ନୂଆଦିଲ୍ଲୀ: ଇସ୍ତଫା ଦେଲେ ଶେଖ୍ ହସିନା। ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ପାର୍ଟିର ମୁଖ୍ୟ ଶେଖ ହସିନା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ବାଂଲାଦେଶ ସେନା, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୪୫ ମିନିଟର ଅଲ୍ଟିମେଟମ ଦେଇଥିଲା। ଏହା ପରେ ତାଙ୍କ ବାସଭବନରେ ଶତାଧିକ ବିକ୍ଷୋଭକାରୀ ପ୍ରବେଶ କରିଥିଲେ। ପରିସ୍ଥିତି ଖରାପ ହେଉଥିବା ଦେଖି ଇସ୍ତଫା ଦେବା ପରେ ସେ ସେନା ହେଲିକପ୍ଟରରେ ଭାରତ ଚାଲିଆସିଥିବା କୁହାଯାଉଛି। ପ୍ରୋଥୋମ ଏଲୋ ଡେଲିର ସୂଚନା ଅନୁଯାୟୀ, ଶେଖ ହସିନାଙ୍କୁ ନେଇ ଆସୁଥିବା ସେନା ହେଲିକପ୍ଟର ସୋମବାର ଅପରାହ୍ନ ୨.୩୦ରେ ଗଣଭବନରୁ ବାହାରିଥିଲା। ସେତେବେଳେ ତାଙ୍କ ସାନ ଭଉଣୀ ଶେଖ ରେହାନା ମଧ୍ୟ ତାଙ୍କ ସହ ଥିଲେ।
ରବିବାର ସକାଳେ ବାଂଲାଦେଶର ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ଏବଂ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଏହି ସଂଘର୍ଷରେ ଅତି କମ୍ରେ ୧୪ ଜଣ ପୁଲିସ୍ ର୍ମଚାରୀଙ୍କ ସମେତ ଅତିକମରେ ୩୦୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଶହ ଶହ ଲୋକ ଆହତ ହୋଇଛନ୍ତି।
ବାଂଲାଦେଶରେ କ୍ରମାଗତ ଭାବେ ଖରାପ ହେଉଥିବା ପରିସ୍ଥିତି ମଧ୍ୟରେ ସେନା ମୁଖ୍ୟ ଜେନେରାଲ ବକାର-ଉଜ-ଜମାନ ଦେଶକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଦେଶବ୍ୟାପୀ କର୍ଫ୍ୟୁକୁ ଅଣଦେଖା କରି ହଜାର ହଜାର ବିକ୍ଷୋଭକାରୀ ଦୀର୍ଘ ପଦଯାତ୍ରା ପାଇଁ ଢ଼ାକାସ୍ଥିତ ଶାହାବାଗ ଛକ ନିକଟରେ ଏକାଠି ହୋଇଛନ୍ତି।
ସୂଚନା ଅନୁସାରେ, ରବିବାର ବିକ୍ଷୋଭକାରୀମାନେ ସରକାରଙ୍କ ଇସ୍ତଫା ଦାବି କରି ଏକ ‘ଅସହଯୋଗ କାର୍ଯ୍ୟକ୍ରମ’ରେ ଅଂଶଗ୍ରହଣ କରିବାକୁ ପହଞ୍ଚିଥିଲେ। ଆୱାମୀ ଲିଗ୍, ଛତ୍ର ଲିଗ୍ ଓ ଜୁବୋ ଲିଗ୍ ର କର୍ମକର୍ତ୍ତାମାନେ ଏହାକୁ ବିରୋଧ କରିବା ପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ପରିସ୍ଥିତି ବିଗୁଡୁଥିବା ଦେଖି ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡ଼ିଛନ୍ତି।
Follow Us