୧ହଜାର ଛାତ୍ରଙ୍କ ବିରୋଧରେ ମାମଲା, ୩ ମାଜିଷ୍ଟ୍ରେଟ ଓ ୨ ପୁଲିସ ଅଫିସରଙ୍କ ବଦଳି

Advertisment

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ହିଂସା ଘଟଣା

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ହିଂସା ଘଟଣା

୧ହଜାର ଛାତ୍ରଙ୍କ ବିରୋଧରେ ମାମଲା, ୩ ମାଜିଷ୍ଟ୍ରେଟ ଓ ୨ ପୁଲିସ ଅଫିସରଙ୍କ ବଦଳି

ପାଟନା: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ(ବିିଏଚ୍‌ୟୁ)ରେ ଛାତ୍ରୀ ଅସଦାଚରଣ ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଓ ସେମାନଙ୍କୁ ଘଉଡ଼ାଇବାକୁ ପୁଲିସର ଲାଠିମାଡ଼ ପରେ ଛାତ୍ର-ପୁଲିସ ସଂଘର୍ଷ ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟରେ ପ୍ରବଳ ଉତ୍ତେଜନା ଜାରି ରହିଛି। ବିରୋଧୀ ଦଳଗୁଡ଼ିକ ଏହି ଘଟଣା ପାଇଁ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପୁଲିସର ଭୂମିକା ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ଘୋର ଅସନ୍ତୋଷ ପ୍ରକାଶ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଙ୍କ ଉପରେ ନିର୍ମମ ଲାଠିମାଡ଼ ପାଇଁ ୩ଜଣ ମାଜିଷ୍ଟ୍ରଟ ଓ ୨ଜଣ ପୁଲିସ ଅଧିକାରୀଙ୍କୁ ସରକାର ବଦଳି କରିଛନ୍ତି। ଅପରପକ୍ଷରେ ସ୍ଥାନୀୟ ଲଙ୍କା ଥାନାରେ ୧ହଜାର ଛାତ୍ରଛାତ୍ରୀଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରାଯାଇଥିବା ଜଣାପଡ଼ିଛି। ବିଏଚ୍‌ୟୁ ଛାତ୍ରଙ୍କୁ ସମର୍ଥନ ଜଣାଇ ଆଜି ଦିଲ୍ଲୀରେ ଓ ରାଜସ୍ଥାନରେ ଛାତ୍ର ସମାବେଶ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।
ପରିସ୍ଥିତି ସୁଧାରିବାକୁ ବିଶ୍ୱବିଦ୍ୟାଳୟରେ ଗତକାଲିଠାରୁ ଆଗୁଆ ପୂଜା ଛୁଟି ଘୋଷଣା ହୋଇଥିଲେ ମଧ୍ୟ ଛାତ୍ରମାନେ ହଷ୍ଟେଲ ଛାଡ଼ିନାହାନ୍ତି। ଏବେ ମଧ୍ୟ ମୁଖ୍ୟ ଗେଟ୍‌ରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଗତକାଲି ଉତ୍ତର ପ୍ରଦେଶ କଂଗ୍ରେସ ନେତା ପିଏଲ୍‌ ପୁନିଆ, ରାଜ ବବ୍ଦର, ଅଜୟ ରାଇ ଛାତ୍ର ବିକ୍ଷୋଭରେ ଯୋଗ ଦେବାକୁ ବିଶ୍ୱବିଦ୍ୟାଳୟକୁ ଯାଉଥିବାବେଳେ ପୁଲିସ ସେମାନଙ୍କୁ ଅଟକ ରଖି ବିଳମ୍ବିତ ରାତିରେ ଛାଡ଼ିଥିଲା।
ବିଶ୍ୱବିଦ୍ୟାଳୟରେ ହିଂସା ପାଇଁ ପୁଲିସ ଓ ଛାତ୍ରମାନେ ପରସ୍ପରକୁ ଦୋଷାରୋପ କରିଥିବାବେଳେ କୌଣସି ଛାତ୍ର ହିଂସା ଘଟାଇ ନାହାନ୍ତି ବୋଲି ଆଜି କୁଳପତି ଗଣମାଧ୍ୟମକୁ କହିଛନ୍ତି। ବାହାର ଲୋକ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରି ଏହି ଅଘଟଣ ଘଟାଇଛନ୍ତି। ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି। ତେବେ କଂଗ୍ରେସ ଦଳ ପକ୍ଷରୁ ସମସ୍ତ ଘଟଣାପାଇଁ କୁଳପତିଙ୍କୁ ଦାୟୀ କରାଯାଇ ତାଙ୍କର ବହିଷ୍କାର ଓ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ନିମନ୍ତେ ଦାବି କରାଯାଇଛି। ବିଏସ୍‌ପି ନେତ୍ରୀ ମାୟାବତୀ ଛାତ୍ରୀଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ଛାତ୍ରମାନେ କହିଛନ୍ତି ଯେ ଅସଦାଚରଣ ଘଟଣା ପରେ ପୀଡ଼ିତା ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଜଣାଇବା ସତ୍ତ୍ୱେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ବରଂ ପୀଡ଼ିତାଙ୍କୁ ଗାଳି କରିଥିଲା। ସେମାନେ କୁଳପତିଙ୍କୁ ସବିଶେଷ ଜଣାଇବାକୁ ଶାନ୍ତିପୂର୍ଣ୍ଣ ଭାବେ ତାଙ୍କ ବାସଭବନକୁ ଯାଇଥିଲେ। ତେବେ କୁଳପତି ସେମାନଙ୍କୁ ସାକ୍ଷାତ ସୁଯୋଗ ଦେଇନଥିଲେ। ଅପରପକ୍ଷରେ ପୁଲିସ ସେମାନଙ୍କ ଚୁଟିଝିଙ୍କି ନିର୍ମମ ଲାଠିମାଡ଼ କରିଥିଲା ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe