Bangladesh Election Photograph: (AI Generated)
ଢାକା: ବାଂଲାଦେଶରେ ଅଗଷ୍ଟ ୨୦୨୪ରେ ହୋଇଥିବା ବଡ଼ଧରଣ ବିରୋଧ ପ୍ରଦର୍ଶନ ଓ ଶେଖ୍ ହସିନାଙ୍କୁ କ୍ଷମତାରୁ ବିତାଡ଼ିତ କରାଯିବା ପରେ ଦେଶରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନ କେବଳ ଢାକା ପାଇଁ ନୁହେଁ, ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। ବାଂଲାଦେଶରେ ଗତ ୧୮ ମାସ ହେଲା ହିଂସା ଓ ଅଶାନ୍ତି ଲାଗି ରହିଛି। ଶେଖ ହସିନାଙ୍କ ଶାସନର ପତନ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଦାୟିତ୍ୱ ଗ୍ରହଣ କରିଥିଲା। ୟୁନୁସଙ୍କ କାର୍ଯ୍ୟକାଳରେ ଭାରତ ସହିତ ବାଂଲାଦେଶର ସମ୍ପର୍କ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା। ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ହତ୍ୟା ପ୍ରାୟ ନିତିଦିନିଆ ଘଟଣା ହୋଇଯାଇଛି। ଏହି ନିର୍ବାଚନ ପରେ ନିର୍ବାଚିତ ସରକାର ଓ ଭାରତ ମଧ୍ୟରେ ସମ୍ପର୍କରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି।
ଗୁରୁବାର ସକାଳୁ ମତଦାନ ଆରମ୍ଭ ହୋଇଛି
ଗୁରୁବାର ସକାଳୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ଣ ସାଢେ ୪ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ତାରିକ୍ ରହମାନଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ଓ ଏହାର ଏକଦା ସହଯୋଗୀ ଦଳ ଥିବା ଜମାତ୍ -ଇ-ଇସଲାମି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ବନ୍ଦ୍ବିତା ହେଉଛି। ଭୋଟ ଦେବାକୁ ବହୁ ସଂଖ୍ୟାରେ ଲୋକମାନେ ମତଦାନ କେନ୍ଦ୍ରରେ ଆସୁଛନ୍ତି। ୨୦୦୯ ପରେ ଏହାକୁ ଦେଶର ପ୍ରଥମ ପ୍ରକୃତ ନିର୍ବାଚନୀ ଲଢ଼େଇ ଭାବେ ଗ୍ରହଣ କରାଯାଇଛି। ବାଂଲାଦେଶର ୧୭ କୋଟି ଜନସାଧାରଣଙ୍କ ମଧ୍ୟରେ ୧୨ କୋଟି ଲୋକ ଭୋଟ ଦେବାକୁ ଯୋଗ୍ୟ ହୋଇଛନ୍ତି। ବାଂଲାଦେଶ ନିର୍ବାଚନକୁ ‘ଜେନ୍ ଜି’ ନିର୍ବାଚନ ମଧ୍ୟ କୁହାଯାଉଛି। ୧୨ କୋଟି ଭୋଟରଙ୍କ ମଧ୍ୟରୁ ୩.୫୮ କୋଟି ଭୋଟର ପ୍ରଥମ ଥର ଭୋଟ ଦେବେ ବୋଲି ଜଣାପଡ଼ିଛି। ୩୦୦ ସଂସଦୀୟ ଆସନରୁ ୨୯୯ ଆସନରେ ମତଦାନ ଅନୁଷ୍ଠିତ ହେଉଥିବାବେଳେ ୧,୯୮୧ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅଛନ୍ତି। ମହମ୍ମଦ ୟୁନିସ୍ଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ହସିନାଙ୍କ ଆୱାମୀ ଲିଗ୍କୁ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଇନି
ଦେଶରେ ନିର୍ବାଚନ ସହିତ ୮୪ ସୂତ୍ରୀୟ ଜଟିଳ ସୁଧାର ପ୍ୟାକେଜ (ଜୁଲାଇ ୨୦୨୫ ଚାର୍ଟର) ଉପରେ ମଧ୍ୟ ଜନମତ ସଂଗ୍ରହ କରାଯାଉଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ଓ ଏହାର ପୂର୍ବତନ ସହଯୋଗୀ ଦଳ ଜମାତ-ଏ-ଇସଲାମି ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବ। ହସିନାଙ୍କ ଆୱାମୀ ଲିଗ୍କୁ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଇନି। ବାଂଲାଦେଶରେ ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ ୧୦ ଲକ୍ଷ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିବାବେଳେ ଏହା ଦେଶର ସବୁଠୁ ବଡ଼ ସୁରକ୍ଷା ବ୍ୟବସ୍ଥା ବୋଲି କୁହାଯାଇଛି। ଅଧାରୁ ଅଧିକ ମତଦାନ କେନ୍ଦ୍ର ଅତିସମ୍ବେଦନଶୀଳ ଶ୍ରେଣୀରେ ରଖାଯାଇଛି। ପ୍ରାୟ ୯୦ ପ୍ରତିଶତ ମତଦାନ କେନ୍ଦ୍ର ସିସିଟିଭି ନିରୀକ୍ଷଣରେ ରହିଛି। ପୁଲିସ ଅଧିକାରୀ ବଡ଼ି କ୍ୟାମେରାର ବ୍ୟବହାର କରିଛନ୍ତି। ମତଦାନ ସରିବା ମାତ୍ରେ ଗଣତି ଆରମ୍ଭ ହେବ। ୧୩ ଫେବ୍ରୁଆରିରେ ଫଳାଫଳ ଆସିବ ବୋଲି ଜଣାପଡ଼ିଛି। ୟୁନୁସ୍ କହିଛନ୍ତି, ନିର୍ବାଚିତ ସରକାରକୁ ସେ ଶୀଘ୍ର କ୍ଷମତା ହସ୍ତାନ୍ତର କରିବାକୁ ଚାହିୁଁଛନ୍ତି। ବିଏନ୍ପି ନେତା ତାରିକ୍ ରହମାନ ଢାକାର ଗୁଲଶନ ଅଞ୍ଚଳରେ ଥିବା ଗୁଲଶନ ସ୍କୁଲ ଓ କଲେଜରେ ମତଦାନ କରିଥିଲେ। ୧୭ ବର୍ଷ ପରେ ବାଂଲାଦେଶ ଫେରିଥିବା ତାରିକ୍ ରହମାନ ବାଂଲାଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି।
ଆହୁରି ପଢ଼ନ୍ତୁ: Rahul Gandhi Questions: ପ୍ରଧାନମନ୍ତ୍ରୀ ଶ୍ରମିକ-କୃଷକଙ୍କ କଥା ଶୁଣିବେ ନା ତାଙ୍କ ଉପରେ କାହାର ନିୟନ୍ତ୍ରଣ ରହିଛି: ରାହୁଲ ଗାନ୍ଧୀ
Follow Us