ଥମୁନି ବାଂଲାଦେଶ ହିଂସା, କଠୋରପନ୍ଥୀ ସକ୍ରିୟ: ମୃତ୍ୟୁସଂଖ୍ୟ ୧୩୩ ଛୁଇଁଲା

ସଂରକ୍ଷଣ ସୀମା ୫୬ରୁ ୭%କୁ ହ୍ରାସ

ଥମୁନି ବାଂଲାଦେଶ ହିଂସା, କଠୋରପନ୍ଥୀ ସକ୍ରିୟ: ମୃତ୍ୟୁସଂଖ୍ୟ ୧୩୩ ଛୁଇଁଲା

ଢାକା: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ବିକ୍ଷୋଭ ହିଂସାତ୍ମକ ରୂପ ନେଇ ସମଗ୍ର ଦେଶକୁ ବ୍ୟାପିଥିବା ବେଳେ ଏହାକୁ ରୋକିବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଫଳ ହୋଇଛି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ବାଂଲାଦେଶ ସୁପ୍ରିମ୍‌କୋର୍ଟ ସଂରକ୍ଷଣ ବାବଦରେ ହାଇକୋର୍ଟ ରାୟକୁ ରଦ୍ଧ କରିଛନ୍ତି। ସରକାରୀ ଚାକିରିରେ ୫୬% ସଂରକ୍ଷଣ ଦେବା ପାଇଁ ଢାକା ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିବା ସହ ସଂରକ୍ଷଣକୁ ୫୬%ରୁ ୭%କୁ ହ୍ରାସ କରିଛନ୍ତି। ଏଥିରୁ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ୫% ସଂରକ୍ଷଣ ମିଳିବ, ଯାହା ପୂର୍ବରୁ ୩୦% ଥିଲା। ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ୯୩% ଚାକିରି ଯୋଗ୍ୟତା ଆଧାରରେ ଦିଆଯିବ।

ବାଂଲାଦେଶ ସରକାର ୨୦୧୮ରେ ବିଭିନ୍ନ ବର୍ଗ ପାଇଁ ୫୬% ସଂରକ୍ଷଣ ଉଚ୍ଛେଦ କରିଥିଲେ, କିନ୍ତୁ ଚଳିତ ବର୍ଷ ଜୁନ୍ ୫ରେ ସେଠାକାର ହାଇକୋର୍ଟ ସରକାରଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ପୁଣି ସଂରକ୍ଷଣ ଲାଗୁ କରିଥିଲେ। ସେବେଠାରୁ ବାଂଲାଦେଶରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୧୧୫ ଜଣଙ୍କ ମୃତ୍ୟୁ ଘଟିଛି। ପରିସ୍ଥିତି ଭୟାନକ ହେବା ପରେ ସରକାର ସାରା ଦେଶରେ କର୍ଫ୍ୟୁ ଲାଗୁ କରିବା ସହ ବିକ୍ଷୋଭକାରୀଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହା ସତ୍ତ୍ବେ ହିଂସା ଜାରି ରହିଛି। ପରିସ୍ଥିତିର ମୁକାବିଲା ପାଇଁ ପୁଲିସ ପରିବର୍ତ୍ତେ ସେନା ମୁତୟନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସ୍ପେନ୍ ଓ ବ୍ରାଜିଲ୍ ଗସ୍ତ ବାତିଲ କରିଛନ୍ତି। ଆନ୍ଦୋଳନରେ ଏବେ କୌଣସି ଛାତ୍ର ନେତା ଅଧିକ ସକ୍ରିୟ ନଥିବା ବେଳେ କଠୋରପନ୍ଥୀମାନେ ଆନ୍ଦୋଳନ ପରିଚାଳନା କରୁଥିବାରୁ ମାମଲା ଗମ୍ଭୀର ହୋଇଛି।

ସୂଚନାଯୋଗ୍ୟ, ୧୯୭୧ରେ ବାଂଲାଦେଶ ସ୍ୱାଧୀନ ହୋଇଥିଲା। ବାଂଲାଦେଶୀ ଖବରକାଗଜ ‘ଦ ଡେଲି ଷ୍ଟାର’ର ରିପୋର୍ଟ ଅନୁଯାୟୀ ଚଳିତ ବର୍ଷଠାରୁ ସେଠାରେ ୮୦ ପ୍ରତିଶତ କୋଟା ବ୍ୟବସ୍ଥା ଲାଗୁ ହୋଇଛି ଏବଂ ଏଥିପାଇଁ ଦେଶରେ ଭୀଷଣ ଅସନ୍ତୋଷର ବାତାବରଣ ସୃଷ୍ଟିହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe