Image Courtesy of NDTV
ସିଡ୍ନି: ସମ୍ପୂର୍ଣ୍ଣ ଟିକା ନେଇଥିବା ପର୍ଯ୍ୟଟକମାନଙ୍କୁ ଫେବ୍ରୁଆରି ୨୧ ତାରିଖ ଠାରୁ ଅଷ୍ଟ୍ରେଲିଆକୁ ଆସିବା ପାଇଁ ଅନୁମତି ଦିଆଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଘୋଷଣା କରିଛନ୍ତି। ଏଥିସହ ବିଶ୍ବର ଅନ୍ୟତମ କଠୋର ଓ ଦୀର୍ଘ ଦିନ ଧରି ଚାଲିଥିବା ମହାମାରୀଜନିତ ପର୍ଯ୍ୟଟନ କଟକଣାର ଅବସାନ ଘଟିବାକୁ ଯାଉଛି।
ଜାତୀୟ ନିରାପତ୍ତା କ୍ୟାବିନେଟ୍ ବୈଠକ ପରେ ମୋରିସନ୍ କହିଛନ୍ତି, ଅଷ୍ଟ୍ରେଲିଆ ସୀମାନ୍ତ ବନ୍ଦ କରିବା ପାଇଁ ଆମେ ନିଷ୍ପତ୍ତି ଗ୍ରହଣ କରିବା ପ୍ରାୟ ଦୁଇବର୍ଷ ହୋଇଗଲାଣି। ଆପଣ ଯଦି ଡବଲ୍ ଟିକା ନେଇଥିବେ, ଆମେ ଆପଣଙ୍କୁ ଅଷ୍ଟ୍ରେଲିଆ ଆସିବାକୁ ଆମନ୍ତ୍ରଣ କରୁଛୁ।
ଦ୍ବୀପ ମହାଦେଶ ଅଷ୍ଟ୍ରେଲିଆକୁ ଦ୍ରୁତ ମହାମାରୀ ସଂକ୍ରମଣରୁ ନିରାପଦ ରଖିବା ଲାଗି ୨୦୨୦ ମାର୍ଚ ୨୦ରେ ଅଷ୍ଟ୍ରେଲିଆର ସୀମାନ୍ତ ସବୁ ବନ୍ଦ କରି ଦିଆଯାଇଥିଲା।
Image Courtesy of Zee Newsସେବେଠାରୁ ଅଷ୍ଟ୍ରେଲୀୟମାନଙ୍କୁ ଦେଶ ବାହାରକୁ ଯିବାକୁ ଅନୁମତି ମିଳୁ ନ ଥିଲା ଏବଂ ଅଷ୍ଟ୍ରେଲିଆ ଆସିବାକୁ ଅତି ସ୍ବଳ୍ପସଂଖ୍ୟକ ବିଦେଶୀଙ୍କୁ ଅନୁମତି ମିଳୁଥିଲା।
ଏହି କଠୋର କଟକଣା ଯୋଗୁଁ ଅଷ୍ଟ୍ରେଲିଆର ବହୁ ପରିବାର ଭାଗ ଭାଗ ହୋଇଯିବା ସହ ଦେଶର ବୃହତ୍ ପର୍ଯ୍ୟଟନ ଶିଳ୍ପକୁ ବିପର୍ଯ୍ୟସ୍ତ କରି ପକାଇଛି। ଏଥିଯୋଗୁ ଗୋଟାଏ ଆଧୁନିକ, ମୁକ୍ତ ଏବଂ ଉଦାର ଦେଶ ଭାବେ ଅଷ୍ଟ୍ରେଲିଆର ଯେଉଁ ଖ୍ୟାତି ଥିଲା, ତାହା ମଧ୍ୟ କେତେକାଂଶରେ କ୍ଷୁଣ୍ଣ ହୋଇଛି।
ଅଷ୍ଟ୍ରେଲୀୟ, ଦୀର୍ଘକାଳ ଧରି ଅବସ୍ଥାନ କରୁଥିବା ବାସିନ୍ଦା ଏବଂ ଶିକ୍ଷାର୍ଥୀମାନଙ୍କ ନିମନ୍ତେ କଟକଣା ନିୟମ ସବୁ ଧୀରେ ଧୀରେ କୋହଳ କରାଯାଉଛି। ବାକି ଯେତେ ସବୁ କଟକଣା ରହିଛି ତାହା ପରବର୍ତ୍ତି ସମୟରେ ସମ୍ପୂର୍ଣ୍ଣ ଉଠାଇ ଦିଆଯିବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଜାରି ହୋଇଥିବା ‘କୋଭିଡ୍-ଜିରୋ’ ନୀତି ପରିହାର କରାଯିବା ଏବଂ ‘ଓମିକ୍ରନ୍’ ସଂକ୍ରମଣ ମାମଲା ଯୋଗୁଁ ‘ଟ୍ରାକ୍-ଆଣ୍ଡ୍-ଟ୍ରେସ୍’ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାରୁ ଅଷ୍ଟ୍ରେଲିଆ ପର୍ଯ୍ୟଟକମାନଙ୍କ ପାଇଁ ତା’ର ସୀମାନ୍ତ ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।
Follow Us