azam khan becomes prisoner Photograph: (@SAMBAD.IN)
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କୁ ରାମପୁର ଜିଲ୍ଲା ଜେଲର ଗୁନ୍ନା ରେଜିଷ୍ଟରରେ ଆନୁଷ୍ଠାନିକ ଭାବରେ ପଞ୍ଜୀକୃତ କରାଯାଇଛି।
ବାରାକ ନମ୍ବର ୧ରେ ବାପ ଓ ପୁଅ
ଜେଲ ଅଧିକାରୀ ରାଜେଶ ଯାଦବଙ୍କ ଅନୁଯାୟୀ, ଆଜମ ଖାନଙ୍କୁ କଏଦୀ ନମ୍ବର ୪୨୫ ଏବଂ ଅବଦୁଲ୍ଲା ଆଜମଙ୍କୁ କଏଦୀ ନମ୍ବର ୪୨୬ ଦିଆଯାଇଛି। ବାପା ଓ ପୁଅ ଦୁହିଁଙ୍କୁ ଦଶ ଦିନ ପାଇଁ ରାମପୁର ଜେଲର କ୍ୱାରେଣ୍ଟାଇନ୍ ବାରାକରେ ବାରାକ ନମ୍ବର ୧ରେ ରଖାଯାଇଛି। ଜେଲ ମାନୁଆଲ୍ ଅନୁଯାୟୀ ଉଭୟଙ୍କୁ ଜଳଖିଆ ପାଇଁ ଦଳିଆ, ଚଣା ଖାଇବାକୁ ଦିଆଯିବା ସହିତ ଚା’ ଓ ପାଣି ପିଇବାକୁ ଦିଆଯାଉଛି। ଡାକ୍ତରୀ ରିପୋର୍ଟ ଆଧାରରେ ବାପ ଓ ପୁଅ ଦୁହିଁଙ୍କ ଚିକିତ୍ସା କରାଯାଉଛି।
ଅଧିକପଢ଼ନ୍ତୁ:ନିଖୋଜର ଦେଢ଼ ମାସ ପରେ ମୃତଦେହ ଜଙ୍ଗଲରୁ ଉଦ୍ଧାର
ସ୍ଥାନାନ୍ତର କରିବା ପୂର୍ବରୁ କୋର୍ଟଙ୍କ ଅନୁମତି ବାଧ୍ୟତାମୂଳକ
ରାମପୁର ଏମପି-ଏମଏଲଏ ମାଜିଷ୍ଟ୍ରେଟ କୋର୍ଟରୁ ଏକ ନିର୍ଦ୍ଦେଶ ମିଳିଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଉଭୟ ପକ୍ଷଙ୍କ ସମ୍ପର୍କରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜେଲ ମାନୁଆଲ୍ ଅନୁଯାୟୀ କରାଯିବ। ଆଦେଶରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଆଜମ ଖାନଙ୍କୁ ଜେଲରୁ ସ୍ଥାନାନ୍ତର କରିବା ପୂର୍ବରୁ କୋର୍ଟଙ୍କ ଅନୁମତି ବାଧ୍ୟତାମୂଳକ ହେବ।
୨୩ ମାସ ଜେଲଦଣ୍ଡ ଭୋଗିବା ପରେ ପୁଣି ୭ବର୍ଷ ଜେଲ
ଉଲ୍ଲେଖନୀୟ ଯେ ଏସପି ନେତା ଆଜମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୁଇଟି ପାନ କାର୍ଡ ମାମଲାରେ ରାମପୁର ଏମପି-ଏମଏଲଏ ସ୍ୱତନ୍ତ୍ର କୋର୍ଟ ସାତ-ସାତ ବର୍ଷର ଜେଲଦଣ୍ଡ ଏବଂ ପ୍ରତ୍ୟେକଙ୍କୁ ପଚାଶ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ପରେ ଉଭୟଙ୍କୁ ରାମପୁର ଜେଲକୁ ପଠାଯାଇଛି ଏବଂ ସାଧାରଣ କଏଦୀଙ୍କ ପରି ବ୍ୟବହାର କରାଯାଉଛି। ଆଜମ ଖାନ ୨୩ ମାସ ଜେଲରେ ରହିବା ପରେ ମାତ୍ର ୫୫ ଦିନ ପୂର୍ବରୁ ସେପ୍ଟେମ୍ବର ୨୩ ତାରିଖରେ ସୀତାପୁର ଜେଲରୁ ଜାମିନରେ ମୁକ୍ତ ହୋଇଥିଲେ। ସେ ପୁଣି ଥରେ ପାନ କାର୍ଡ ମାମଲାରେ ଜେଲଦଣ୍ଡ ଭୋଗୁଛନ୍ତି।
ଆଜମ ଦୁଇଟି ପାନ କାର୍ଡ ହାସଲ କରିଥିଲେ
ଉଲ୍ଲେଖଯୋଗ୍ୟ ଯେ ଭାଜପା ନେତା ଏବଂ ବର୍ତ୍ତମାନର ନଗର ବିଧାୟକ ଆକାଶ ସାକ୍ସେନା ୨୦୧୯ରେ ସିଭିଲ ଲାଇନ୍ସ ପୁଲିସ ଷ୍ଟେସନରେ ଅବଦୁଲ୍ଲା ଆଜମଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ। ଏଥିରେ ଅଭିଯୋଗ କରାଯାଇଥିଲା ଯେ ଅବଦୁଲ୍ଲା ଆଜମ ଦୁଇଟି ଭିନ୍ନ ଜନ୍ମ ପ୍ରମାଣପତ୍ର ବ୍ୟବହାର କରି ଦୁଇଟି ପାନ କାର୍ଡ ହାସଲ କରିଥିଲେ। ଏସପି ନେତା ଆଜମ ଖାନଙ୍କ ନିର୍ଦ୍ଦେଶରେ ପୁଅ ଅବଦୁଲ୍ଲା ସମୟ ସମୟରେ ଉଭୟ ପାନ କାର୍ଡକୁ ବ୍ୟବହାର କରୁଥିଲେ।
ଅଧିକପଢ଼ନ୍ତୁ:ସହି ପାରିଲା ନାହିଁ ସ୍କୁଲ ଶିକ୍ଷକଙ୍କ ନିର୍ଯାତନା....ଛାତ୍ର ହାରିଦେଲା ଜୀବନ
Follow Us