ନୂଆଦିଲ୍ଲୀ : ଓଡ଼ିଶାର ଚାଷୀଙ୍କ ମାସିକ ହାରାହାରି ଆୟ ହେଉଛି ୫ ,୧୧୨ ଟଙ୍କା। ଏହା ଦେଶରେ ଦ୍ବିତୀୟ ସର୍ବନିମ୍ନ। ଏହି ଆୟ ମଧ୍ୟରୁ ଫସଲ ଉତ୍ପାଦନ ପାଇଁ ୧,୫୮୭ ଟଙ୍କା ଏବଂ ପଶୁପାଳନ ପୋଷଣ ପାଇଁ ମାସିକ ୩୯୨ ଟଙ୍କା ଚାଷୀଙ୍କୁ ଖର୍ଚ୍ଚ କରିବାକୁ ପଡୁଛି। ଚାଷୀଙ୍କ ଆୟ ସଂପର୍କରେ ଜାତୀୟ ପରିସଂଖ୍ୟାନ ସଂସ୍ଥା(ଏନଏସ୍ଓ) ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେରୁ ଏହା ଜଣାପଡ଼ିଛି ବୋଲି କଂଗ୍ରେସ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏହି ସୂଚନା ଦେଇଛନ୍ତି।
ଚାଷୀମାନଙ୍କର ମାସିକ ଆୟ ଓ ଖର୍ଚ୍ଚ ତଥା ଆୟ ଦ୍ବିଗୁଣିତ କରିବା ନେଇ ସରକାରଙ୍କ ପ୍ରତିବଦ୍ଧତା ତଥା ପ୍ରଗତିର ତଦାରଖର କାର୍ଯ୍ୟପ୍ରଣାଳୀକୁ ନେଇ ସାଂସଦ ଶ୍ରୀ ଉଲ୍ଲାକା ପ୍ରଶ୍ନ କରିଥିଲେ। ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର କହିଛନ୍ତି, ଜୁଲାଇ ୨୦୧୮ରୁ ଜୁନ୍ ୨୦୧୯ ମଧ୍ୟରେ ଏନ୍ଏସ୍ଓ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କୃଷିଭିତ୍ତିକ ଆୟକୁ ନେଇ ୭୭ତମ ସର୍ଭେ କରାଯାଇଥିଲା। ଗ୍ରାମାଞ୍ଚଳରେ କୃଷି ପରିବାରର ସ୍ଥିତି ଏବଂ ଜମି ଓ ପଶୁସମ୍ପଦର ମୂଲ୍ୟାଙ୍କନ ପାଇଁ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁଯାୟୀ, ଦେଶରେ ଚାଷୀଙ୍କ ମାସିକ ହାରାହାରି ଆୟରେ ମେଘାଳୟ ପ୍ରଥମ ସ୍ଥାନରେ ରହିଛି। ମେଘାଳୟରେ ଚାଷୀଙ୍କ ମାସିକ ହାରାହାରି ଆୟ ସର୍ବାଧିକ ୨୯,୩୪୮ ଟଙ୍କା ରହିଛି। ଦେଶର ୨୮ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରୁ ଚାଷୀଙ୍କ ମାସିକ ହାରାହାରି ଆୟରେ ଓଡିଶା ୨୬ ତମ ସ୍ଥାନରେ ରହିଛି। ଅର୍ଥାତ୍ ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ଦ୍ବିତୀୟ ସର୍ବନିମ୍ନ । ଦେଶରେ ସବୁଠାରୁ କମ୍ ହାରାହାରି ମାସିକ ଆୟ ତାଲିକାରେ ଝାଡଖଣ୍ଡରେ ରହିଛି। ଝାଡ଼ଖଣ୍ଡରେ ଚାଷୀଙ୍କ ମାସିକ ଆୟ ହେଉଛି ସର୍ବନିମ୍ନ ୪,୮୯୫ ଟଙ୍କା।
କେନ୍ଦ୍ର କୃଷିମନ୍ତ୍ରୀ ଚାଷୀଙ୍କ ଆୟ ଦ୍ବିଗୁଣିତ କରାଯିବା ପ୍ରସଙ୍ଗରେ କହିଛନ୍ତି, ଏଥିପାଇଁ ଏପ୍ରିଲ ୨୦୧୬ରେ ଆନ୍ତଃମନ୍ତ୍ରାଳୟ କମିଟିର ଗଠନ କରାଯାଇଥିଲା। କମିଟି ଚାଷୀଙ୍କ ଆୟକୁ ୨୦୨୨ ସୁଦ୍ଧା ଦ୍ବିଗୁଣିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୧୮ ମସିହା ସେପ୍ଟେମ୍ବର ମାସରେ କମିଟି ଏ ସଂକ୍ରାନ୍ତୀୟ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଗଠିତ ଏକ କ୍ଷମତାସମ୍ପନ୍ନ କମିଟି ଏହାର ସମୀକ୍ଷା ଓ ତଦାରଖ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର ଉତ୍ତରରେ ଉଲ୍ଲେଖ କରିଛନ୍ତି।
Follow Us