ବୈଜୟନ୍ତ-ବାହାମାସ୍‌ ଲିଙ୍କ୍‌ ନେଇ ଗର୍ଜିଲା ‘ପାଥ୍’

କାହିଁକି ଆଗଉନି ତଦନ୍ତ, ଦିଲ୍ଲୀରେ ଉଠିଲା ପ୍ରଶ୍ନ

ବୈଜୟନ୍ତଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ବେଙ୍ଗାଲୁରୁରୁ ଗିରଫ

The Hindu

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଜାଗିମଙ୍ଗତ ପଣ୍ଡାଙ୍କ ବିରୋଧରେ ମନି ଲଣ୍ଡରିଂ, ହାଓଲା କାରବାର, ଟିକସ ଫାଙ୍କି ଏବଂ ଆର୍ଥିକ ଠକେଇ ଭଳି ଗମ୍ଭୀର ଅଭିଯୋଗ ଆଣିଛି ପ୍ରତିଷ୍ଠିତ ସ୍ବେଚ୍ଛାସେବୀ ସଂଗଠନ ‘ପାଥ୍’। ସୋମବାର ନୂଆଦିଲ୍ଲୀସ୍ଥିତ ପ୍ରେସ କ୍ଲବ୍‌ ଅଫ୍ ଇଣ୍ଡିଆରେ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ବୈଜୟନ୍ତ ଓ ଜାଗି କିଭଳି ଜାଲ୍‌ କଂପାନି ଦ୍ବାରା ପୁଞ୍ଜିନିବେଶ କରୁଛନ୍ତି ଓ ଟିକସ ଫାଙ୍କି କରିଚାଲିଛନ୍ତି, ସେ ନେଇ ବିଶିଷ୍ଟ ସ୍ତମ୍ଭକାର, ସମାଜସେବୀ ଓ ଆଇନଜୀବୀ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି। ପାଥ୍ ସଂଗଠନ ପକ୍ଷରୁ ପ୍ରେମଶଙ୍କର ଝା, ଋଷି ମିଶ୍ର, ଅତୁଲ ଗୁଲେରିଆ ଓ ବିଘ୍ନେଶ୍ୱର ଝା ପ୍ରମୁଖ କହିଛନ୍ତି, ୨୦୧୯ ଜାନୁଆରି ୨୫ ତାରିଖରେ ଓଟିଭି ଦ୍ବାରା ନୂଆଦିଲ୍ଲୀରେ ଏସ୍‌ଏସ୍‌ଏଲ୍‌ର ଗୋଟିଏ ସଂପତ୍ତିକୁ କିଣାଯାଇଥିଲା। ଯେଉଁଥିପାଇଁ ଓଟିଭି ଏସ୍‌ଏସ୍‌ଏଲ୍‌ କଂପାନିକୁ ୧୦ କୋଟି ଟଙ୍କା ପୈଠ କରିଥିଲା। ଏସ୍‌ଏସ୍‌ଏଲ୍ କଂପାନିର ପ୍ରମୋଟରଙ୍କର ୯୦ ପ୍ରତିଶତରୁ ଅଧିକ ସେୟାର ହୋଲଡିଂ ଦରିଆପାରି କଂପାନିରେ ରହିଛି। ବାହାମାସ୍‌ ଦ୍ବୀପରେ ଥିବା ତିନିଟି କଂପାନି ଜରିଆରେ ଆର୍ଥିକ ହେରଫେର କରାଯାଇଛି। ଏହି ତିନିଟି କଂପାନିରୁ ଭାରତକୁ ଯେଉଁ ଟଙ୍କା ଆସୁଥିଲା ତାହା ବୈଜୟନ୍ତ ଓ ଜାଗିଙ୍କ ଦୁଇଟି କମ୍ପାନି ପଣ୍ଡା ଇନ୍‌ଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଓ ମେଟ୍ରୋ ସ୍କାଇଲାଇଟ୍ ପ୍ରାଇଭେଟ୍ ଲିମିଟେଡ୍ ନିୟନ୍ତ୍ରଣ କରନ୍ତି ବୋଲି ପାଥ୍ ସଂଗଠନ ପକ୍ଷରୁ କୁହାଯାଇଛି।

ମନି ଲଣ୍ଡରିଂ, ହାଓଲା କାରବାର ଓ ଟିକସ ଫାଙ୍କି ଅଭିଯୋଗ
ବୈଜୟନ୍ତଙ୍କୁ ଘେରିଲା ବିଜେଡି, ଟ୍ବିଟ୍ ବର୍ଷା ଜାରି
ବିଜେପିରେ ମିଶିଲେ ବୋଲି ତଦନ୍ତରେ ଶିଥିଳ କି?

ଏହି ସଂସ୍ଥା ଆହୁରି କହିଛି ଯେ ବାହାମାସ୍‌ରୁ ବେନାମି କମ୍ପାନିରୁ ଆସୁଥିବା ଟଙ୍କା ମଞ୍ଜୁଳା ଦେବୀ ଟ୍ରଷ୍ଟକୁ ଯାଇଥାଏ। ମଞ୍ଜୁଳା ଦେବୀ ବୈଜୟନ୍ତ ପଣ୍ଡା ଓ ଜାଗି ପଣ୍ଡାଙ୍କର ସହଯୋଗୀ। ସେ ମଧ୍ୟ ଏହି ଅପରାଧର ଅଂଶୀଦାର। ଓଟିଭି, ଅରଟେଲ, କିଷାନଗଡ଼ ପରିବେଶ ବିକାଶ ଆକ୍ସନ କମିଟି ପ୍ରାଇଭେଟ୍ ଲିମିଟେଡ୍‌ର ସେ ନିର୍ଦ୍ଦେଶକ ଥିଲେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହି ତିନି ଜଣ ଫିନାଲେ କର୍ପୋରେସନ୍ ଲିମିଟେଡ୍, ମେସିନା ଲିମିଟେଡ୍ ତଥା ପିକିକା କର୍ପୋରେସନ ଲିମିଟେଡ୍ ଦ୍ୱାରା ଭାରତକୁ କଳା ଧନ ଆଣୁଛନ୍ତି। ଏହି ତିନି କମ୍ପାନିର କୌଣସି ନିର୍ଦ୍ଦେଶକଙ୍କ ନାମ ଘୋଷଣା କରାଯାଇ ନାହିଁ କିମ୍ବା ସେମାନେ କୌଣସି ଜାଣତ ବାଣିଜ୍ୟ ବ୍ୟବସାୟ ଗତିବିଧିରେ ସାମିଲ ନାହାନ୍ତି। ଅର୍ଥାତ ୩ଟି ଭୂତ କମ୍ପାନିଙ୍କ ଦ୍ୱାରା ୧୮ କୋଟି ଟଙ୍କା ହେରଫେର ହୋଇଥିବା କୁହାଯାଇଛି। ମିଡିଆ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ଏଫ୍‌ଡିଆଇ କ୍ୟାପ୍‌କୁ ଏଡ଼ାଇ ଯାଇ ଏଭଳି କାର୍ଯ୍ୟ କରାଯାଇଥିବା ସଂଗଠନ ଆଶଙ୍କା ବ୍ୟକ୍ତ କରିଛି। ଉଭୟ ବୈଜୟନ୍ତ ଓ ଜାଗିମଙ୍ଗତ ପଣ୍ଡାଙ୍କ ଅପରାଧ ଆୟକର ଆଇନ, କଳାଧନ ଆଇନ ଓ ମନି ଲଣ୍ଡରିଂ ନିବାରଣ ଆଇନ ଅନ୍ତର୍ଗତ ରହିଛି। ସେମାନଙ୍କର କଳାଧନର ସ୍ରୋତ ତଥା ହାୱଲା କାରବାରର ସଂପୃକ୍ତି ଅଧିକ ତଦନ୍ତ ସାପେକ୍ଷ ବୋଲି ସଂଗଠନ ଦାବି କରିଛି। ଯେଉଁ ବେନାମି କମ୍ପାନି ଜରିଆରେ ଟଙ୍କା ଆସୁଛି ସେମାନଙ୍କ ବାବଦରେ ସବିଶେଷ ତଥ୍ୟ ଇଣ୍ଟରନ୍ୟାସନାଲ କନ୍‌ସରୋଟିଅମ ଅଫ୍ ଇନ୍‌ଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟ ୱେବସାଇଟ୍‌ରେ ରହିଥିବାର ସଂଗଠନ ସୂଚନା ଦିଆଯାଇଛି।

ବାହାମାସ୍‌ ଦ୍ୱୀପରେ ଥିବା ତିନିଟି କମ୍ପାନି ଜରିଆରେ ଆର୍ଥିକ ହେରଫେର ନେଇ ଫେବ୍ରୁଆରି ମାସରେ ସଂଗଠନ ହାଇକୋର୍ଟରେ ଆବେଦନ କରିଥିଲା। ଏହି ମାମଲାକୁ ତଦନ୍ତ ପାଇଁ ଗତ ଫେବ୍ରୁଆରି ୭ତାରିଖରେ ହାଇକୋର୍ଟ ଆଦେଶ ଦେଇଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ୱାରା ଚାଲିଥିବା ତଦନ୍ତ ଅଗ୍ରଗତି ଶୂନ ବୋଲି ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। କେବଳ ସେତିକି ନୁହେଁ, ଏ ନେଇ ସାମାଜିକ କର୍ମୀ ଓ ଆଇନଜୀବୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସିବିଆଇର ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ଆରମ୍ଭ ହୋଇପାରି ନାହିଁ ବୋଲି ସଂଗଠନ ଅଭିଯୋଗ କରିଛି। ଏହି ଘଟଣାର ପ୍ରକୃତ ତଦନ୍ତ ହେଲେ କଳାଧନର ଏକ ବଡ଼ କେଳେଙ୍କାରୀ ପଦାକୁ ଆସିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସଂଗଠନ ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଇଛି।

ସଂଗଠନ ଆହୁରି ଦାବି କରିଛି ଯେ ବୈଜୟନ୍ତ ପଣ୍ଡା ନିଜକୁ ବଞ୍ଚାଇବା ପାଇଁ ବିଜେପିରେ ସାମିଲ ହୋଇଛନ୍ତି। ପଶ୍ଚିମବଙ୍ଗରେ ମୁକୁଲ ରାୟ ଯେଭଳି ନିଜକୁ ବଞ୍ଚାଇବା ପାଇଁ ବିଜେପିରେ ସାମିଲ ହୋଇଥିଲେ, ଠିକ୍ ସେଭଳି କୌଶଳ ପୂର୍ବତନ ସାଂସଦ ଆପଣାଇଛନ୍ତି। ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ନିବେଦନ କରାଯାଇଥିଲା। ମାତ୍ର ସେଠାରୁ ମଧ୍ୟ ଏ ନେଇ କିଛି ତତ୍ପରତା ପ୍ରକାଶ କରାଯାଉନଥିବା ସଂଗଠନ କହିଛି। ଏହି ମାମଲାରେ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଓଟିଭିର ପ୍ରସାରଣ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯାଇଥିବା ସଂଗଠନ କହିଛି। ଦିଲ୍ଲୀରେ ବୈଜୟନ୍ତ ପଣ୍ଡାଙ୍କ ବାହାମାସ୍‌ ଲିଙ୍କ୍‌ ତଦନ୍ତରେ ଶିଥିଳତାକୁ ନେଇ ପ୍ରଶ୍ନ ଉଠିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେଡି ବିଧାୟକ ଓ ସାଂସଦମାନେ ଟ୍ୱିଟ୍‌ କରି ବିଜେପିର ଏହି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ଟାର୍ଗେଟ କରିଛନ୍ତି। ବିଜେଡି ବିଧାୟକ ତଥା ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍‌ କରି କହିଛନ୍ତି, ପେବ୍ରୁଆରି ୭ରେ ଦିଲ୍ଲୀ ହାଇକୋର୍ଟ ମଲ୍‌ଟି ଏଜେନସି ଗ୍ରୁପ୍‌ ଜରିଆରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏଯାଏ ଆଖିଦୃଶିଆ ଅଗ୍ରଗତି ହୋଇନାହିଁ। ବିଜେପି କ’ଣ ବୈଜୟନ୍ତଙ୍କୁ ସୁରକ୍ଷା ଦେଉଛି କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍‌ କରି କହିଛନ୍ତି, ବୈଜୟନ୍ତ ଏହା ଉପରେ ସ୍ପଷ୍ଟୀକରଣ ରଖିବାର ଆବଶ୍ୟକତା ରହିଛି। ବାହମାସ୍‌ କମ୍ପାନି ବାବଦରେ ସେ ସ୍ପଷ୍ଟ କରିବା ଦରକାର। ବିଧାୟକ ଚନ୍ଦ୍ରସାରଥୀ ବେହେରା କହିଛନ୍ତି, ସତ୍ୟ ସାମ୍ନାକୁ ଆସିବ। ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍‌ କରି ଏହାକୁ ମନି ଲଣ୍ଡରିଂର ପ୍ରକୃଷ୍ଟ ମାମଲା ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe