ଢ଼ାକାବାଂଲାଦେଶରେ ଛାତ୍ରନେତା ସରିଫ୍ ଓସମାନ ହାଦିଙ୍କ ହତ୍ୟା ଘଟଣାକୁ ବିରୋଧ କରି ଏବେ ଦେଶବ୍ୟାପୀ ହିଂସା ଏବଂ ଉତ୍ତେଜନା ଜାରି ରହିଛି। ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ୩୫ଦିନରେ ୧୧ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ସର୍ବପ୍ରଥମେ ଦୀପୁଚନ୍ଦ୍ର ଦାସଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏବେ ତାଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

Advertisment

ଅଭିଯୁକ୍ତଜଣକ ପେସାରେ ଶିକ୍ଷକ 

କପଡ଼ା କାରଖାନା କର୍ମଚାରୀ ଦୀପୁ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ବାଂଲାଦେଶ ପୁଲିସ ଗିରଫ କରିଛି। ଅଧିକାରୀଙ୍କ ଅନୁଯାୟୀ, ପୂର୍ବତନ ଶିକ୍ଷକ ୟାସିନ ଆରାଫତ ଆକ୍ରମଣର ଯୋଜନା ଏବଂ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଯାହା ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ଅତ୍ୟାଚାର ମଧ୍ୟରେ ବିଶ୍ୱବ୍ୟାପୀ ନିନ୍ଦାର କାରଣ ହୋଇଛି। ପୁଲିସର କହିବା ଅନୁଯାୟୀ, ଦୀପୁଙ୍କ ମୃତ୍ୟୁ ପରେ ସେଠାରୁ ଫେରାର ହୋଇଯାଇଥିଲେ ୟାସିନ୍। ସେ ଅନ୍ୟମାନଙ୍କୁ ଏକାଠି ହୋଇ ଦାସଙ୍କୁ ଟାର୍ଗେଟ କରିବାକୁ ଉସୁକାଇଥିଲେ। ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ତାଙ୍କର ନେତୃତ୍ୱ ତାଙ୍କୁ ଏକ ବଡ଼ ଦଳକୁ ଶୀଘ୍ର ଏକତ୍ରିତ କରିବାରେ ସକ୍ଷମ କରିଥିଲା, ଯାହା ପରିସ୍ଥିତିକୁ ଭୟ‌ାବହ କରିଦେଇଥି‌ଲା। ୟାସିନ୍ ଭିଡ଼କୁ ଉସୁକାଇବା ସହ ଦୀପୁଙ୍କୁ ଘୋଷାଡ଼ି ‌ନେଇଥିଲେ।

ଭୟରେ ବଞ୍ଚୁଛନ୍ତି ହିନ୍ଦୁ

ହିନ୍ଦୁମାନଙ୍କୁ ଟା‌‌ର୍ଗେଟ କରି ହତ୍ୟା କରାଯାଉଥିବାରୁ ଏବେ ବାଂଲା ହିନ୍ଦୁମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ରଙ୍ଗପୁର, ଚିଟାଗଙ୍ଗ, ଢାକା ଏବଂ ମୟମନସିଂହରେ ରହୁଥିବା ହିନ୍ଦୁମାନେ ଏବେ ଅସହାୟ ହୋଇ ପଡ଼ିଛନ୍ତି।  

ମାଡ଼ ମାରିଥିଲେ, ଘୋଷାଡ଼ିଥିଲେ, ଜାଳିଦେଇଥିଲେ

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଦୀପୁ ଚନ୍ଦ୍ର ଦାସ ଜଣେ ପରିଶ୍ରମୀ ଯୁବକ ଥିଲେ। କିନ୍ତୁ ତାଙ୍କର କଠିନ ପରିଶ୍ରମ କିଛି ଲୋକଙ୍କୁ ପସନ୍ଦ ଆସୁନଥିଲା। ଭଲ କାମ କରି ପ୍ରଶଂସା ପାଉଥିବା ଦୀପୁଙ୍କ ଖୁସିକୁ ସହିପାରିନଥିଲେ ତାଙ୍କର କିଛି ସହକର୍ମୀ। ପ୍ରତିଶୋଧ ପରାୟଣ ହୋଇ ସହକର୍ମୀମାନେ ତାଙ୍କ ବିରୋଧରେ ଧାର୍ମିକ ବ୍ୟକ୍ତିଙ୍କୁ ନିନ୍ଦା କରିଥିବା ନେଇ ମିଥ୍ୟା ପ୍ରଚାର କରିଥିଲେ। ଏହି ଗୁଜବ ଜାଣିଶୁଣି ଭିଡ଼କୁ ଉସୁକାଇବା ପାଇଁ ପ୍ରଚାର କରାଯାଇଥିଲା। ଏହି ଅଭିଯୋଗ ପରେ ପ୍ରଥମେ ଦୀପୁ ଦା’ଙ୍କୁ ଏଚ୍‌ଆର କାର୍ଯ୍ୟାଳୟକୁ ଡକାଯାଇଥିଲା। ସେମାନେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ। ଏହି ସମୟରେ କାରଖାନା କର୍ମଚାରୀଙ୍କ ସହିତ ବାହାର ଲୋକ ମଧ୍ୟ ଥିଲେ। ଦୀପୁ ଦା’ ଇସ୍ତଫା ଦେବା ପରେ ତାଙ୍କୁ ଦଙ୍ଗାକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହା ପରେ ଭିଡ଼ ତାଙ୍କୁ କାରଖାନା ଗେଟ୍ ବାହାରକୁ ନେଇ ପିଟିବା ଆରମ୍ଭ କରିଥିଲା। ସେମାନେ ତାଙ୍କ ମୁହଁ ଓ ଛାତିକୁ ମୋଟା ବାଡ଼ିରେ ପିଟିଥିଲେ ଓ ରକ୍ତସ୍ରାବ ହେବାରୁ ତାଙ୍କୁ ପ୍ରାୟ ୧କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଏତିକିରେ ‌ସେମାନଙ୍କ ମନ ଶାନ୍ତ ‌ହୋଇନଥିଲା। ଦୀପୁ  ଦା’ ମରିସାରିଥିବା ଜାଣି ବି ତାଙ୍କୁ ଏକ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ ଦଙ୍ଗାକାରୀ

ଆହୁରି ପଢ଼ନ୍ତୁ: Saudi Arabia-UAE Conflict: ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ଯୁଦ୍ଧ ମୁହାଁ ସାଉଦି ଆରବ-ୟୁଏଇ!