ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନରେ ଆଜି ବଲୁଚ ବିଦ୍ରୋହୀମାନେ ଏକ ଯାତ୍ରୀବାହୀ ଟ୍ରେନ୍ ଉପରେ ଆକ୍ରମଣ କରି ଏହାକୁ ନିଜ କବ୍ଜାକୁ ନେଇଛନ୍ତି। ୪୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଟ୍ରେନ୍ଟି ବଲୁଚିସ୍ତାନ ପ୍ରଦେଶର କ୍ବେଟାରୁ ଖାଇବର ପଖ୍ତୁନ୍ଖ୍ୱାର ପେଶାୱାରକୁ ଯାଉଥିବାବେଳେ ରାସ୍ତାରେ ବିଏଲ୍ଏ (ବଲୁଚ ମୁକ୍ତି ସେନା)ର ସଦସ୍ୟମାନେ ରେଳ ଧାରଣାକୁ ବିସ୍ଫୋରଣରେ ଉଡ଼ାଇ ଟ୍ରେନ୍କୁ ହାଇଜାକ୍ କରିଥିଲେ। ଏହାପରେ ସେମାନେ ଟ୍ରେନ୍କୁ ସବୁଦିଗରୁ ଘେରିଯାଇ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ୩୦ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି ଏବଂ ୧୮୨ ଯାତ୍ରୀଙ୍କୁ ବିଦ୍ରୋହୀମାନେ ପଣବନ୍ଦୀ ରଖିଛନ୍ତି।
ପାକିସ୍ତାନଠାରୁ ବଲୁଚିସ୍ତାନର ସ୍ବାଧୀନତା ଦାବି କରୁଥିବା ବିଏଲ୍ଏ ଏକ ବିବୃତି ଜାରି କରି କହିଛି ଯେ ଏହା ଜାଫର ଏକ୍ସପ୍ରେସ୍କୁ ନିଜ ନିୟନ୍ତ୍ରଣକୁ ନେଇଛି ଏବଂ ଶତାଧିକ ଯାତ୍ରୀଙ୍କୁ ପଣବନ୍ଦୀ ରଖାଯାଇଛି। ପାକିସ୍ତାନ କର୍ତ୍ତୃପକ୍ଷ ୪୮ ଘଣ୍ଟା ମଧ୍ୟରେ ସମସ୍ତ ବଲୁଚ ରାଜନୈତିକ ବନ୍ଦୀ ଏବଂ ପାକିସ୍ତାନ ସେନା ଦ୍ବାରା ଅପହୃତ ହୋଇଥିବା ବଲୁଚ ମୁକ୍ତି ସେନାର ସମର୍ଥକଙ୍କୁ ମୁକ୍ତ କରିବାକୁ ବିଦ୍ରାହୀମାନେ ସର୍ତ୍ତ ରଖିଛନ୍ତି। ବିଏଲ୍ଏ ମୁଖପାତ୍ର ଜିୟନ୍ଦ ବଲୋଚଙ୍କ ଦ୍ବାରା ଦସ୍ତଖତ ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ ଯଦି ପାକିସ୍ତାନ ସେନାବାହିନୀ ଏହା ବିରୋଧରେ କୌଣସି ପାଲଟା ଅପରେସନ୍ ଆରମ୍ଭ କରନ୍ତି କିମ୍ବା ବିମାନ ଆକ୍ରମଣ ହୁଏ ତେବେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା କରାଯିବ।
ବିମାନ ଆକ୍ରମଣ ହେଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା ଧମକ
ଆକ୍ରମଣରେ ନିହତ ହୋଇଥିବା ସମସ୍ତ ୩୦ ଜଣ ପାକ୍ ସୈନିକ ବୋଲି ବିଏଲ୍ଏ ସ୍ପଷ୍ଟ କରିଛି। ଏହା ବ୍ୟତୀତ ୧୮୨ ପଣବନ୍ଦୀଙ୍କ ମଧ୍ୟରେ ଅଧିକାଂଶ ପାକ୍ ସେନା ସଦସ୍ୟ ଏବଂ ଆଇଏସ୍ଆଇ ଅଧିକାରୀ ଥିବା ଜଣାପଡ଼ିଛି। ପାକିସ୍ତାନ ସେନା, ପୁଲିସ, ଏଟିଏସ୍ (ଆତଙ୍କବାଦୀ ନିରୋଧ ବାହିନୀ) ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ସଦସ୍ୟମାନଙ୍କୁ ବିଏଲ୍ଏ ଆତଙ୍କବାଦୀମାନେ ଅଟକ ରଖିଥିବା ଜଣାପଡ଼ିବା ପରେ ଶେହବାଜ ସରିଫ୍ ସରକାରର ନିଦ ହଜିଯାଇଛି। ଟ୍ରେନ୍ରେ ସୁରକ୍ଷା ବାହିନୀ ଓ ଗୁଇନ୍ଦା ସଂସ୍ଥାର ସଦସ୍ୟମାନେ ଯାଉଥିବା ସଂପର୍କରେ ତଥ୍ୟ ହାସଲ କରି ବଲୁଚ ମୁକ୍ତି ସେନା ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରିଥିବା ଜଣାପଡ଼ିଛି।
ରେଳବାଇ ଅଧିକାରୀ କହିଛନ୍ତି ଯେ ବିଦ୍ରୋହୀଙ୍କ କବ୍ଜାରେ ଥିବା ଟ୍ରେନ୍ର କୌଣସି ଯାତ୍ରୀଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। ଅନ୍ୟପକ୍ଷରେ ଆତଙ୍କବାଦୀମାନେ ଏକ ବିବୃତି ଜାରି କରି କହିଛନ୍ତି ଯେ ସେମାନେ ଶିଶୁ, ମହିଳା ଓ ବଲୁଚିସ୍ତାନର ସାଧାରଣ ନାଗରିକଙ୍କୁ ଛାଡ଼ି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ବିଏଲ୍ଏ ପାକିସ୍ତାନଠାରୁ ସ୍ବାଧୀନତା ଦାବି କରୁଛି। ପାକିସ୍ତାନ ସରକାର ବଲୁଚିସ୍ତାନର ବିପୁଳ ଗ୍ୟାସ୍ ଏବଂ ଖଣିଜ ସମ୍ପଦ ଶୋଷଣ କରିବା ସହ ଲୋକଙ୍କ ଉପରେ ଅହରହ ଦମନଲୀଳା ଚଳାଇଛି ବୋଲି ବିଏଲ୍ଏ କହିଛି। ପାକିସ୍ତାନଠାରୁ ବଲୁଚିସ୍ତାନ ସ୍ବାଧୀନତା ହାସଲ କରିବା ପର୍ଯ୍ୟନ୍ତ ଭୀଷଣ ସଂଗ୍ରାମ ଜାରି ରହିବ ବୋଲି ବିଏଲ୍ଏ ଚେତାବନୀ ଦେଇଛି।
Follow Us