Image Courtesy of Mint
ସିଡ୍ନି: ପ୍ରାଚୀନ ସଂସ୍କୃତିର ଇତିହାସକୁ ସମ୍ମାନ ଓ ସ୍ମରଣ କରିବା ନିମନ୍ତେ ୫ ଡଲାର୍ ଅଷ୍ଟ୍ରେଲୀୟ ବ୍ୟାଙ୍କ୍ ନୋଟ୍ରେ ଥିବା ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ପ୍ରତିକୃତି ହଟାଇ ଦିଆଯିବ ବୋଲି ଆଜି ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କ୍ କହିଛି।
ଏହି ପରିବର୍ତ୍ତନକୁ ସମର୍ଥନ କରୁଥିବା କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ କରି ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ଏକ ବିବୃତିରେ ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କ୍ କହିଛି। ଉକ୍ତ ନୋଟ୍ର ଅପରପାର୍ଶ୍ବରେ ପୂର୍ବପରି ଅଷ୍ଟ୍ରେଲୀୟ ସଂସଦର ଫଟୋ ଛାପା ହେବ ବୋଲି ମଧ୍ୟ ରିଜର୍ଭ ବ୍ୟାଙ୍କ୍ କହିଛି।
ଗତବର୍ଷ ରାଣୀ ଏଲିଜାବେଥ୍ଙ୍କ ମୃତ୍ୟୁ ପରେ ଅଷ୍ଟ୍ରେଲିଆର ପରବର୍ତ୍ତୀ ଆଳଙ୍କାରିକ ରାଜା ପ୍ରସଙ୍ଗରେ ବିତର୍କ ହୋଇଥିଲା। ୧୯୯୯ରେ ହୋଇଥିବା ‘ରେଫେରେଣ୍ଡମ୍’ରେ (ମତଦାନ) ମଧ୍ୟ ଅତି ଅଳ୍ପସଂଖ୍ୟକ ଭୋଟର୍ ବ୍ରିଟିସ୍ ରାଜାଙ୍କୁ ନିଜ ଦେଶର ମୁଖ୍ୟ ଭାବେ ଚୟନ କରିଥିଲେ।
Image Courtesy of Mintମାଆଙ୍କ ମୃତ୍ୟୁ ପରେ ବ୍ରିଟିସ୍ ରାଜା ହୋଇଥିବା ରାଜା ତୃତୀୟ ଚାର୍ଲସ୍ ହେଉଛନ୍ତି ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍ ଏବଂ ଅନ୍ୟ ୧୨ଟି କମନ୍ୱେଲ୍ଥ୍ (ରାଜ୍ୟଗୋଷ୍ଠୀ) ରାଷ୍ଟ୍ରର ଆଳଙ୍କାରିକ ମୁଖ୍ୟ।
୨୦୨୨ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ କହିଥିଲା ଯେ, ୫ ଡଲାର୍ ଅଷ୍ଟ୍ରେଲୀୟ ନୋଟ୍ରେ ରାଣୀ ଏଲିଜାବେଥ୍ଙ୍କ ପ୍ରତିକୃତି ସ୍ଥାନରେ ଆପଣାଛାଏଁ ରାଜା ଚାର୍ଲସ୍ଙ୍କ ପ୍ରତିକୃତି ସ୍ଥାନ ପାଇ ପାରିବ ନାହିଁ। ରାଣୀଙ୍କ ସ୍ଥାନରେ କୌଣସି ଅଷ୍ଟ୍ରେଲୀୟ ବ୍ୟକ୍ତିତ୍ବଙ୍କୁ ସ୍ଥାନ ମିଳିପାରେ।
ଅଷ୍ଟ୍ରେଲୀୟ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ରାଣୀ ହୋଇଥିବାରୁ ନୁହେଁ, ରାଣୀଙ୍କ ବ୍ୟକ୍ତିତ୍ବ ଯୋଗୁଁ ୫ ଡଲାର୍ ଅଷ୍ଟେଲୀୟ ନୋଟ୍ରେ ତାଙ୍କ ପ୍ରତିକୃତି ଛାପା ଯାଇଥିଲା। ଏବେ ରାଣୀଙ୍କ ପରିବର୍ତ୍ତେ ଉକ୍ତ ମୁଦ୍ରାରେ କାହା ପ୍ରତିକୃତି ଛାପାଯିବ ତାହା ଅଷ୍ଟ୍ରେଲିଆର ‘ଲେବର୍ ପାର୍ଟି’ ପ୍ରଶାସନକୁ ପୁଣି ‘ମତଦାନ’ ବା ‘ରେଫରେଣ୍ଡମ୍’ ମାଧ୍ୟମରେ ସମ୍ବିଧାନ ସଂଶୋଧନ କରାଇ ସ୍ଥିର କରିବାକୁ ପଡ଼ିବ।
Follow Us