ନୂଆଦିଲ୍ଲୀ: ସେଦିନ ଥିଲା ଶୁକ୍ରବାର, ଗତକାଲି ଥିଲା ଗୁରୁବାର । ସେଦିନ ତାରିଖ ଥିଲା ୨ ଜୁନ ୨୦୨୩ ଆଉ ଗତକାଲି ଥିଲା ୧୨ ଜୁନ ୨୦୨୫ । ସେବେ ବାହାନଗାରେ ଦୁର୍ଘଟଣା ହୋଇଥିଲା ଟ୍ରେନ୍, ଏବେ ଅହମଦାବାଦରେ ବିମାନ ଦୁର୍ଘଟଣା । ବାହାନଗା କରମଣ୍ଡଳ ଦୁର୍ଘଟଣାରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିଲା ଆଉ ଏବେ ବିମାନ ଦୁର୍ଘଟଣା ୨୬୫ ଜଣଙ୍କ ମୃତ୍ୟୁ ହେଲାଣି… ମୃତ୍ୟୁ ସଂଖ୍ୟା ବି ବଢିପାରେ ବୋଲି ଆଶଙ୍କା କରାଯାଉଛି । ୨୦୨୩ରୁ ୨୦୨୫- ଦୁଇ ବର୍ଷରେ ଦୁଇ ଦୁଇଟି ଛାତିଥରା ଦୁର୍ଘଟଣାରେ ଖାଲି ଦେଶ ନୁହେଁ ବରଂ ପୂରା ବିଶ୍ବ ସ୍ତବ୍ଦ ହୋଇଛି ।
ନିରୀହ ଜୀବନ କେବେ ଟ୍ରେନ୍ ଚକ ତଳେ ଚାଲିଯାଇଛି ତ କେବେ ବିମାନ ଦୁର୍ଘଟଣାର ଭୟଙ୍କର ବିସ୍ଫୋରଣ ଜଳିପୋଡି ଯାଇଛି… ଓଃ କି ଯନ୍ତ୍ରଣାଦାୟକ । ଆଜି ଯେତେବେଳେ ଅହମଦାବା ବିମାନ ଦୁର୍ଘଟଣାର ଗୋଟେ ପରେ ଗୋଟେ କରୁଣ କାହାଣୀ ସାମ୍ନାକୁ ଆସୁଛି ଠିକ୍ ସେତେବେଳେ ମନେପଡିଯାଇଛି ୨୦୨୩ର ବାହାନଗା ଟ୍ରେନ୍ ଦୁର୍ଘଟଣା କଥା । ଯାହା ଥିଲା ଶତାବ୍ଦୀର ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ।
ଜୁନ ୨, ୨୦୨୩, ସମୟ ସଂଧ୍ଯା ୭ଟା, ଶୁକ୍ରବାର ଟ୍ରେନ ଯାତ୍ରୀଙ୍କ ପାଇଁ ଯେମିତି କାଳ ପାଲଟିଥିଲା ଠିକ୍ ସେମିତି ଜୁନ ୧୨, ୨୦୨୩, ସମୟ ଦିନ ୧ଟା ୧୭, ଗୁରୁବାର ବି ବିମାନ ଯାତ୍ରୀଙ୍କ ପାଇଁ କାଳ ସାଜିଛି । ସେବେ କରମଣ୍ଡଳ ସାଜିଥିଲା ଲୌହ ଦାନବ ଆଉ ଏବେ ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ସାଜିଛି ମୃତ୍ୟୁର ବିମାନ ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୬ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ଅହମଦାବାଦ ବିମାନ ଦୁର୍ଘଟଣାରେ ଏଯାଏଁ ଯାଇଛି ୨୬୫ ଜଣଙ୍କ ଜୀବନ । ଯେଉଁଥିରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ଯରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି । ବିମାନରେ ଥିବା ଜଣେ ବ୍ୟକ୍ତି ହିଁ ମୃତ୍ୟୁର ଫାଶରୁ ମୁକୁଳି ଆସିଛନ୍ତି ।
ଇତି ମଧ୍ଯରେ ଗତ ଜୁନ ୨ ତାରିଖରେ ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୨ ବର୍ଷ ପୂରିଛି । ଦିନ ସିନା ଯାଇଛି କିନ୍ତୁ ସେ କ୍ଷତ ଚିହ୍ନ ରହିଛି । ସେଦିନର ଅଶୁଭ ଶୁକ୍ରବାର ଆଉ ଆଜି ଭିତରେ ବହୁତ କିଛି ବଦଳି ଯାଇଛି । ଅସଜଡ଼ା ଟ୍ରାକ ସଜାଡ଼ି ହୋଇଛି । ଧାରଣା ଉପରେ କରମଣ୍ଡଳ ପୁଣି ଗଡୁଛି । ହେଲେ ସେଦିନ ଅନେକ ସ୍ୱପ୍ନ ଆଉ ସମ୍ଭାବନା ନେଇ ଘରୁ ବାହାରି ଆସିଥିବା ପାଦ ଗୁଡ଼ିକ ଆଉ ଘରକୁ ଫେରିନଥିଲେ ।
ଅଧିକ ପଢନ୍ତୁ-
ମୃତ୍ୟୁର ବିମାନ: ୨୪୨ରୁ ଜଣେ ମୁକୁଳିଲେ, ବାକି ୨୪୧ ଜଣ ଜଳିଗଲେ…
ବାହାନଗା ଠାରେ ଘଟିଥିବା ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍ ଟ୍ରାଜେଡି । ଅନେକଙ୍କ ସ୍ବପ୍ନ ଉଜାଡି ଦେଇଥିଲା । କିଏ ଘରକୁ ଫେରୁଥିଲା ତ କିଏ ଚାକିରି କରିବାକୁ ଯାଉଥିଲା । କିଏ ବହୁଦିନ ପରେ ମାଆ କୋଳକୁ ଫେରୁଥିଲା ପୁଣି କିଏ ପ୍ରେମିକାକୁ ଭେଟିବାକୁ ଯାଉଥିଲା । ଅନେକ ସ୍ବପ୍ନ ଓ ଆଶା ନେଇ ଛୁକଛୁକ୍ ହୋଇ ଆଗକୁ ବଢୁଥିବା କରମଣ୍ଡଳ ଯେ ଏ ସବୁ ସ୍ବପ୍ନ ଉପରେ ଚକା ଚଢାଇ କାଟି ଦେବ କେହି ଭାବିନଥିଲେ । ଠିକ୍ ଯେମିତି ଗତକାଲିର ବିମାନ ଦୁର୍ଘଟଣାରେ ୨୬୫ ଜୀବନ ସହ ଜଳିଯାଇଛି ଅନେକ ସ୍ବପ୍ନ, ସମ୍ଭାବନା, ଆଶା, ଆକାଂକ୍ଷା, ଅଭିଳାଶା ଆଉ କାହାକୁ ପାଇବାର ଇଚ୍ଛା- ମାଟିରୁ ଆକାଶକୁ ଉଠୁଉଠୁ ହିଁ ମୃତ୍ୟୁ କବଳିତ କରିନେବା ପରେ ଅଧା ଆକାଶରେ ହିଁ ରହିଗଲେ ଏସବୁ ଇଚ୍ଛା ଓ ଆଶାମାନେ । ବିମାନ ଦୁର୍ଘଟଣା ପାଇଁ ବାପାଟି ତା ପୁଅକୁ ଭେଟି ପାରିଲାନି, ସ୍ବାମୀଟି ତା ସ୍ତ୍ରୀକୁ ପାଇପାରିଲାନି, ବିମାନ ଚଳାଉଥିବା ପାଇଲଟ ଓ କ୍ରିୟୁମାନେ ଚାକିରି କରିବାକୁ ଅଫେରା ରାଇଜକୁ ଚାଲିଗଲେ । ଘରକୁ ଫେରିବାର ଠିକଣା ହଜେଇଦେଲା ସମୟ… ଓଃ ଏସବୁ କଥା ଲେଖିଲା ବେଳେ ଛାତି କୋରି ହେଇଯାଉଛି ।