ବଲୋଚ ବିଦ୍ରୋହୀଙ୍କ ଦାବି: ୧୫୦ ପାକ୍‌ ସୈନିକଙ୍କୁ ପଣବନ୍ଦୀ ରଖିଛୁ

ବଲୁଚିସ୍ତାନରେ ବିଦ୍ରୋହୀଙ୍କ କବ୍‌ଜାରେ ଥିବା ଟ୍ରେନ୍‌ରୁ ୩୪୦ରୁ ଅଧିକ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି ବୋଲି ଗତକାଲି ପାକ୍‌ ସେନା ଓ ସରକାର ଘୋଷଣା କରିଥିବା ବେଳେ ଆଜି ଏହି ମାମଲା ନୂଆ ମୋଡ଼ ନେଇଛି।

fsfsfsx

ଇସ୍‌ଲାମାବାଦ: ବଲୁଚିସ୍ତାନରେ ବିଦ୍ରୋହୀଙ୍କ କବ୍‌ଜାରେ ଥିବା ଟ୍ରେନ୍‌ରୁ ୩୪୦ରୁ ଅଧିକ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି ବୋଲି ଗତକାଲି ପାକ୍‌ ସେନା ଓ ସରକାର ଘୋଷଣା କରିଥିବା ବେଳେ ଆଜି ଏହି ମାମଲା ନୂଆ ମୋଡ଼ ନେଇଛି। ବଲୋଚ ଲିବରେସନ ଆର୍ମି (ବିଏଲ୍‌ଏ)  ଆଜି ଜାରି କରିଥିବା ଏକ ବିବୃତିରେ କହିଛି ଯେ   ବୋଲାନରେ ଅପରେସନ୍ ଶେଷ ହୋଇନାହିଁ ଏବଂ ପାକିସ୍ତାନୀ ସେନା ସହ ନିକଟସ୍ଥଳ ଅଂଚଳରେ ଯୁଦ୍ଧ ଜାରି ରହିଛି। ବଲୁଚ ମୁକ୍ତି ସେନା ପ୍ରବକ୍ତା କହିଛନ୍ତି, ବଲୁଚ ରାଜନୈତିକ ବନ୍ଦୀମାନଙ୍କୁ ମୁକୁଳାଇବା ପାଇଁ ଆମ ସର୍ତ୍ତକୁ ପାକିସ୍ତାନ ସରକାର ଗ୍ରହଣ କରିନଥିବାରୁ ଆମେ ୫୦ ଜଣ ପାକ୍‌ ସୈନିକଙ୍କୁ ହତ୍ୟା କରିଛୁ ଏବଂ ୧୫୦ ଜଣଙ୍କୁ ପଣବନ୍ଦୀ ରଖିଛୁ। ପାକିସ୍ତାନ ନିଜର ବିଫଳତାକୁ ଲୁଚାଇବା ପାଇଁ ମିଥ୍ୟା ପ୍ରଚାର ଚଳାଇଛି ବୋଲି ବିଏଲ୍‌ଏ ପ୍ରବକ୍ତାଙ୍କ ବୟାନ ହଇଚଇ ସୃଷ୍ଟି କରିଛି।  

‘ପାକିସ୍ତାନ ମିଛ ପ୍ରଚାର କରୁଛି’
ନିହତ ସୈନିକଙ୍କ ନାମ ସାର୍ବଜନୀନ କରିବାକୁ ଆହ୍ବାନ

ବିଏଲଏ  ବିବୃତିରେ କୁହାଯାଇଛି ଯେ ପାକିସ୍ତାନୀ ସେନା ନିଜର ଦୁର୍ବଳକୁ ଘୋଡ଼ାଇବା ପାଇଁ ପ୍ରକୃତ ମୃତ୍ୟୁସଂଖ୍ୟା ଏବଂ ପଣବନ୍ଦୀଙ୍କ ସଂଖ୍ୟାକୁ ଲୁଚାଉଛି । ପାକିସ୍ତାନ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ମିଥ୍ୟା ଖବର ପ୍ରସାରଣ କରିବା ପରିବର୍ତ୍ତେ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହାର ତଦନ୍ତ କରିବାକୁ ବିଏଲ୍‌ଏ ନିବେଦନ କରିଛି। ପାକ୍ ସେନା ଏପର୍ଯ୍ୟନ୍ତ ମୃତ ଓ  ନିଖୋଜ ସୈନିକଙ୍କ ନାମ ଏବଂ ଫଟୋ ସାର୍ବଜନୀନ କରିନାହିଁ କାହିଁକି ବୋଲି ବିଏଲ୍‌ଏ ପ୍ରଶ୍ନ କରିବା ସହ ୩୩ ଜଣ ବଲୁଚ ବିଦ୍ରୋହୀଙ୍କ ମୃତ୍ୟୁ ଖବରକୁ ମଧ୍ୟ ଖଣ୍ଡନ କରିଛି। ପାକ୍‌ ସେନାର ଅପରେସନରେ ମାତ୍ର ୪ ଜଣ ବିଦ୍ରୋହୀ ନିହତ ହୋଇଥିବା  ବଲୋଚ ମୁକ୍ତି ସେନା ପ୍ରବକ୍ତା କହିଛନ୍ତି।  

ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ଶେଷ ହୋଇଥିବା ଦୁଇ ଦିନିଆ ଉଦ୍ଧାର ଅଭିଯାନରେ ୩୪୦ରୁ ଅଧିକ ଟ୍ରେନ୍ ଯାତ୍ରୀଙ୍କୁ ମୁକ୍ତ କରାଯାଇଛି ବୋଲି ପାକିସ୍ତାନୀ ସେନା ଦାବି କରିବା ସହ ଏଥିରେ ୨୮ ଜଣ ଯବାନ ସହିଦ ହୋଇଥିବା କହିଥିଲା। ଅନ୍ୟପକ୍ଷରେ ବିଦ୍ରୋହୀଙ୍କ ଦ୍ବାରା ଖଲାସ ହୋଇଥିବା ଯାତ୍ରୀମାନେ କହିଛନ୍ତି ଯେ ସେମାନଙ୍କୁ ବିଦ୍ରୋହୀମାନେ ଛାଡ଼ିଦେବା ପରେ   ଘଣ୍ଟା ଘଣ୍ଟା ଧରି ଦୁର୍ଗମ ପାହାଡ଼ ଅତିକ୍ରମ କରି ସୁରକ୍ଷିତ ସ୍ଥାନକୁ ଆସିଥିଲେ। ବିଦ୍ରୋହୀମାନେ ଟ୍ରେନ୍‌ରେ ଥିବା ପାକିସ୍ତାନ ସୈନିକଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ ସେମାନଙ୍କୁ ଗୁଳିକରି ହତ୍ୟା କରିଥିଲେ ବୋଲି ଅନେକ ଯାତ୍ରୀ କହିଛନ୍ତି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe