News18
ନୂଆଦିଲ୍ଲୀ : ସମୟର ପରିବର୍ତ୍ତନ ସହ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ( ଏନ୍ସିସି)ର ପ୍ରାସଙ୍ଗିକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ଏନସିସିର ବିସ୍ତୃତ ସମୀକ୍ଷା ତଥା ପୁନର୍ବିନ୍ୟାସ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ମନ୍ତ୍ରାଳୟ ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୧୫ ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି।
କମିଟିର ‘ଟର୍ମ ଅଫ୍ ରେଫରେନ୍ସ’ ଅନୁଯାୟୀ ରାଷ୍ଟ୍ର ଗଠନରେ ଏନ୍ସିସି କ୍ୟାଡେଟ୍ମାନଙ୍କୁ କିଭଳି ସଶକ୍ତ କରାଯିବ ତଥା କ’ଣ ସବୁ ପଦକ୍ଷେପ ନିଆଯିବ ସେ ନେଇ କମିଟି ସରକାରଙ୍କୁ ସୁପାରିସ କରିବ। ଏନ୍ସିସି ସଂଗଠନର ଉନ୍ନତି ପାଇଁ ଏନ୍ସିସି ‘ଆଲୁମ୍ନି’ଙ୍କ ଲାଭପ୍ରଦ ନିୟୋଜନ ପାଇଁ ମଧ୍ୟ କମିଟି ସରକାରଙ୍କୁ ପ୍ରସ୍ତାବ ଦେବ। ଏଥି ସହିତ ଏନ୍ସିସି ଭଳି ଆନ୍ତର୍ଜାତିକ ଯୁବ ସଂଗଠନର ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀକୁ ପାଠ୍ୟକ୍ରମରେ ସାମିଲ ପାଇଁ କମିଟି ସରକାରଙ୍କୁ ସୁପାରିସ କରିବ।
କମିଟିର ୧୫ ଜଣିଆ ସଦସ୍ୟ ତାଲିକାରେ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ‘ଆନନ୍ଦ ମହିନ୍ଦ୍ରା ଗ୍ରୁପ୍’ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ସାଂସଦ ବିନୟ ସହସ୍ରବୁଦ୍ଧେ, ଅବସରପ୍ରାପ୍ତ କର୍ଣ୍ଣେଲ୍ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ, ସଂଜୀବ ସାନୟାଲ, ପ୍ରଫେସର ବସୁଧା କାମାତ, ପ୍ରଫେସର ନଜମା ଅକତାର, ମିଲିନ୍ଦ କାମ୍ବଲେ, ଦେବିକା ଭଣ୍ଡାରକର, ଋତୁରାଜ ସିହ୍ନା, ମୁକୁଳ କନିତ୍କାର ଓ ମୟଙ୍କ ତିୱାରୀ ଭଳି ପ୍ରମୁଖ ବ୍ୟକ୍ତି ସ୍ଥାନ ପାଇଛନ୍ତି। ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ତଥା ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ଓ ସମ୍ମାନ ଦେଇଥିବାରୁ ଶ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Follow Us