହାୟତା କରିବେ। ଆଡାମ ଜାମ୍ପା ଦଳର ସ୍ପିନ ବୋଲିଂ ଦାୟିତ୍ବ ନିର୍ବାହ କରିବେ।

ଅଷ୍ଟ୍ରେଲିଆର ଚୟନ କମିଟି ସଦସ୍ୟ ଟୋନି ଡୋଡମେଡ୍ କହିଛନ୍ତି ଯେ ପିଠି ଯନ୍ତ୍ରଣାରୁ କମିନ୍ସ ଆରୋଗ୍ୟଲାଭ କରୁଛନ୍ତି। ତେବେ ସଂପୂର୍ଣ୍ଣ ଆରୋଗ୍ୟ ହେବାକୁ ତାଙ୍କୁ ଆହୁରି କିଛି ଦିନ ଲାଗିବ। ଏଥିପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ଅନୁପସ୍ଥିତିରେ ଡ୍ବାରସ୍ବିସ୍ ଓ ରେନସା ଭଲ ପ୍ରଦର୍ଶନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଅଷ୍ଟ୍ରେଲିଆ ଦଳ: ମିଚେଲ୍ ମାର୍ସ (ଅଧିନାୟକ), ଜାଭିଅର୍ ବାର୍ଟଲେଟ୍, କୁପର୍ କନୋଲି, ଟିମ୍ ଡେଭିଡ୍, ବେନ୍ ଡ୍ବାରସ୍ବିସ୍, କାମେରନ୍ ଗ୍ରିନ୍, ନାଥନ୍ ଏଲିସ୍, ଜୋସ୍ ହେଜଲଉଡ୍, ଟ୍ରାଭିସ୍ ହେଡ୍, ଜୋଶ୍ ଇଂଲିସ୍, ମାଥ୍ୟୁ କୁନେମାନ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମ୍ୟାଟ୍ ରେନ୍‌ସା, ମାର୍କସ୍ ଷ୍ଟୋଇନିସ୍, ଆଡାମ୍ ଜାମ୍ପା।

ଆହୁରି ପଢ଼ନ୍ତୁ: Trump hasn't paid his UN dues: ଟ୍ରମ୍ପ ବର୍ଷେ ହେଲା ପୈଠ କରି ନାହାନ୍ତି ଜାତିସଂଘ ଦେୟ: ଖିଲାପକାରୀଙ୍କୁ ଅନୁରୋଧ କଲେ ଗୁଟେରେସ୍