Image Courtesy: News India
ଭାଇଜାକ୍: ଆନ୍ଧ୍ରପ୍ରଦେଶର ଅନ୍ୟତମ ବୃହତ୍ତମ ତଥା ପୂରାତନ ଡାକ୍ତରଖାନା ବିଶାଖାପାଟନମର କିଙ୍ଗ ଜର୍ଜ ହସ୍ପିଟାଲରୁ ବୁଧବାର ରାତିରେ ଦୁଇ ଜଣ ମହିଳା ଜଣେ ଚାରି ଦିନିଆ ଶିଶୁକନ୍ୟାକୁ ଅପହରଣ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅପରପକ୍ଷେ ପୁଲିସ ଅପହୃତା ଶିଶୁକନ୍ୟାଟିକୁ ଶ୍ରୀକାକୁଲମ ଜିଲ୍ଲାରୁ ଖୋଜ ବାହର କରିବାରେ ସକ୍ଷମ ହୋଇଛି। ଶିଶୁକନ୍ୟାକୁ ଅପହରଣ କରିବା ଘଟଣାରେ ସଂପୃକ୍ତ ଥିବା ତିନି ଜଣଙ୍କୁ ଅଟକ ରଖି ଏବେ ଏ ସଂପର୍କରେ ଅଧିକ ତଦନ୍ତ କରୁଛି ପୁଲିସ୍।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବିଶାଖାପାଟନମର କିଙ୍ଗ ଜର୍ଜ ହସ୍ପିଟାଲରେ ଆପାୟାମ୍ମା ନାମ୍ନୀ ଜନୈକା ମହିଳା ଚାରି ଦିନ ପୂର୍ବେ ଜନ୍ମ ଦେଇଥିବା ଏକ ଶିଶୁକନ୍ୟାକୁ ଦୁଇ ଜଣ ଅଜ୍ଞାତ ମହିଳା ଅପହରଣ କରି ନେଇଥିଲେ। ବୁଧବାର ରାତିରେ, ନବଜାତ ଶିଶୁକନ୍ୟାର ମା’ ଶୋଇଥିବା ବେଳେ ଦୁଇ ଜଣ ମହିଳା ଶିଶୁକୁ ଅପହରଣ କରିଥିଲେ। ସିସିଟିଭି ଫୁଟେଜରେ ମହିଳା ଜଣକ ଶିଶୁକୁ ଡାକ୍ତରଖାନାରୁ ନେଇ ଏକ ଅଟୋ-ରିକ୍ସାରେ ଚଢିଥିବାର ଦେଖାଯାଇଥିଲା।
Representative Image: Courtesy News Mintଏହି ଘଟଣାରେ ପରିବାର ସଦସ୍ୟମାନେ ହସ୍ପିଟାଲର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଅପହୃତା ଶିଶୁକନ୍ୟାକୁ ଖୋଜି ବାହର କରିବା ପାଇଁ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବଡ଼ ଧରଣର ତଲାସୀ ଅଭିଯାନ ହୋଇଥିଲା।
ଗୁରୁବାର ଦିନ, ଏକ ଦଳ ଶିଶୁଟିକୁ ବିଶାଖାପାଟନମଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ଶ୍ରୀକାକୁଲମ ଜିଲ୍ଲାର କବିତା ଗ୍ରାମରେ ଠାବ କରିଥିଲେ। ପୁଲିସ ଦଳ ଗାଡି ଯାଞ୍ଚ କରୁଥିବା ସମୟରେ ଉଭୟ ଅଭିଯୁକ୍ତ ମହିଳାଙ୍କୁ ଧରିବା ସହ ସହ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ।
ଅଭିଯୁକ୍ତ ଏମ ଲକ୍ଷ୍ମୀ ପ୍ରସନ୍ନ, ଅନ୍ୟ ଜଣେ ମହିଳା ଏବଂ ଜଣେ ପୁରୁଷ ଏମ ରାଜେଶ କୁମାରଙ୍କୁ ବୈଷୟିକ ତଦାରଖ ସାହାଯ୍ୟରେ ଅଟକ ରଖାଯାଇଥିଲା। ଶ୍ରୀକାକୁଲମ ପୁଲିସ ଉଦ୍ଧାର କରିଥିବା ଶିଶୁକନ୍ୟାଟିକୁ ତୁରନ୍ତ ବିଶାଖାପାଟନମକୁ ଆଣିଥିଲା ଯାହା ଦ୍ୱାରା ସେ ତୁରନ୍ତ ଚିକିତ୍ସା ଏବଂ ତାଙ୍କ ମା’ଙ୍କ ଠାରୁ ଯତ୍ନ ପାଇ ପାରିବ।
Follow Us