ବାଂଲା ହିଂସା ଅଣାୟତ୍ତ: ଦେଖିବାମାତ୍ରେ ଗୁଳି, ୧୧୫ ମୃତ, ୧୫୦୦ ଆହତ

Advertisment

ସମଗ୍ର ଦେଶରେ କର୍ଫ୍ୟୁ ଜାରି, ଫସିଛନ୍ତି ୪ ହଜାର ଭାରତୀୟ, ଫେରିଲେଣି୧୦୦୦ ଛାତ୍ର

ସମଗ୍ର ଦେଶରେ କର୍ଫ୍ୟୁ ଜାରି, ଫସିଛନ୍ତି ୪ ହଜାର ଭାରତୀୟ, ଫେରିଲେଣି୧୦୦୦ ଛାତ୍ର

ବାଂଲା ହିଂସା ଅଣାୟତ୍ତ: ଦେଖିବାମାତ୍ରେ ଗୁଳି, ୧୧୫ ମୃତ, ୧୫୦୦ ଆହତ

ଢାକା/ନୂଆଦିଲ୍ଲୀ: ଚାକିରିରେ ସଂରକ୍ଷଣକୁ ନେଇ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଭୟଙ୍କର ରୂପ ଧାରଣ କରିଛି। ଏହାକୁ ନେଇ ହିଂସାକାଣ୍ଡ ଅଣାୟତ୍ତ ହୋଇପଡ଼ିଛି। ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ଅତି କମ୍‌ରେ ୧୧୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫୦୦ରୁ ଅଧିକ ଆହତ ହୋଇଛନ୍ତି। ଶେଖ୍ ହସିନାଙ୍କ ସରକାର ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିବା ସହ ଶୃଙ୍ଖଳା ବଜାୟ ରଖିବା ପାଇଁ ସାମରିକ ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଣ୍ଡଗୋଳକାରୀଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ହିଂସାକାଣ୍ଡ ବ୍ୟାପିବାରେ ଲାଗିଥିବାରୁ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଯାଇଛି। ବାଂଲାଦେଶରେ ୪ ହଜାରରୁ ଅଧିକ ଭାରତୀୟ ଛାତ୍ର ଫସି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ହଜାରେ ଛାତ୍ରଙ୍କୁ ଉଦ୍ଧାର କରି ଭାରତ ଅଣାଯାଇଛି। ବର୍ତ୍ତମାନ ସୁଦ୍ଧା ୭୭୮ ଜଣ ଭାରତୀୟ ଛାତ୍ର ଭାରତ ଫେରିଛନ୍ତି ଏବଂ ପ୍ରାୟ ୨୦୦ ଛାତ୍ର ବିମାନ ଯୋଗେ ଘରକୁ ଫେରିଛନ୍ତି ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି। ବାଂଲାଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଏବେ ବି ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ହାଇକମିସନ ସହ ବିଦେଶ ମନ୍ତ୍ରାଳୟ ନିୟମିତ ଯୋଗାଯୋଗରେ ଅଛନ୍ତି।

ବିକ୍ଷୋଭକାରୀମାନେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଢାକା ଓ ଅନ୍ୟାନ୍ୟ ସହରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଦେଶର ସ୍ୱାଧୀନତା ପାଇଁ ଲଢିଥିବା ଯୁଦ୍ଧବୀରଙ୍କ ସମ୍ପର୍କୀୟଙ୍କ ପାଇଁ ସରକାରୀ ଚାକିରିରେ ୩୦ ଭାଗ ଆସନ ସଂରକ୍ଷଣ ପାଇଁ ସରକାରଙ୍କ ଘୋଷଣାକୁ ସେମାନେ ଗ୍ରହଣ କରିବାକୁ ନାରାଜ। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ ଏହି ବ୍ୟବସ୍ଥା ଭେଦଭାବପୂର୍ଣ୍ଣ ଏବଂ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମର୍ଥକମାନଙ୍କ ପାଇଁ ଲାଭଦାୟକ। କାରଣ ହସିନାଙ୍କ ଆୱାମୀ ଲିଗ୍ ଦଳ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇଥିଲା। ତେବେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କୋଟା ବ୍ୟବସ୍ଥାକୁ ସମର୍ଥନ କରି କହିଛନ୍ତି ଯେ ପୂର୍ବତନ ସୈନିକମାନେ ରାଜନୈତିକ ସଂପୃକ୍ତି ନିର୍ବିଶେଷରେ ଯୁଦ୍ଧରେ ସେମାନଙ୍କ ଅବଦାନ ପାଇଁ ସର୍ବୋଚ୍ଚ ସମ୍ମାନ ପାଇବା ଉଚିତ।

ବିକ୍ଷୋଭକାରୀମାନେ ଦେଶର ସରକାରୀ ପ୍ରସାରଣ ସଂସ୍ଥାରେ ନିଆଁ ଲଗାଇବା ପରେ ଆନ୍ଦୋଳନ ଉଗ୍ର ରୂପ ନେଇଥିଲା। ଏହି ହିଂସାକାଣ୍ଡ ଯୋଗୁଁ କର୍ତ୍ତୃପକ୍ଷ ଢାକାକୁ ଆସୁଥିବା ରେଳ ସେବା ସହିତ ରାଜଧାନୀ ଭିତରେ ମେଟ୍ରୋ ରେଳକୁ ବନ୍ଦ କରିଦେଇଥିଲେ। ଦେଶର ବିଭିନ୍ନ ସ୍ଥାନରେ ମୋବାଇଲ ଇଣ୍ଟରନେଟ୍ ନେଟୱାର୍କ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ-କଲେଜ ବନ୍ଦ ରହିଛି। ଅନ୍ୟପକ୍ଷରେ ବାଂଲାଦେଶରେ ହିଂସାତ୍ମକ ବିକ୍ଷୋଭକୁ ତାଙ୍କର ଆଭ୍ୟନ୍ତରୀଣ ମାମଲା ବୋଲି କହି ଭାରତ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିବା ବେଳେ ପଡ଼ୋଶୀ ଦେଶରେ ରହୁଥିବା ପ୍ରାୟ ୧୫ ହଜାର ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି ଓ ୧୦୦୦ରୁ ଅଧିକ ଛାତ୍ର ଭାରତ ଫେରିଛନ୍ତି ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe