ମୁମ୍ବାଇ: ସାବଧାନ ! ପୂରା ସାବଧାନ.. ଟିକେ ଅସାବଧାନ ହେଲେ କିମ୍ବା ଟିକେ ଅନ୍ୟମନସ୍କ ହେଲେ କଥା ସରିଲା । ଗାଡ଼ି ଯାଇ ସିଧା ଗାତରେ ପଡିବ । ଦୁର୍ଘଟଣା ହେବ, ଗାଡ଼ି ଭାଙ୍ଗିବ ନହେଲେ ଗୋଡ଼.. ଦୁର୍ଘଟଣା କିଛି ନା କିଛି କ୍ଷତି କରିବ.. ବର୍ଷା ଛାଡିବା ପରେ ଯଦି ଏମିତି ଅବସ୍ଥା ତାହାଲେ ଭାବନ୍ତୁ ବର୍ଷା ବେଳେ ଅବସ୍ଥା କେମିତି ଥିବ । ଯେତେବେଳେ ଏହି ରାସ୍ତା ଉପରେ ପାଣି ସୁଅ ଚାଲୁଥିବ ଆଉ ସେହି ରାସ୍ତା ଉପରେ ଗାଡି ମଟର ଯାଉଥିବ.. ବାପରେ ବାପ୍.. କେତେବେଳେ ଗାତଖାଲରେ ପଡି ଜୀବନ ବି ଚାଲିଯିବ କହିହେବନି । କାରଣ ଇଏ ତ ରାସ୍ତା ନୁହେଁ ବରଂ ମୃତ୍ୟୁର ଯନ୍ତା ।

Advertisment

522651557_675840742179486_3059681242408212510_n

ହଁ ଆଜ୍ଞା ! ଇଏ ଏମିତି ସେମିତି ସ୍ଥାନର କିମ୍ବା କେଉଁ ଅବହେଳିତ ରାଜ୍ୟର ରାସ୍ତା ନୁହେଁ । ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବେ ଏହି ରାସ୍ତା ଆମ ମାୟାନଗରୀର । ଦେଶର ଆର୍ଥିକ ରାଜଧାନୀ ଭାବେ ପରିଚିତ ଖୋଦ୍ ମୁମ୍ବାଇର । ଯେଉଁଠି ଲୋକେ ରହିବାକୁ ସ୍ବପ୍ନ ଦେଖନ୍ତି, ସିନେମା ଷ୍ଟାର ରୁହନ୍ତି ଆଉ ସାରା ଭାରତର ନଜର ଦିଲ୍ଲୀ ପରେ ଯାହା ଉପରେ ଥାଏ ସେହି ସହରର ରାସ୍ତାର ଅବସ୍ଥା ଏମିତି ଆଜ୍ଞା.. ଯେଉଁଠି ଜୀବନ କେତେବେଳେ ବି ଚାଲିଯିବ କେହି କହି ପାରିବେନି । କାରଣ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ ହେବା ପରେ ଏବେ ମରଣଯନ୍ତା ପାଲଟିଛି ମୁମ୍ବାଇର ରାସ୍ତା ।

​​ଦହିସାର ଚେକ୍ ନାକା ନିକଟରେ ଥିବା ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେର ହାଲ ବେହାଲ । ଖାଲଖମାରେ ଭର୍ତ୍ତି ଏହି ରାସ୍ତା ଉପରେ ଯାଉଛି ମାଳମାଳ ଗାଡି । କିଏ ଟିକେ ଭଲ ରାସ୍ତା ଦେଖି ଗାଡି ମଡେଇ ନେଉଛି ତ ପୁଣି କିଏ ସେହି ଖାଲରେ ଗାଡ଼ି ଚଳେଇ ଯାଉଛି । ହଜାର ହଜାର ଲୋକ । ପିଲାଠୁ ବୁଢା ସମସ୍ତେ ସେହି ରାସ୍ତାରେ ଯାଉଛନ୍ତି । ହେଲେ ମନରେ ଡର ରହିଛି କାଳେ କଣ ଘଟିଯିବ । ବିପଦ ସଙ୍କୁଳ ଅବସ୍ଥାରେ ମୁମ୍ବାଇର ରାସ୍ତା ଥିବା ବେଳେ ଏହି ରାସ୍ତାର ଫଟୋ ଏବେ ସୋସିଆଲ ମିଡିଆରେ ଢେର ଭାଇରାଲ ହେଉଛି । ମହାରାଷ୍ଟ୍ର ସରକାରକୁ ଦାୟୀ କରି ଏହି ଫଟୋ ଏବେ ବେଶ୍ ଭାଇରାଲ ହେଉଛି । 

ତେବେ ରାସ୍ତାର ଅବସ୍ଥା ଭଲ ନଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ପରାମର୍ଶ ଜାରି କରିଛି । ମୁମ୍ବାଇ ପାଇଁ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷାର ଆଲର୍ଟ ଜାରି କରାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପରାମର୍ଶ ଦେଇଛି । ଏକ ଟୁଇଟ୍ କରି ପୋଲିସ ଲୋକଙ୍କୁ ବର୍ଷା ବେଳେ ଘରେ ରହିବାକୁ ପରାମର୍ଶ ଦେଇଛି । ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ କୁହାଯାଇଛି । ମୁମ୍ବାଇ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଥିବା ବେଳେ ବର୍ଷା ସମୟରେ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଜାରି କରିଛି ପୋଲିସ । ଏଥିସହ ସମୁଦ୍ର କୂଳ ଅଞ୍ଚଳ ବୁଲାବୁଲି ନକରିବା ପାଇଁ ବି ପରାମର୍ଶ ଜାରି କରାଯାଇଛି । ପୋଲିସ ସବୁ ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିଛି । କୌଣସି ବି ପରିସ୍ଥିତିର ସାମ୍ନା କରୁଥିଲେ ଲୋକଙ୍କୁ ପୋଲି, ୧୦୦ରେ ଫୋନ୍ କରିବାକୁ କହିଛି । ମୁମ୍ବାଇ, ନଭି ମୁମ୍ବାଇ, ଥାନେ ଆଦି ଅନେକ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଲଗାଣ ବର୍ଷା ହେଲେ ସ୍ଥିତି ସାଙ୍ଘାତିକ ହେଉଥିବାରୁ ପୋଲିସ ଆଗୁଆ ସତର୍କ କରାଇଛି । ଆଉ ରାସ୍ତାର ଅବସ୍ଥା ଏମିତି ଥିବାରୁ, ଗାତଖାଲରେ ଭର୍ତ୍ତି ଥିବାରୁ କାଳେ ବର୍ଷା ବେଳେ ଯାତାୟାତ କଲେ ଲୋକେ ଗାତରେ ପଡି ଦୁର୍ଘଟଣାର ଶିକାର ହେବେ ତେଣୁ ଆଗୁଆ ସତର୍କତା ଜାରି କରାଯାଇଛି । 

ଅଧିକ ପଢନ୍ତୁ-

ସାବଧାନ ! ବାହାରେ ପ୍ରବଳ ବର୍ଷା.. କାମ ନଥିଲେ ଘରୁ ବାହାରନ୍ତୁ ନାହିଁ.. ପୋଲିସ ଦେଲା ପରାମର୍ଶ