ଏଫ୍‌ଏଟିଏଫ୍‌ ରିପୋର୍ଟକୁ ଅପେକ୍ଷା: ନଜରରେ ନେତା, ବାବୁଙ୍କ ବ୍ୟାଙ୍କ ଖାତା

Advertisment
ଏଫ୍‌ଏଟିଏଫ୍‌ ରିପୋର୍ଟକୁ ଅପେକ୍ଷା: ନଜରରେ ନେତା, ବାବୁଙ୍କ ବ୍ୟାଙ୍କ ଖାତା

ନୂଆଦିଲ୍ଲୀ: ନେତା, ସରକାରୀ ବାବୁ ଭଳି କ୍ଷମତାଶାଳୀ ବ୍ୟକ୍ତି ଓ ସେମାନଙ୍କ ସମ୍ପର୍କୀୟମାନେ ନିଜ ବ୍ୟାଙ୍କ ଖାତା ଜରିଆରେ କ’ଣ କାରବାର କରୁଛନ୍ତି, ସେଥିରେ ଜମା ହେଉଥିବା ଟଙ୍କା କେଉଁଠାରୁ ଆସୁଛି ଆଦିର ଖୁବ୍‌ଶୀଘ୍ର ଯାଞ୍ଚ କରାଯିବ। ମନି ଲଣ୍ଡରିଂ ନିରୋଧୀ ନିୟମକୁ କଡ଼ାକଡ଼ି କରିବା ଲାଗି ବିଶ୍ବସ୍ତରୀୟ ସଂସ୍ଥା ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)କୁ ଦାୟିତ୍ବ ଦିଆଯାଇଛି। ଏହା ଖୁବ୍‌ଶୀଘ୍ର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ଯାଉଛି। ସେହି ରିପୋର୍ଟରେ ଏହା ନେତା ଓ ସରକାରୀ ଅଧିକାରୀଙ୍କ ବ୍ୟାଙ୍କ ଖାତା ଉପରେ ନଜର ରଖିବା ଲାଗି ସୁପାରିସ୍‌ କରିବ ବୋଲି ଜଣାପଡ଼ିଛି।

ନେତାମାନେ ଲାଞ୍ଚ କାରବାର ଓ ଦୁର୍ନୀତିରେ ଲିପ୍ତ ରହିବା ଆଶଙ୍କା ଥିବାରୁ ସେମାନଙ୍କ ନିଜସ୍ବ, ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତାକୁ ଯାଞ୍ଚ କରିବା ଲାଗି ବିଶ୍ବସ୍ତରୀୟ ନିୟମ ରହିଛି। ଏଫ୍‌ଏଟିଏଫ୍‌ ଭାରତର ମନି ଲଣ୍ଡରିଂ ନିରୋଧୀ ବ୍ୟବସ୍ଥାର ସମୀକ୍ଷା କରୁଛି। ଏହା ନିଜ ରିପୋର୍ଟରେ ନେତା ଓ ସରକାରୀ ବାବୁଙ୍କ ବ୍ୟାଙ୍କ ଖାତା ଉପରେ ନଜର ରଖିବା ଲାଗି ସୁପାରିସ କରିବ। ଏଫ୍‌ଏଟିଏଫ୍‌ ଏହାର ରିପୋର୍ଟରେ ନେତାଙ୍କ ଖାତାରେ ଜମା ହେଉଥିବା ପାଣ୍ଠିର ଉତ୍ସ ଉପରେ ନଜର ରଖିବାକୁ କହିବ। ଏଥି ସହିତ ସେମାନଙ୍କର କିମ୍ବା ସେମାନଙ୍କ କୌଣସି ପରିବାର ସଦସ୍ୟଙ୍କ ନାମରେ ନୂଆ ଖାତା ଖୋଲିବା ଆବେଦନ ଆସିଲେ ତାହାକୁ ଜଣେ ବରିଷ୍ଠ ବ୍ୟାଙ୍କ ପ୍ରବନ୍ଧକ ମଞ୍ଜୁର କରିବା ଲାଗି ନିୟମ ଆଣିବାକୁ ରିପୋର୍ଟରେ ସୁପାରିସ କରାଯିବ।

ଗତବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର କହିଥିଲେ ଯେ ନେତାଙ୍କ ବ୍ୟାଙ୍କ କାରବାରର କଠୋର ଯାଞ୍ଚ କରିବାକୁ ଆମେ ଏବେ ଚାହୁନାହୁଁ। ଆମେ ଏଫ୍‌ଏଟିଏଫ୍‌ର ରିପୋର୍ଟକୁ ଅପେକ୍ଷା କରିଛୁ। ରିପୋର୍ଟ ଆସିବା ପରେ ତାହାକୁ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କ ପାଖରେ ପାଞ୍ଚ ବର୍ଷ ସମୟ ରହିବ। ଏହି ସମୟ ସୀମା ଶେଷ ହେବା ପରେ ନିୟମର ପୁନର୍ବାର ସମୀକ୍ଷା କରାଯିବ। ମନି ଲଣ୍ଡରିଂ ନିରୋଧୀ ନିୟମକୁ ପାଳନ କରିବା ଲାଗି ଯେଉଁ ୪୦ ପ୍ରକାର ମାନଦଣ୍ଡ ଧାର୍ଯ୍ୟ କରାଯାଇଛି, ଭାରତ ସେଥିରୁ ୩୭କୁ ପୂରଣ କରୁଛି। ସେଥିପାଇଁ ଏଫ୍‌ଏଟିଏଫ୍‌ ପକ୍ଷରୁ ଭାରତକୁ ‘ନିୟମ ଅନୁପାଳନ’ କରୁଥିବା ରାଷ୍ଟ୍ର ବର୍ଗରେ ରଖାଯାଇଛି। ସ୍ଥନୀୟ ରାଜନେତାଙ୍କ ବ୍ୟାଙ୍କ ଖାତା ଯାଞ୍ଚ, ଅଣ ଲାଭଦାୟକ ସଂସ୍ଥା ଓ ଅଣ ଆର୍ଥିକ ବ୍ୟବସାୟ ଓ ପେସାଦାରଙ୍କ ଉପରେ ନଜର ରଖିବା ମାନଦଣ୍ଡକୁ ପାଳନ କରିବ‌ାରେ ଭାରତ ପଛୁଆ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe